ମେ’ ୩ରୁ ମାଟ୍ରିକ୍, ୧୫ରୁ +୨ ପରୀକ୍ଷା

କଟକ/ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। କିନ୍ତୁ କେବେ ଫର୍ମପୂରଣ କରାଯିବ, କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ, ମାଟ୍ରିକ୍ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ସେହିପରି ମେ’ ୧୫ରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଛି। ପ୍ରଥମେ ଏପ୍ରିଲ ୨୯ରୁ ମେ’ ୧୪ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ମେ’ ୧୫ରୁ ଜୁନ୍‌ ୧୧ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ହେବ।

ମାଟ୍ରିକ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ମେ ୧୫ ତାରିଖରେ ଶେଷ ହେବ। ଆସନ୍ତା ୪ ତାରିଖ ସୋମବାର ଦିନ ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷାର ଫର୍ମପୂରଣ ବିଷୟରେ ବୋର୍ଡ ପକ୍ଷରୁ ଘୋଷଣା କରାଯିବ। ଫର୍ମପୂରଣ ପରେ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ ସେ ବିଷୟରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଓ ବୋର୍ଡ ଦ୍ବାରା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାଟ୍ରିକ୍ ପରୀକ୍ଷା ପୁସ୍ତିକା ପ୍ରସ୍ତୁତି ଚାଲିଛି। ଏଥିରେ ଆସନ୍ତା ମାଟ୍ରିକ୍ ପରୀକ୍ଷା ଶୈଳୀରେ ପ୍ରଶ୍ନପତ୍ରମାନ ରହିଛି। ଏହି ପୁସ୍ତିକା ଅନୁସାରେ ଚଳିତ ବର୍ଷ ମୋଟ ୮୦ ନମ୍ବର ପରୀକ୍ଷା କରାଯିବାର ସୂଚନା ମିଳୁଛି। ଏଥିରୁ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପ୍ରଶ୍ନ (ଯାହାର ଉତ୍ତର ଓଏମ୍‌ଆର୍‌ ମାଧ୍ୟମରେ ଦିଆଯିବ) ଓ ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍ (ଯାହାର ଉତ୍ତର ଲିଖିତ ଆକାରରେ) ରହିବ। ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ଯେ ମେ ୩ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। କିନ୍ତୁ ଫର୍ମପୂରଣ ସଂକ୍ରାନ୍ତ‌ରେ ଆସନ୍ତା ୪ କିମ୍ବା ୫ ତାରିଖରେ ଘୋଷଣା କରାଯିବ। ଫର୍ମପୂରଣ ପରେ ପରୀକ୍ଷାର କାର୍ଯ୍ୟସୂଚୀ ବିଷୟରେ ଗଣମାଧମରେ ପ୍ରକାଶ କରାଯିବ। କିନ୍ତୁ ପରୀକ୍ଷାରେ ମୋଟ ନମ୍ବର କେତେ ରହିବ, ପ୍ରଶ୍ନପତ୍ର କେଉଁ ‌ଶୈଳୀରେ ପଡ଼ିବ, ସେ ସଂପର୍କରେ ଆଲୋଚନା ଚାଲିଛି ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ମାଟ୍ରିକ୍ ପରୀକ୍ଷାର ସମସ୍ତ ପ୍ରସ୍ତୁତି ଚୂଡ଼‌ାନ୍ତ ହୋଇଯିବ ବୋଲି ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି।

The post ମେ’ ୩ରୁ ମାଟ୍ରିକ୍, ୧୫ରୁ +୨ ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/386eskb

Post a Comment

0 Comments