
ପୁରୀ : ବିବାଦରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତସଭା। କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ରଙ୍କ ନାଁରେ ଆସିଛି ଆର୍ଥିକ ଅନିୟମିତତାର ସାଂଘାତିକ ଅଭିଯୋଗ। ଅନ୍ୟ କେହି ନୁହଁନ୍ତି, ମୁଣ୍ଡିମଣ୍ଡପ ପଣ୍ଡିତସଭାର ସଦସ୍ୟ ସୂର୍ଯ୍ୟନାରାୟଣ ରଥ ଆଜି ଏହି ଅଭିଯୋଗ ଆଣିଛନ୍ତି। ଏ ସଂପର୍କରେ ଶ୍ରୀ ରଥ ସିଂହଦ୍ବାର ଥାନାରେ ବି ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀ ରଥ ଅଭିଯୋଗ କରିଛନ୍ତି କି ୨୦୨୦ ଏପ୍ରିଲ ୩୦ରୁ ମୁକ୍ତିମଣ୍ଡପ ପଣ୍ଡିତସଭାର ନିର୍ବାଚିତ କର୍ମଚାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଗଲାଣି। ଏ ଭିତରେ ପଣ୍ଡିତସଭାର ସ୍ଥାୟୀ ସଭାପତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛନ୍ତି। କିନ୍ତୁ କରୋନା ମହାମାରୀ କାରଣରୁ ନିର୍ବାଚନ ହୋଇପାରିନି। ଏଭଳି ପରିସ୍ଥିତିରେ ସ୍ଥାୟୀ ସଭାପତିଙ୍କ ଅନୁମତି ନ ନେଇ କାର୍ଯ୍ୟକାରୀ ସଭାପତି ଓ ସଂପାଦକ ପୁରୁଣା ଦାୟିତ୍ବ ତୁଲାଉଛନ୍ତି। ଯାହା ଆଇନ ବିରୋଧୀ।
ନିୟମାବଳୀ ଅନୁଯାୟୀ, ପଣ୍ଡିତସଭାର ପ୍ରତ୍ୟେକ ଆର୍ଥିକ କାରବାର ଓ ପ୍ରତାଳାପ ପାଇଁ ସଂପାଦକ ହିଁ ଅଧିକୃତ। ମାତ୍ର କାମଚଳା କାର୍ଯ୍ୟକାରୀ ସଭାପତି ଗତ ଷୋହଳଶାସନ ଅମୃତମଣୋହୀ ଭୋଗ ପାଇଁ ଶତାଧିକ ବ୍ୟକ୍ତିଙ୍କ ପାଖକୁ ନିଜ ଦସ୍ତଖତ ଥାଇ ଏକ ପତ୍ରାଳାପ କରିଛନ୍ତି। ଯେଉଁଥିରେ ଫୋନ୍ ନମ୍ବର, ଘର ଠିକଣା ଦେଇ ଦାନ ପାଇଁ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିପାଇଁ ସ୍ଥାୟୀ ସଭାପତିଙ୍କ ଅନୁମୋଦନ ଆବଶ୍ୟକ ଥିବାବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ମିଶ୍ର ବିନା ଅନୁମୋଦନରେ ଏହି ଚିଠି ପ୍ରେରଣ କରିଛନ୍ତି। ସଂପାଦକ ବି ଏହାକୁ ଏଡ଼ାଇ ଯାଇଛନ୍ତି ବୋଲି ସେ କହିଛନ୍ତି। ଆଜି ପର୍ଯ୍ୟନ୍ତ ପଣ୍ଡିତସଭାର କୌଣସି ବୈଠକ ବି କରାଯାଇନି। ପଣ୍ଡିତସଭାର ନିଜସ୍ବ ସଂଚୟ ଜମା ଖାତାର ସୂଚନା ବା ସେଥିରେ ଅର୍ଥ ଜମା ପାଇଁ ଜଣାଇ ନଥିବାରୁ ଶ୍ରୀ ମିଶ୍ର କେତେ ଟଙ୍କା ପ୍ରକୃତରେ ଦାନ ଭାବେ ପାଇଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ। ଏଥିପାଇଁ ଆସିଥିବା ମନି ଅର୍ଡର, ଶ୍ରୀ ମିଶ୍ରଙ୍କ ବ୍ୟକ୍ତିଗତ ଜମାଖାତାକୁ ତଦନ୍ତ ପରିସରଭୁକ୍ତ କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଶ୍ରୀ ରଥ କହିଛନ୍ତି। ଅନ୍ୟପଟେ କରୋନା କଟକଣା ସମୟରେ ଶ୍ରୀ ମିଶ୍ର ପଣ୍ଡିତସଭା ସହ ସଂପୃକ୍ତ ବ୍ରାହ୍ମଣ ଶାସନକୁ ମହାପ୍ରସାଦ ପଠାଇ ଓ ସ୍ଥାନୀୟ ଡୁଡୁୱାଲା ଧର୍ମଶାଳାରେ ଶତାଧିକ ଲୋକଙ୍କୁ ଏକତ୍ର ଭୋଜନ କରାଇଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି କି ମୃତକଙ୍କ ଶ୍ରାଦ୍ଧ ଦିବସରେ ବ୍ରାହ୍ମଣ ଭୋଜନ ପାଇଁ ମୃତକଙ୍କ ଆତ୍ମୀୟସ୍ବଜନଙ୍କ ଦ୍ବାରା ପଣ୍ଡିତସଭାର ସ୍ଥାୟୀ ଜମାଖାତାରେ ଅର୍ଥ ପ୍ରାୟ ୧ କୋଟି ଟଙ୍କା ଜମା ରହିଛି। କିନ୍ତୁ ଶ୍ରାଦ୍ଧ କାର୍ଯ୍ୟ ନିର୍ଦ୍ଧିଷ୍ଟ ଦିନରେ କରାଯାଉନି। ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ରଥ ଦାବି କରିଛନ୍ତି।
ଅପରପକ୍ଷେ କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର କହିଛନ୍ତି ଯେ ଯାହା ବି ଅଭିଯୋଗ ତାଙ୍କ ନାମରେ କରାଯାଇଛି, ସେଥିରେ କୌଣସି ସତ୍ୟତା ନାହିଁ। ଏଭଳି ବିଭ୍ରାନ୍ତିକର ଅଭିଯୋଗକୁ ସେ ନିନ୍ଦା କରିବା ସହ ଷୋହଳ ଶାସନରୁ ଆଦାୟ ହୋଇଥିବା ଟଙ୍କା ଶ୍ରୀମନ୍ଦିର ଇକୋ ବ୍ୟାଙ୍କ୍ ଶାଖାରେ ଜମା ରହିଛି। ଅଡିଟ୍ ହେଲେ, ସେ ସମସ୍ତ ତଥ୍ୟ ଉପସ୍ଥାପନ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
The post ବିବାଦରେ ମୁକ୍ତିମଣ୍ଡପ ପଣ୍ଡିତସଭା first appeared on Sambad.
from ରାଜ୍ୟ – Sambad https://ift.tt/3aiJEg9
0 Comments