
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଓଡ଼ିଶାର ସମ୍ବଲପୁରରେ ‘ଆଇଆଇଏମ୍’ ସ୍ଥାୟୀ କ୍ୟାମ୍ପସ୍ ସ୍ଥାପନ ନିମନ୍ତେ ଶିଳାନ୍ୟାସ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମଧ୍ୟ ଶୁକ୍ରବାର ଦିନ ଟୁଇଟ୍ କରି ଲେଖିଥିଲେ, ଜାନୁଆରି ୨ ତାରିଖ ଦିନ ୧୧ଟା ସମୟରେ ‘ଆଇଆଇଏମ୍-ସମ୍ବଲପୁର’ର ସ୍ଥାୟୀ କ୍ୟାମ୍ପସ୍ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଶେଷ ଭାବେ ମୁଁ ଶିକ୍ଷାର୍ଥୀ ବନ୍ଧୁ ଏବଂ କମ୍ପାନି ଜଗତ୍ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି। ଜାତୀୟ ଅଗ୍ରଗତିରେ ‘ଆଇଆଇଏମ୍’ର ସମୃଦ୍ଧ ଅବଦାନ ଲାଗି ଭାରତ ଗୌରବାନ୍ଵିତ।
ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ୍ ‘ନିଶଙ୍କ’, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏହି ଉତ୍ସବ ଅବସରରେ ଉପସ୍ଥିତ ରହିବେ।
ଭର୍ଚ୍ୟୁଆଲ୍ ଭାବେ ଏହି ଉତ୍ସବରେ ସରକାରୀ କର୍ମଚାରୀ, ଶିଳ୍ପପତି, ଶିକ୍ଷାବିତ୍ ଏବଂ ଶିକ୍ଷାର୍ଥୀ ‘ଆଇଆଇଏମ୍-ସମ୍ବଲପୁର’ର ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ଆମନ୍ତ୍ରିତ ବ୍ୟକ୍ତି ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ‘ଫ୍ଲିପ୍ଡ୍ କ୍ଲାସ୍ରୁମ୍’ ପ୍ରଚଳନ କରିବାରେ ‘ଆଇଆଇଏମ୍-ସମ୍ବଲପୁର’ ହେଉଛି ‘ଆଇଆଇଏମ୍’ମାନଙ୍କ ମଧ୍ୟରେ ପ୍ରଥମ। ‘ଫ୍ଲିପ୍ଡ୍ କ୍ଲାସ୍ରୁମ୍’ରେ ଡିଜିଟାଲ୍ ମୋଡ୍ରେ ମୌଳିକ ତତ୍ତ୍ୱ ଶିକ୍ଷା ଦିଆଯାଉଥିବା ବେଳେ ଶିଳ୍ପରୁ ସିଧା ପ୍ରସାରଣ ଜରିଆରେ ଶ୍ରେଣୀ ଗୃହରେ ଆନୁଭୂତିକ ଶିକ୍ଷା ଦାନ କରାଯାଏ।
The post ଆଜି ‘ଆଇଆଇଏମ୍-ସମ୍ବଲପୁର’ ସ୍ଥାୟୀ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.
from ରାଜ୍ୟ – Sambad https://ift.tt/2La8Ooq
0 Comments