
ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୧୪ ତାରିଖର କଳାହାଣ୍ଡି ଗସ୍ତ ଜିଲ୍ଲା ବିଜେପିରେ ଥିବା ଫାଟକୁ ଚଉଡ଼ା କରିଛି। ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଉଷ୍ମତା ଏବେ ବେଶ୍ ଅନୁଭବ କରି ହେଉଛି। ଆଗାମୀ ଦିନରେ ଏହି ଶୀତଳ ଯୁଦ୍ଧର ପରିଣତି ଦଳକୁ ଅଡ଼ୁଆରେ ପକାଇପାରେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କହି ପ୍ରଦୀପ୍ତ ଏହାକୁ ବର୍ଜନ ଓ ସମାଲୋଚନା କରିଥିବା ବେଳେ ସାଂସଦ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚ ଉପରେ ବସିଥିବା ଦେଖିବାକୁ ମିଳିଥିଲା। ଦଳୀୟ କର୍ମୀମାନେ ଏହାକୁ ଦେଖି ଦ୍ବନ୍ଦ୍ବରେ ପଡ଼ିଥିଲେ। ଉଭୟଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା। ଏଥିପାଇଁ ସେମାନେ ନିଜ ନିଜର କୋଭିତ୍ ପରୀକ୍ଷା ବି କରାଇଥିଲେ। ତେବେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଲଗା ମଞ୍ଚ ତିଆରିକୁ ସାମନ୍ତବାଦ ଚିନ୍ତାଧାରା କହି ସମାଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ଅନ୍ୟପଟେ ସାଂସଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏହି ଘଟଣାରେ ବିଜେପି କର୍ମୀ ଦ୍ୱନ୍ଦ୍ବରେ ପଡ଼ି ଯାଇଛନ୍ତି। ଏଥିସହ ପ୍ରଦୀପ୍ତ ଓ ବସନ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ଚାଲିଥିବା ଶୀତଳ ଯୁଦ୍ଧ କଥା ବି ପଦାରେ ପଡ଼ିଛି।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୨୦୧୪ ଲୋକସଭା ନିର୍ବାଚନରେ ଲୋକସଭା ସଦସ୍ୟ ପ୍ରାର୍ଥୀ ହୋଇଥିଲେ। ମୋଦୀଙ୍କ ହାଵା ସତ୍ତ୍ୱେ ବିଜେଡି ପ୍ରାର୍ଥୀ ଅର୍କକେଶରୀ ଦେଓଙ୍କ ଠାରୁ ସେ ହାରିଯାଇଥିଲେ। ଏହାପରେ ପ୍ରଦୀପ୍ତ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଭାବେ ଦାୟିତ୍ୱ ନେଇ ସଂଗଠନକୁ ମଜଭୁତ୍ କରିଥିଲେ। ୨୦୧୭ ପଞ୍ଚାୟତିରାଜ ନିର୍ବାଚନରେ ଜିଲ୍ଲାର ୩୬ଟି ଜିଲ୍ଲାପରିଷଦ ଆସନରୁ ୩୩ ଟି ଜିଲ୍ଲାପରିଷଦ ଆସନ ଅକ୍ତିଆର କରିଥିଲେ। ଏହାପରେ ନିଜର ପ୍ରିୟ ବନ୍ଧୁ ଭବସିନ୍ଧୁ ମଙ୍ଗରାଜଙ୍କୁ ସେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କରାଇଥିଲେ। ଏହାସହ ଜିଲ୍ଲା ସଙ୍ଗଠନରେ ନିଜ ଗୋଷ୍ଠୀର ବିଜେପି ନେତାଙ୍କୁ ବିଭିନ୍ନ ପଦ ପଦବିରେ ଥଇଥାନ କରି ନିଜର ଶକ୍ତିବୃଦ୍ଧି କରି ଆସୁଥିଲେ। ଏହାକୁ ରୋକିବା ପାଇଁ ତାଙ୍କର ବିରୋଧୀ ଗୋଷ୍ଠୀ ନେତାମାନେ ଏକାଠି ହୋଇଥିଲେ। ତତ୍କାଳୀନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ଭେଟି ସେମାନେ ପ୍ରଦୀପ୍ତଙ୍କ ପକ୍ଷଛେଦନ ପାଇଁ ଯୋଜନା କରିଥିଲେ।
ବସନ୍ତ ପଣ୍ଡା ୨୦୧୯ ନିର୍ବାଚନରେ ପ୍ରଦୀପ୍ତଙ୍କ ଘୋର ବିରୋଧୀ ଭାବେ କଳାହାଣ୍ଡିରେ ପରିଚିତ ହୋଇଛନ୍ତି। କଳାହାଣ୍ଡି ଯୁବମୋର୍ଚ୍ଚା ସଭାପତି ଭାବେ ପ୍ରଦୀପ୍ତ ତାଙ୍କର ସହଯୋଗୀ ପ୍ରତାପ ବାଗଙ୍କ ନାମକୁ ସୁପାରିସ୍ କରିଥିବା ବେଳେ ତାଙ୍କ ବିରୋଧୀ ଗୋଷ୍ଠୀ ବିରଞ୍ଚି ରଥଙ୍କ ନାମକୁ ସୁପାରିସ କରିଥିଲେ। ବହୁ ବିଳମ୍ବରେ ସନ୍ତୋଷ ଦାସଙ୍କ ନାମ ଯୁବମୋର୍ଚ୍ଚା ସଭାପତି ଭାବେ ଘୋଷଣା ହୋଇଥିଲା। ସେହିପରି ପ୍ରଦୀପ୍ତ ଗତ ୨୦୧୯ ନିର୍ବାଚନରେ ପୁନର୍ବାର ଲୋକସଭା ଆସନରୁ ପ୍ରାର୍ଥୀ ହେବାପାଇଁ ଚାହୁଥିବା ବେଳେ ବସନ୍ତ ପଣ୍ଡା ତାଙ୍କ ବାଟ ଓଗାଳି ଥିଲେ। ସେ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇ ନିଜେ ଲୋକସଭା ପ୍ରାର୍ଥୀ ହୋଇଥିଲେ। ଏହି ଘଟଣାରେ ପ୍ରଦୀପ୍ତ କ୍ଷୁବ୍ଧ ହୋଇ ବିଜେପି ଛାଡ଼ି ବିଜେଡିରୁ ଲୋକସଭା ପ୍ରାର୍ଥୀ ହେବାପାଇଁ ଉଦ୍ୟମ କରିଥିବା କଥା ଚର୍ଚ୍ଚା ହୋଇଥିଲା। କିନ୍ତୁ ଶେଷରେ ସେ ଭବାନୀପାଟଣା ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ସହ ରାଜ୍ୟ ବିରୋଧୀ ଦଳ ନେତା ହୋଇଥିଲେ। ସେପଟେ ବସନ୍ତ ପଣ୍ଡା ମଧ୍ୟ କଳାହାଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିଲେ।
ଏହାପରେ ପ୍ରଦୀପ୍ତ ଜିଲ୍ଲା ସଭାପତି ପଦବିରୁ ଇସ୍ତଫା ଦେଇ ନିଜର ଅତି ଘନିଷ୍ଠ ଯୁଗଳ ପୋଢ଼ଙ୍କୁ ଏହି ପଦରେ ବସାଇବା ପାଇଁ ପ୍ରସ୍ତାବ ରାଜ୍ୟ ବିଜେପିକୁ ପଠାଇଥିଲେ। ଅନ୍ୟପଟେ ସାଂସଦ ମଧ୍ୟ ତାଙ୍କ ନିଜ ସହଯୋଗୀ ସୁଧୀର ପାଟଯୋଶୀଙ୍କ ନାମକୁ ଜିଲ୍ଲା ସଭାପତି ପଦ ପାଇଁ ପ୍ରସ୍ତାବ ପଠାଇଥିଲେ। ଫଳରେ ଜିଲ୍ଲା ସଭାପତି ନିଯୁକ୍ତି ନେଇ ଦୀର୍ଘ ୧ବର୍ଷ କାଳ ନିଷ୍ପତ୍ତି ଝୁଲି ରହିବାପରେ ଆଇନଜୀବୀ ଦେବେନ୍ଦ୍ର ମହାନ୍ତିଙ୍କୁ ଦଳ ପକ୍ଷରୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏବେ ପ୍ରଦୀପ୍ତ ତାଙ୍କ ନିଜ ଭଉଣୀ ନିରୁପମା ନାଏକଙ୍କୁ ବିଜେପି ମହିଳା ଶାଖା ଜିଲ୍ଲା ସଭାପତି ଭାବେ ନିଯୁକ୍ତି କରିବା ପାଇଁ ନାମ ସୁପାରିସ କରିଛନ୍ତି। ସାଂସଦ ବସନ୍ତ ପଣ୍ଡା ମଧ୍ୟ ନିଜର ସମ୍ପର୍କୀୟ ଦୀପଜ୍ୟୋତି ମୁଣ୍ଡ ଓ ହିମାଂଶୁ ପଣ୍ଡାଙ୍କୁ ରାଜ୍ୟ ବିଜେପି ଯୁବ ଶାଖା ସମ୍ପାଦକ ଓ ମେକଇନ୍ ଇଣ୍ଡିଆର ରାଜ୍ୟ ସଂଯୋଜକ ନିଯୁକ୍ତି କରାଇଛନ୍ତି।
ଗତ ୧୪ ତାରିଖ ଦିନ ବସନ୍ତ ବାବୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱରରେ ରହି ଏହି କାର୍ଯ୍ୟକ୍ରମକୁ ବର୍ଜନ କରିବା ସହ ସାମ୍ବାଦିକ ସମ୍ମିଳନୀ ଡାକି କଡ଼ା ଭାଷାରେ ସମାଲୋଚନା କରିବା ଘଟଣା ତିକ୍ତ ସଂପର୍କକୁ ପ୍ରମାଣିତ କରୁଛି ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି।
The post ଉଷ୍ମ ହେଉଛି ଶୀତଳ ଯୁଦ୍ଧ, ଦ୍ୱନ୍ଦ୍ବରେ କର୍ମୀ : ବଢ଼ୁଛି ବସନ୍ତ-ପ୍ରଦୀପ୍ତ ଫାଟ first appeared on Sambad.
from ରାଜ୍ୟ – Sambad https://ift.tt/3a4moCk
0 Comments