ଶିକ୍ଷିତ ଚାଷୀ ପୂଜା : ଝିଅ ହେଇ ବି କ୍ଷେତରେ ଫଳାଇଛନ୍ତି ସୁନାର ଫସଲ

ଇନ୍ଦୁପୁର,(ଚନ୍ଦନ ସାହୁ): ସିଏ ଜଣେ ଯୁବତୀ। ଉଚ୍ଚ ଶିକ୍ଷିତ ବି। କିନ୍ତୁ କାମରେ ସେ ଯେକୌଣସି କର୍ମଠ ଯୁବକଙ୍କୁ ଟିପିଯିବେ। କେବଳ ପୁରୁଷ ଲୋକ ଯେ ଘରର ତେଲ-ଲୁଣ ଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ହାଡ଼ଭଂଗା ପରିଶ୍ରମ କରି ସୁନାର ଫସଲ ଫଳାଇ ପାରନ୍ତି, ଏ କଥାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍ ଧୂମାତ ଗ୍ରାମର ଦେବସ୍ମିତା ଜେନା ଓରଫ୍ ପୂଜା ା ବୟସ ୨୪ ା ଗାଁର ଶିବରାମ ଜେନା ଓ ପ୍ରମିଳା ଜେନାଙ୍କ ତିନି ଝିଅ ମଧ୍ୟରୁ ମଝିଆ ହେଉଛନ୍ତି ପୂଜା। କିନ୍ତୁ ତାଙ୍କ ସଂଘର୍ଷମୟ ସଫଳତାର କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଯୁକ୍ତ ତିନି ପାସ୍ କରିବା ପରେ ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ସେ ନିଜକୁ ଜଣେ ସଫଳ ଚାଷୀ ରୂପେ ଗଢ଼ି ତୋଳିଛନ୍ତି। ଝିଅ ହେଇ ବି କ୍ଷେତରେ ପନିପରିବା ଲଗାଇବାଠୁ ହା‌ଟରେ ବିକ୍ରି କରିବା ଯାଏ, ସବୁଥିରେ ସେ ମାହିର୍‌। ପାଞ୍ଚରୁ ଛଅ ଏକର ଜମିରେ ନିଜେ ପନିପରିବା ଫସଲ କରି ପରିବାରର ଆର୍ଥିକ ଅବସ୍ଥା ସମ୍ଭାଳିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ପୂଜା ା

ପୁଅ ନ ଥିଲା ବୋଲି ବାପା ଶିବରାମ ଓ ମା’ ପ୍ରମିଳାଙ୍କ ମନରେ ଅ‌ବସୋସ ଥିଲା ା କିନ୍ତୁ ସେ ଅବସୋସକୁ ଦୂର କରିଦେଇଛନ୍ତି ମଝିଆ ଝିଅ ପୂଜା ା ଝିଅ ଯେ ପୁଅଠାରୁ କୌଣସି ଗୁଣରେ କମ୍ ନୁହନ୍ତି, ଏ କଥାକୁ ଯଥାର୍ଥରେ ସେ ପ୍ରତିପାଦିତ କରି ଦେଖାଇଛନ୍ତି। ଚାଷୀ ପରିବାର ହେଇଥିବାରୁ ପିଲାଟି ବେଳୁ ବାପାଙ୍କୁ ଚାଷକାମରେ ସାହାଯ୍ୟ କରୁଥିଲେ। କିନ୍ତୁ ଏ ସାହାଯ୍ୟ, ସହଯୋଗ ଭିତରେ ସେ ଏବେ ବାପାଙ୍କ ଆଶାବାଡ଼ି ପାଲଟି ଯାଇଛନ୍ତି। ଇନ୍ଦୁପୁର ବିରୂପା ମହାବିଦ୍ୟାଳୟରୁ କଳାରେ ଯୁକ୍ତ ତିନି ପାସ୍‌ କରିବା ପରେ ସେ ଚାକିରି ନ କରି ସ୍ବାବଲମ୍ବୀ ହେବା ପାଇଁ ବାପାଙ୍କ ବୃତ୍ତି ଚାଷକୁ ଝିଅ ହେଇ ମଧ୍ୟ ଆପଣେଇ ନେଇଥିଲେ। ଫଳରେ ସେ ଏବେ ପାଖାପାଖି ୫ରୁ ୬ ଏକର ଜମିରେ ବାଇଗଣ, କଖାରୁ, ଝୁଡଙ୍ଗ, ଧନିଆ, ପୋଟଳ, କାକୁଡି, ଟମାଟର, ସୋରିଷ, ଆଖୁ, ମଟର ଛୁଇଁ, ବିନ୍‌ସ ଆଦି ଭଳିକି ଭଳି ଫସଲ କରିଛନ୍ତି। ନିଜେ କ୍ଷେତରେ ପରିଶ୍ରମ କରିବା ସହିତ ପରିବା ହାଟକୁ ଯାଇ ବିକ୍ରି କରନ୍ତି ା ଅନେକ ସମୟରେ ବେପାରୀ ବି ଆସି ନେଇଥାନ୍ତି ା ମା’ ପ୍ରମିଳା କୁହନ୍ତି, ମୋ ଝିଅ କୋଉ ପୁଅଠାରୁ କମ୍ ନୁହେଁ।  ପୁଅଠୁ ଅଧିକ ପରିଶ୍ରମୀ ଆଉ ସାହସୀ। ମୋର ସବୁ ସ୍ୱପ୍ନକୁ ସେ ପୂରା କରିଛି। ଆମେ କେବେ ବି ଅନୁଭବ କରିନୁ ଯେ ଆମର ପୁଅ ନାହିଁ।

ଅନ୍ୟପକ୍ଷରେ ପୂଜାଙ୍କ କହିବା କଥା ହେଉଛି, ଆଜିକା ଯୁଗରେ ପୁଅ ଯାହା କରିପାରିବ, ଝିଅ ବି ତାହା କରିପାରିବ। କୌଣସି କ୍ଷେତ୍ରରେ ବି ଝିଅମାନଙ୍କୁ କମ୍‌ ଆକଳନ କରିବା କଥା ନୁହେଁ। ଭାଇ ନ ଥିଲା ବୋଲି ବାପା, ମା’ଙ୍କର ବଡ଼ ଅବସୋସ ରହିଯାଇଥିଲା ା ମାତ୍ର ଭାଇ ଥିଲେ ଆଜି ଯାହା କରିଥାନ୍ତା, ତାହାଠୁ ମୁଁ କୋଉ ଗୁଣରେ ଯେ କମ୍ କାମ କରୁଛି? ଚାଷଠୁ ଭଲ କାମ ଆଉ ଦୁନିଆରେ କିଛି ନାହିଁ। ବର୍ଷଯାକ ପନିପରିବା ଫସଲ କରୁଥିବାରୁ ମାସକୁ ୮ରୁ ୧୦ହଜାର ରୋଜଗାର ହେଇପାରୁଛି ା କିନ୍ତୁ ପ୍ରଶାସନ ଯଦି ଚାଷ ପାଇଁ ମୋତେ ପାୱାରଟିଲର୍‌ ଯୋଗାଇ ଦିଅନ୍ତା, ତେବେ କାମ ଆଉ ଟିକେ ସହଜ ହେଇଯାନ୍ତା ବୋଲି ପୂଜା କହିଛନ୍ତି।

The post ଶିକ୍ଷିତ ଚାଷୀ ପୂଜା : ଝିଅ ହେଇ ବି କ୍ଷେତରେ ଫଳାଇଛନ୍ତି ସୁନାର ଫସଲ first appeared on Sambad.



from ରାଜ୍ୟ – Sambad https://ift.tt/38QLfdF

Post a Comment

0 Comments