
ଭୁବନେଶ୍ବର : ସ୍କୁଲ ପିଲାଙ୍କୁ ଦିଆଯିବ ହାପିନେସ୍ କିଟ୍। ଯେଉଁଥିରେ ରହିଛି ପୁଷ୍ଟିକର ଖାଦ୍ୟ। ଏହି କିଟ୍ରେ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ ସହ ପେନ୍, ପେନ୍ସିଲ୍, ନୋଟ୍ ପ୍ୟାଡ୍, ସାନିଟାରି ନାପକିନ୍, ଟୁଥ୍ ପେଷ୍ଟ, ଆୟୋଡିନ ଯୁକ୍ତ ଲୁଣ ଓ ସାବୁନ ଆଦି ରହିବ। ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ପକ୍ଷରୁ ଖୋର୍ଧା ସମେତ କଟକ, ପୁରୀ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ବଣ୍ଟନ କରାଯିବ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ଦେବାକୁ ନିଷ୍ପତ୍ତି ହୋଇଛି। ଏବେ ସୁଦ୍ଧା ବେଙ୍ଗାଲୁରୁ, ହାଇଦ୍ରାବାଦ, ଥାନେ, ଜୟପୁର, ଲକ୍ଷ୍ନୌ, ଗୌହାଟୀ, ମାଙ୍ଗାଲୋର, ପୁନେ, ସୁରଟ, ଝାଲୱାର, ଯୋଧପୁର, ଭାଇଜାଗ୍ ସହରର ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ବଣ୍ଟନ ସରିଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁଯାୟୀ, ହାପିନେସ୍ କିଟ୍ ବଣ୍ଟନ ଦ୍ବାରା ଉକ୍ତ ୫ଟି ଜିଲ୍ଲାର ୧୯୧୬ ସ୍କୁଲର ୧ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ଗୋଟିଏ ଥର ଲାଗି ଏହି କିଟ୍ ଦିଆଯିବ। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଉପଯୋଗୀ ବିଭିନ୍ନ ସାମଗ୍ରୀ ରହିଛି। ସଂସ୍ଥା ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ଏହି କିଟ୍ ବଣ୍ଟନ ସରିଛି। ଫାଉଣ୍ଡେସନ୍ ପକ୍ଷରୁ ଫେବ୍ରୁଆରି ପହିଲାରୁ ଏହି କିଟ୍ ବଣ୍ଟନ ହେବ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ମଧ୍ୟାହ୍ନ ଭୋଜନ ଯୋଜନାରେ ଏବେ ଦେଶର ୯ଟି ରାଜ୍ୟର ୨୦ଟି ସ୍ଥାନରେ ୧.୬ ନିୟୁତ ପିଲାଙ୍କ ନିକଟରେ ଖାଦ୍ୟ ପହଞ୍ଚାଇ ପାରିଛି। ଏହି ଅନୁଷ୍ଠାନ ୧୦ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ଖାଦ୍ୟ ପ୍ରଦାନ କରୁଛି। ଏହାବ୍ୟତୀତ ଅଙ୍ଗନବାଡ଼ିରେ ଖାଦ୍ୟ ପ୍ରଦାନ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଖାଦ୍ୟ ଯୋଗାଣ, ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକରେ ଖାଦ୍ୟ ଯୋଗାଣ, ଆର୍ଥିକ ଅନଗ୍ରସରଙ୍କ ପାଇଁ ରିହାତି ମୂଲ୍ୟରେ ମଧ୍ୟାହ୍ନ ଭୋଜନ, ଘର ଛାଡ଼ି ଚାଲି ଯାଇଥିବା ଶିଶୁଙ୍କ ପାଇଁ ଖାଦ୍ୟ ପ୍ରଦାନ ଆଦି ସମାଜସେବାମୂଳକ କାର୍ଯ୍ୟ କରୁଛି।
The post ପିଲାଙ୍କ ପାଇଁ ହାପିନେସ୍ କିଟ୍, ୫ ଜିଲ୍ଲାର ୧ ଲକ୍ଷ ୮୩ ହଜାର ପିଲାଙ୍କୁ ଦିଆଯିବ first appeared on Sambad.
from ରାଜ୍ୟ – Sambad https://ift.tt/3pFXqQo
0 Comments