
ରଘୁନାଥପୁର, (ଉମାକାନ୍ତ ପାତ୍ର): କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ। ଆଗକୁ ବଢିବାକୁ ଲକ୍ଷ୍ୟ ଥିଲେ, କୌଣସି ପ୍ରତିକୂଳ ପରିସ୍ଥିତି ମଣିଷ ଆଗରେ ପାଚେରି ହୋଇ ଠିଆହୋଇ ପାରେନା। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଗତ୍ସି˚ହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସାଦେଇ ପୁର ଗ୍ରାମର କନକଲତା ବେହେରା(୪୧)। ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟକୁ ରୋଜଗାରର ପନ୍ଥା ଯୋଗାଇବା ପାଇଁ କନକଙ୍କ ଏହି ପ୍ରଚେଷ୍ଟା ତାଙ୍କୁ ଆଣି ଦେଇଛି ସ୍ବତନ୍ତ୍ର ପରିଚୟ। ତାଳପତ୍ରରେ ତାଙ୍କର ଜୀବନ୍ତ କଳାକୃତି ଏବେ ଅଞ୍ଚଳ ପାଇଁ ବି ପରିଚୟ ଆଣି ଦେଇଛି।
କନକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମହାଜନପୁର ଗ୍ରାମର ସ୍ବର୍ଗତ ନନ୍ଦ ବେହେରାଙ୍କ ସାନ ଝିଅ। ୧୯୯୯ ମସିହାରେ ସେ ରବୀନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ତାଙ୍କର ଗୋଟେ ଝିଅ ହୋଇଥିଲା। ହେଲେ ଟିଅକୁ ୩ ବର୍ଷ ହୋଇଥିବା ବେଳେ ସ୍ବାମୀ ତାଙ୍କୁ ଛାଡି ପଳାଇ ଥିଲେ। ପରିବାର ପୋଷଣ ପାଇଁ ରୋଜଗାରର ସମ୍ବଳ ନ ଥିବାବେଳେ କୋଳରେ ୩ ବର୍ଷର ଛୁଆକୁ ନେଇ ଚିନ୍ତାରେ ପଡି ଯାଇଥିଲେ କନକ। କିନ୍ତୁ ଦେବଦୂତ ସାଜିଲା ଭଳି ସାଦେଇପୁର ଅଞ୍ଚଳର ମୀନତୀ ବେହେରା ତାଙ୍କ ଜୀବନରେ ଆସିଥିଲେ। କନକଙ୍କୁ ସାହସ ଦେବା ସହ ତାଳପତ୍ରରେ କିପରି କଳାକୃତି କରିହେବ, ତା’ର ପ୍ରଶିକ୍ଷଣ ଦେଇଥିଲେ। ଦିନକୁ ଦିନ କନକଙ୍କ ତାଳପତ୍ର କଳାରେ ରୁଚି ବଢିବା ସହ ଏହି କାରିଗରିରେ ସେ ନିପୁଣ ହେବାକୁ ଲାଗିଲେ। ଏବ˚ ଏହାକୁ ବିକ୍ରି କରି ରୋଜଗାର କରିବା ଆରମ୍ଭ କଲେ।
ତାଙ୍କ ଭଳି ଗରିବ ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସେ ମା ମଙ୍ଗଳା ସ୍ବୟ˚ସହାୟକ ଗ୍ରୁପ୍ ମାଧୢମରେ ୧୫ ଜଣ ସ୍ଥାନୀୟ ମହିଳାଙ୍କୁ ନେଇ ତାଳପତ୍ରର ବିଭିନ୍ନ ଘରଉପକରଣ ସାମଗ୍ରୀ ବିଞ୍ଚଣା, ଫୁଲ ଚାଙ୍ଗୁଡି, ପେନ୍ଷ୍ଟାଣ୍ତ, ଡଷ୍ଟବିନ, ଝାଡୁ, ଟୋପି, ଫୁଲଦାନୀ, ବିଭିନ୍ନ ପ୍ରକାରର ଫୁଲ, ଝୁମୁକା, ଖେଳନା ଆଦି ତିଆରି କରିବା ଆରମ୍ଭ କଲେ। ସ୍ଥାନୀୟ ଅ˚ଚଳ ଅପେକ୍ଷା ଏହାର ଚାହିଦା ସାରା ରାଜ୍ୟରେ ଥିବା ଲକ୍ଷ୍ୟ କରି ରାଜ୍ୟସାରା ବିଭିନ୍ନ ଷ୍ଟଲ୍ ମାଧୢମରେ ଏହାକୁ ବିକ୍ରି କରିବା ଆରମ୍ଭ କଲେ। ନାବାର୍ଡ, ଡିଆର୍ଡିଏ, ମିଶନ ଶକ୍ତି ମାଧୢମରେ ଷ୍ଟ୍ଲ ଆୟୋଜିତ ହେଉଥିବା ବେଳେ ରାଜ୍ୟର ମାଲକାନାଗିରି, କୋରାପୁଟ, କେନ୍ଦୁଝର, ବାଲେଶ୍ବର, କଳାହାଣ୍ତି, ପାରାଦ୍ବୀପ, କେନ୍ଦ୍ରାପଡା, କଟକ, ଭୁବନେଶ୍ବର ଆଦି ସ୍ଥାନମାନଙ୍କରେ ତାଳପତ୍ର ତିଆରି ସାମଗ୍ରୀ ସେ ବିକ୍ରି କରନ୍ତି। ଇତିମଧ୍ୟରେ କନକ ୩ଶହରୁ ଅଧିକ ମହିଳାଙ୍କୁ ତାଲିମ ଦେଇ ସାରିଲେଣି। ତାଙ୍କ ସହିତ ବର୍ତ୍ତମାନ ୮ଟି ଗ୍ରୁପର ୬୦ ଜଣ ମହିଳା ଯୋଡ଼ି ହୋଇଛନ୍ତି। ଫଳରେ ସ୍ଥାନୀୟ ମହିଳା ମାନେ ସ୍ବାବଲମ୍ବୀ ହୋବା ସହ ନିଜର କାରିଗରୀକୁ ସାବ୍ୟସ୍ତ କରିପାରୁଛନ୍ତି। ମୁଣ୍ଡ ପିଛା ହାରାହାରି ଭାବେ ୧୦ ହଜାରରୁ ଅଧିକ ଟଙ୍କା ରୋଜଗାର ହେଉଛି। କନକଙ୍କ ଏଭଳି କାର୍ଯ୍ୟ ପାଇଁ ସେ ଜିଲ୍ଳା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ବି ସମ୍ମାନିତ ହୋଇଛନ୍ତି।
The post ତାଳପତ୍ର କଳାକୃତିରୁ ବଞ୍ଚିବାର ରାହା; ୩ ଶହ ମହିଳାଙ୍କୁ ତାଲିମ, ୬୦ ମହିଳାଙ୍କୁ ରୋଜଗାର first appeared on Sambad.
from ରାଜ୍ୟ – Sambad https://ift.tt/3ok8BN0
0 Comments