
ଭୁବନେଶ୍ବର: ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ମିଳିବ। ୨୦୨୦ ମସିହା ନିମନ୍ତେ ସେ ଏହି ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଏ। ପୁରସ୍କାର ବାବଦକୁ ଶ୍ରୀ ବେହେରାଙ୍କୁ ନଗଦ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।
ଏହା ସହ ୧୫ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସମ୍ବର୍ଦ୍ଧିତ ହେବାକୁ ଥିବା ସାଧକ-ସାଧିକାମାନେ ହେଲେ, ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ବରାଜଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ବରୀ ମିଶ୍ର, ରାଧାବିନୋଦ ନାୟକ ଓ ମହେଶ୍ବର ମୂଳିଆ। ସମସ୍ତଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯିବ।
ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଏକାଡେମିର ପ୍ରଥମ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଏକାଡେମି ସଚିବ ଶୁଚିସ୍ମିତା ମନ୍ତ୍ରୀ, କାର୍ଯ୍ୟକାରୀ ପରିଷଦର ସଦସ୍ୟା ଶୁଭଶ୍ରୀ ଲେଙ୍କା, ସଦସ୍ୟ ପ୍ରସନ୍ନ କୁମାର ସ୍ବାଇଁ, ଚନ୍ଦ୍ରଶେଖର ହୋତା, ନୃସିଂହ ଷଡ଼ଙ୍ଗୀ ଓ ଅର୍ଥ ପରାମର୍ଶଦାତା ପ୍ରଫୁଲ୍ଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏକାଡେମି ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯିବା ସହ ସାରସ୍ବତ ସାଧକ-ସାଧିକାଙ୍କୁ ସମ୍ବର୍ଦ୍ଧିତ କରାଯିବ।
The post ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ସମ୍ମାନ first appeared on Sambad.
from ରାଜ୍ୟ – Sambad https://ift.tt/3cizDlS
0 Comments