ବଜାରରେ ନକଲି ପାଣି ବୋତଲ : ବ୍ରହ୍ମପୁରରୁ ସାରା ଓଡ଼ିଶା ଯାଉଥିଲା

ବ୍ରହ୍ମପୁର : ବ୍ରହ୍ମପୁର ନକଲି ବଜାରର ସାମ୍ରାଜ୍ୟ ପାଲଟି ଯାଇଛି। କେବଳ ଭେଜାଲ୍‌ ନୁହେଁ, ବିଭିନ୍ନ ନାମକରା କମ୍ପାନି ପ୍ରସ୍ତୁତ ସାମଗ୍ରୀର ଅବିକଳ ନକଲ ହେଉଛି। ଲକ୍ଷାଧିକ ଟଙ୍କାର ମେସିନ୍‌, ବୈଷୟିକ କୌଶଳ ଆପଣାଇ ଇଂଜିନ୍‌ ଅଏଲ୍‌ ଠାରୁ ଆରମ୍ଭ କରି ବ୍ରାଣ୍ଡେଡ଼୍‌ କମ୍ପାନି ଲେବୁଲ୍‌ ଥିବା ଭେଜାଲ୍‌ ହଳଦୀ, ଲଙ୍କାଗୁଣ୍ଡ, ନକଲି ସସ୍‌, ଗୁଟ୍‌ଖା ଫ୍ୟାକ୍ଟ୍ରି ପରେ ଏବେ ନକଲି ପାଣି ବୋତଲ୍‌ ପ୍ରସ୍ତୁତ କରୁଥିବା ବିଶାଳ ଫ୍ୟାକ୍ଟ୍ରି ଠାବ ହୋଇଛି। ବଡ଼ବଜାର ଥାନା ଅଧୀନ ହରିଡ଼ାଖଣ୍ଡି ଲକ୍ଷ୍ମୀବିହାର ଦ୍ବିତୀୟ ଲାଇନ୍‌ ସ୍ଥିତ ଏକ କୋଠାରେ ଚାଲିଥିବା ବଟଲିଂ ୟୁନିଟ୍‌ ଉପରେ ଚଢ଼ଉ କରିଛି ପୁଲିସ। ସେଠାରୁ ବିପୁଳ ପରିମାଣର ପାଣି ବୋତଲ ଜବତ ହୋଇଛି। ବଟଲିଂ ମେସିନ୍‌, ତିନିଟି ନାମୀ କମ୍ପାନୀର ଲେବଲ୍‌, ପାଣି ଡ୍ରମ୍‌ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏ ସଂକ୍ରାନ୍ତରେ ଏସ୍‌. ରାକେଶ ପାତ୍ର ନାମକ ଜଣେ ବ୍ୟବସାୟୀଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

ଲକ୍ଷ୍ମୀନଗରରେ ନକଲି ପାଣି ବଟଲିଂ ୟୁନିଟ୍‌ ଚାଲିଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେହି ଘରେ ବେଆଇନ ଭାବେ ପାଣି ବୋତଲ ପ୍ରସ୍ତୁତ କରା ଯାଉଥିବା ଦେଖିବାକୁ ମିଳିଥିଲା। ଏହି ୟୁନିଟ୍‌ର କୌଣସି ଲାଇସେନ୍ସ ନ ଥିବାବେଳେ ତାହା ବେଆଇନ ବୋଲି ପୁଲିସ କହିଛି। କିଛି ଶ୍ରମିକଙ୍କୁ ସେଠାରେ ନିୟୋଜିତ କରି ପାଣି ବୋତଲ ପ୍ରସ୍ତୁତ ହେଉଥିଲା। ବଜାରରୁ ଖାଲି ବୋତଲ ସଂଗ୍ରହ କରି ଅଣା ଯାଉଥିଲା। ସେଥିରେ ପାଣି ଭର୍ତ୍ତି କରାଯିବା ପରେ ୩ଟି ନାମକରା କମ୍ପାନିର ଷ୍ଟିକର୍‌ ଲଗାଇ ତାହା ମାତ୍ର ୧୦ଟଙ୍କାରେ ବଜାରକୁ ଛଡ଼ାଯାଉଥିଲା। ବ୍ରହ୍ମପୁର ସହର ସମେତ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳକୁ ଏହି ପାଣି ବୋତଲ ରପ୍ତାନି ହେଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଏ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ୩ଟି କମ୍ପାନିର ଷ୍ଟିକର୍‌ ଓ ବସ୍ତା ବସ୍ତା ଖାଲି ବୋତଲ ଜବତ ହୋଇଛି। ଏ ନେଇ କେସ୍ ନମ୍ବର ୨୦/୨୧ରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ କହିଛି।

The post ବଜାରରେ ନକଲି ପାଣି ବୋତଲ : ବ୍ରହ୍ମପୁରରୁ ସାରା ଓଡ଼ିଶା ଯାଉଥିଲା first appeared on Sambad.



from ରାଜ୍ୟ – Sambad https://ift.tt/2MlVyxz

Post a Comment

0 Comments