ରାଉରକେଲାରେ ରାଜ୍ୟର ଉଚ୍ଚତମ ପତାକା ସ୍ତମ୍ଭ : ୨୩୦ ଫୁଟ୍ ଉଚ୍ଚରେ ଉଡ଼ିବ ତ୍ରିରଙ୍ଗା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ସହରରେ ସ୍ଥାପନ କରାଯାଉଛି ଓଡ଼ିଶାର ଉଚ୍ଚତମ ପତାକା ସ୍ତମ୍ଭ। ସେକ୍ଟର-୬ ଟେଲିଫୋନ୍ ଭବନ ଓ ଭଞ୍ଜ କଳାମଣ୍ଡପ ନିକଟରେ ତିଆରି ହେଉଥିବା ଏହି ପତାକା ସ୍ତମ୍ଭର ଉଚ୍ଚତା ୭୦ ମିଟର ବା ପ୍ରାୟ ୨୩୦ ଫୁଟ୍। ସେଥିରେ ଉଡ଼ିବ ଜାତୀୟ ପତାକା। ସ୍ତମ୍ଭ ସ୍ଥାପନ ହୋଇ ସାରିଥିଲେ ମଧ୍ୟ ତା’ ଚାରିପାଖରେ ନିର୍ମାଣାଧିନ ପାର୍କର କାମ ଶେଷ ହୋଇ ନଥିବାରୁ ଏହାର ଉଦ୍‌ଘାଟନ ତାରିଖ ଆର୍‌ଏସ୍‌ପି ପକ୍ଷରୁ ଘୋଷଣା କରାଯାଇନାହିଁ। ଚଳିତମାସ ୨୬ ତାରିଖ ଗଣତନ୍ତ୍ର ଦିବସରେ ଏହାକୁ ଉଦ୍‌ଘାଟନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, କଟକ ହାଇକୋର୍ଟ ପରିସରରେ ଥିବା ୨୧୫ ଫୁଟ୍ ଊଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ଓଡ଼ିଶାର ଉଚ୍ଚତମ ପତାକା ସ୍ତମ୍ଭର ମାନ୍ୟତା ପାଉଛି। ତା’ ପଛକୁ ଅନୁଗୁଳରେ ରହିଛି ନବୀନ ଜିନ୍ଦଲଙ୍କ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଦ୍ବାରା ସ୍ଥାପିତ ୨୦୭ ଫୁଟ୍ ଉଚ୍ଚର ପତାକା ସ୍ତମ୍ଭ। ଏହି ସଂସ୍ଥା ଦ୍ବାରା ବଡ଼ବିଲ, ଭୁବନେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲାର ବଣାଇଁଠାରେ ମଧ୍ୟ ୧୦୦ ଫୁଟ୍ ଉଚ୍ଚର ଆଉ ୩ଟି ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ପୂର୍ବରୁ ରାଉରକେଲା ମ୍ୟୁନିସପାଲଟି ପକ୍ଷରୁ ହନୁମାନ ବାଟିକା ଛକ ନିକଟରେ ସ୍ଥାପିତ ପତାକା ସ୍ତମ୍ଭର ଉଚ୍ଚତା ହେଉଛି ୯୮.୫ ଫୁଟ୍।

The post ରାଉରକେଲାରେ ରାଜ୍ୟର ଉଚ୍ଚତମ ପତାକା ସ୍ତମ୍ଭ : ୨୩୦ ଫୁଟ୍ ଉଚ୍ଚରେ ଉଡ଼ିବ ତ୍ରିରଙ୍ଗା first appeared on Sambad.



from ରାଜ୍ୟ – Sambad https://ift.tt/2Y4FIdk

Post a Comment

0 Comments