ନୀଳାଚଳର ୪ହଜାର କର୍ମଚାରୀଙ୍କୁ ମିଳିବ ପ୍ରାପ୍ୟ: ୫ଲକ୍ଷ ଟନ୍ ଲୁହାପଥର ବିକ୍ରି କରି ଦିଆଯିବ ଅର୍ଥ

ଯାଜପୁର: ନୀଳାଚଳ ଇସ୍ପାତ କାରଖାନାର ସ୍ଥାୟୀ ଓ ଅସ୍ଥାୟୀ ଭାବେ କାମ କରିଥିବା ୪ହଜାର କର୍ମଚାରୀ ୯ମାସ ହେଲା ଦରମା ପାଇ ନାହାନ୍ତି। ମାର୍ଚ୍ଚ ମାସରୁ ବିନା ଦରମାରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଗଚ୍ଛିତ ଥିବା ଲୁହାପଥର ମଧ୍ୟରୁ ୫ ଲକ୍ଷ ଟନ୍‌ ବିକ୍ରି କରି କର୍ମଚାରୀଙ୍କୁ ଦରମା ବାବଦ ଅର୍ଥ ପଇଠ କରିବାକୁ ସ୍ଥିର କରାଯାଇଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଗତକାଲି ଏ ନେଇ ଚିଠି କରିଛି। ଏହି ନିର୍ଦ୍ଦେଶନାମା ‌ ମିଳିବା ପରେ ହଜାର ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ଆଶ୍ବସ୍ତି ପ୍ରକାଶ ପାଇଛି। କର୍ମଚାରୀଙ୍କ ଦରମା ପାଇଁ ହୋଇଥିବା ଏହି ବ୍ୟବସ୍ଥା ଏକ ବର୍ଷ ଅବା ନୀଳାଚଳରୁ ପୁଞ୍ଜି ପ୍ରତ୍ୟାହର କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ସୂଚନା ଯୋଗ୍ୟ କଳିଙ୍ଗନଗରସ୍ଥିତ ନୀଳଚଳ କାରଖାନାରେ ତାଲା ପଡ଼ିବା ଫଳରେ ହଜାର ହଜାର କର୍ମଚାରୀ ଜୀବିକା ହରାଇ ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି। ଗତ ନଭେମ୍ବର ୧୦ତାରିଖରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁସ ଗୋଏଲ ଓ ଖଣି ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଓଏମସି, ଇପିକଲ୍, ଏନଏମଡ଼ିସିର ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ଏହି ବୈଠକରେ କର୍ମଚାରୀଙ୍କ ଦରମା ପ୍ରଦାନରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାକୁ ଅନୁଧ୍ୟାନ କରି ନୀଳାଚଳ ଇସ୍ପାତ ନାମରେ ଥିବା ଖଣି ଉତ୍ପାଦନର ୨୫ଭାଗ ଅର୍ଥାତ ୫ଲକ୍ଷ ଟନ୍ ଲୁହାପଥର ବିକ୍ରି କରି କମ୍ପାନିର କର୍ମଚାରୀଙ୍କୁ ଦରମା ପ୍ରଦାନ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂପୃ୍କ୍ତ ବିଭାଗର ଅଧିକାରୀମାନଙ୍କୁ ଖଣି ବିଭାଗର ଯୁଗ୍ମ ସଚିବ ଡ. ଭେଣା କୁମାରୀ ‌ଦେରମାଲ ଜଣାଇଛନ୍ତି।

The post ନୀଳାଚଳର ୪ହଜାର କର୍ମଚାରୀଙ୍କୁ ମିଳିବ ପ୍ରାପ୍ୟ: ୫ଲକ୍ଷ ଟନ୍ ଲୁହାପଥର ବିକ୍ରି କରି ଦିଆଯିବ ଅର୍ଥ first appeared on Sambad.



from ରାଜ୍ୟ – Sambad https://ift.tt/3s3IQDI

Post a Comment

0 Comments