ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି

ଭୁବନେଶ୍ବର : ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବ। ଆସନ୍ତାକାଲି ସକାଳୁ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ୨୦ ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ‌ଓ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ରାଜ୍ୟକୁ ପୂର୍ବା ଆର୍ଦ୍ର ପବନ ପ୍ରବାହ ବୃଦ୍ଧି ପାଇବାକୁ ଥିବାରୁ ରାଜ୍ୟର ତାପମାତ୍ରା ବଢ଼ିବ ଓ ଶୀତ କମିବ। କିନ୍ତୁ ଦୁଇ ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖାଯିବ। ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହୋଇଯିବ। ଫଳରେ ପୁଣି ଶୀତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ରାଜ୍ୟର କିଛି କିଛି ଅଞ୍ଚଳରେ ଦେଖାଯାଇଥିବା ବେ‌ଳେ କେତେକ ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ପଡ଼ିଥିଲା। ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲା ଓ ଉତ୍ତର ଓଡ଼ିଶାର ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଥିଲା। ରାଜ୍ୟର କିଛି କିଛି ଅଞ୍ଚଳର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ବୃଦ୍ଧି ବି ଘଟିଛି। ମୋଟ୍‌ ଉପରେ କହିବାକୁ ଗଲେ, ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏବେ ବୃଦ୍ଧି ପାଇଛି।

ରାଜ୍ୟର ୮ଟି ସ୍ଥାନର ତାପମାତ୍ରା ୧୨ଡିଗ୍ରି ତଳେ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରି‌ ରେକର୍ଡ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୧୮ ଡିଗ୍ରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରି ତଳେ ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।

The post ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି first appeared on Sambad.



from ରାଜ୍ୟ – Sambad https://ift.tt/35Vryzg

Post a Comment

0 Comments