
କଟକ/ମାହାଙ୍ଗା : ମାହାଙ୍ଗା ଡବଲ୍ ମର୍ଡର୍ ଘଟଣାକୁ ୧୬ ଦିନ ବିତିଛି। କିନ୍ତୁ, ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳ ଧରାନପଡ଼ିବା ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଧରିବା ପାଇଁ ପୁଲିସ୍ ଯେ ଉଦ୍ୟମ କରୁନାହିଁ, ତାହାନୁହେଁ। ଦିନରାତି ଚଢ଼ଉ କରୁଥିଲେ ବି ପ୍ରଫୁଲ୍ଲକୁ ଧରିବା ପାଇଁ ସକ୍ଷମ ହୋଇନାହିଁ। ପ୍ରଫୁଲ୍ଲ ମାହାଙ୍ଗାର ଅନ୍ୟତମ ଚର୍ଚ୍ଚିତ ବିକାଶ ଯେନା ହତ୍ୟାକାଣ୍ଡଠାରୁ ଫେରାର୍ ରହିଛି। ଅନ୍ୟପକ୍ଷରେ, ଦଶଦିନ ମଧ୍ୟରେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ପୁଲିସ୍ ଡିଜି ଦେଇଥିବା କଣ୍ଟ ପୂରଣ ହେବାକୁ ବସିଛି। ବିଜେପି ପକ୍ଷରୁ ବିକ୍ଷୋଭ ସମୟରେ ଡିଜି ଏହି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ବିଜେପି ପୁଣିଥରେ ଡିଜିଙ୍କୁ ଭେଟିବାକୁ ଯୋଜନା କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ଏକ ବାଇକରେ ଫେରୁଥିବା ବେଳେ ଯଁକୋଟିଠାରେ ଉଭୟଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୃତ କୁଳମଣିଙ୍କ ପୁଅ ତଥା ନୁର୍ତ୍ତାଙ୍ଗ ସମିତିସଭ୍ୟ ରମାକାନ୍ତ ବରାଳଙ୍କ ପକ୍ଷରୁ ୧୪ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ୨୦୧୮ରେ ଘଟିତ ବିକାଶ ଯେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥାଇ ଫେରାର ଥିବା ପ୍ରଫୁଲ୍ଲ ବିଶ୍ବାଳକୁ ସେ ଏହି ଘଟଣାରେ ବି ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲେ। ପ୍ରଫୁଲ୍ଲ ଓ ଭିକାରି ସ୍ବାଇଁଙ୍କ ଗିରଫ ପାଇଁ ବିଜେପି ସବୁଠୁ ଅଧିକ ଦାବି କରି ଆସୁଥିଲା। ପୁଲିସର ଦୁଇଟି ଟିମ୍ ଚଢ଼ାଉ କରି ଭିକାରିଙ୍କୁ ଗିରଫ କରିଥିବାବେଳେ ପ୍ରଫୁଲ୍ଲକୁ ଏପର୍ଯ୍ୟନ୍ତ ଧରିପାରୁନି ପୁଲିସ। ପୂର୍ବରୁ ପୁଲିସ ପଞ୍ଚାନନ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିବାବେଳେ ଏଯାଏ ସହଯୋଗୀ ଭାବେ ତାର ଭାଇ ଚୈତନ୍ୟ ସେଠୀ, ନୁର୍ତ୍ତାଙ୍ଗ ଗ୍ରାମର କ୍ଷୀତୀଶ ଆଚାର୍ଯ୍ୟ(୪୫), ଅବସରପ୍ରାପ୍ତ ଯନ୍ତ୍ରୀ ଲଳିତ ମୋହନ ବରାଳ(୭୫), ଗୋଟିଏ ପରିବାରର କୈଳାସ ଖଟୁଆ, ଦାଦା ଉମେଶ ଖଟୁଆ ଓ ପୁତୁରା ଅରୁ ଓରଫ୍ ଅରବିନ୍ଦ ଖଟୁଆଙ୍କୁ ଗିରଫ କରି ଜେଲ ପଠାଇଛି। ଅନ୍ୟପଟେ ଦଶାହ ଦିନ ରମାକାନ୍ତଙ୍କ ପରିବାରକୁ ଧମକପୂର୍ଣ୍ଣ ବେନାମୀ ଚିଠି ଆସିଥିବାରୁ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେଉଁଠୁ ଓ କିଏ ସେ ଚିଠି ପଠାଇଛି ସେ ସଂପର୍କରେ କୌଣସି ତଥ୍ୟ ପ୍ରମାଣ ପୁଲିସ ହାତରେ ଲାଗିପାରି ନ ଥିବା ଜଣାପଡିଛି।
The post ମାହାଙ୍ଗା ଡବଲ ମର୍ଡର ଘଟଣାକୁ ୧୬ଦିନ ବିତିଲା : ପ୍ରଫୁଲ୍ଲ ବିଶ୍ବାଳ ଏବେ ବି ଫେରାର୍, ଚିନ୍ତାରେ ପୁଲିସ first appeared on Sambad.
from ରାଜ୍ୟ – Sambad https://ift.tt/2M0Tvi0
0 Comments