ବଞ୍ଚି ଥାଉଥାଉ ଲୋମଶ ବାଳକ କାହ୍ନାଙ୍କ ଶୁଦ୍ଧିକ୍ରିୟା

ଭଞ୍ଜନଗର : କିଛିବର୍ଷ ତଳେ ଚର୍ଚ୍ଚାର ପରିସରକୁ ଆସିଥିବା ଲୋମଶ ଶିଶୁ କାହ୍ନା ଏବେ ଭିନ୍ନ କାରଣ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ବଂଚିଥାଉ ଥାଉ ବାପା କାହ୍ନାଙ୍କ ଶୁଦ୍ଧିକ୍ରିୟା କରିଛନ୍ତି। ତାହା ପୁଣି ଗ୍ରାମବାସୀଙ୍କ ଚାପରେ। ଗାଁ ଲୋକଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଥିବା ନିରୀହ ବାପା ଆଜି ପ୍ରଶାସନର ଦ୍ବାରସ୍ଥ ହେବା ପରେ ଏହା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟଗଣ୍ଡା ପଞ୍ଚାୟତ ବାଘୁଆ ଗ୍ରାମର ରାମଚନ୍ଦ୍ର ନାଇକଙ୍କ ବଡ଼ପୁଅ କାହ୍ନା। ଶରୀର ସାରା ଲୋମ ରହିଥିବା ଓ ଅର୍ଥାଭାବରୁ ତାଙ୍କର ଚିକିତ୍ସା ହୋଇପାରୁ ନଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ପ୍ରଥମେ ୪ ବର୍ଷ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ଏହ‌ାପରେ ପ୍ରଶାସନର ସହଯୋଗରେ କାହ୍ନାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଅସ୍ତ୍ରୋପଚାର କରି ଶରୀରରୁ ଲୋମ ବାହାର କରା ଯାଇଥିଲା। ଏଥିସହ ମୁହଁରୁ ଲୋମ ବାହାର କରାଯାଇଥିବା ସ୍ଥାନରେ ଜଂଘର ଚମଡ଼ା ଲଗାଗଲା। ଦୀର୍ଘ ମାସ ଧରି ଚିକିତ୍ସା ଓ ଅସ୍ତ୍ରୋପଚାର ସଫଳ ହେବା ପରେ ଔଷଧ ନେଇ କାହ୍ନା ଘରକୁ ଫେରିଥିଲେ। କିଛିଦିନ ଭଲରେ କଟିବା ପରେ ପୁଣି ତାଙ୍କ ଶରୀରରେ ବିଭିନ୍ନ ସମୟରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଲା। ଜ୍ବର ଆସିବା ସହ ଅସ୍ତ୍ରୋପଚାର କରାଯାଇଥିବା ଜାଗାରେ କୁଣ୍ଡାଇହେଲା। ଗତମାସରେ ଘା’‌ ହେବା ସହ ଏଥିରେ ପୋକ ଲାଗିବାରୁ ବାପା ରାମ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ପୁଣି କାହ୍ନା ସୁସ୍ଥ ହୋଇ ଗାଁକୁ ଫେରିଥିଲେ।

ହେ‌‌ଲେ କାହ୍ନା ଗାଁକୁ ଫେରିବା‌ ପରେ କାହା ସହ ମିଶିବା ପାଇଁ ତାକୁ ବାରଣ କରା ଯାଇଥିଲା। ପୁଅର ଘା’ ‌ପୋକ ହୋଇ ଯାଇଥିବାରୁ ତାର ଶୁଦ୍ଧି କଲେ ହିଁ ସମସ୍ତଙ୍କ ସହ ମିଶିବା ଲାଗି ଅନୁମତି ଦିଆଯିବ ବୋଲି ଗ୍ରାମବାସୀ ରୋକ୍‌ଠୋକ୍ ଶୁଣାଇଥିଲେ। ଏହାପରେ ଅନ୍ୟ ଉପାୟ ନପାଇ ବାପା ରାମ ଭାଗ୍ୟକୁ ଆଦରି ୧୧ଦିନ ଧରି ଶୁଦ୍ଧିକ୍ରିୟା ନିୟମ ପାଳନ କରିବା ସହ ପୁଅକୁ ଲଣ୍ଡା କରିଥିଲେ। ଏଥିସହ ରୀତିନୀତି ଅନୁଯାୟୀ ଭୋଜିର ଆୟୋଜନ କରିଥିବା କହିଛନ୍ତି। କାହ୍ନାଙ୍କୁ ଏବେ ୧୦ ବର୍ଷ। ଜୀବନମରଣ ସମସ୍ୟା‌ରେ ଏହି ନିଷ୍ପାପ ଶିଶୁ। ଘରର ଆର୍ଥିକ ସ୍ଥିତି ବି ଖରାପ । ପୁଅର ଚିକିତ୍ସା ପାଇଁ ବାରମ୍ବାର ସହାୟତା ପାଇଁ ନିବେଦନ କରି ଆସୁଛନ୍ତି ପରିବାର। ଏଭଳି ଘଡ଼ିସନ୍ଧି ସମୟରେ ଗ୍ରାମବାସୀ ନିଷ୍ପତ୍ତି ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଥିବା କହିଛନ୍ତି ରାମ।

The post ବଞ୍ଚି ଥାଉଥାଉ ଲୋମଶ ବାଳକ କାହ୍ନାଙ୍କ ଶୁଦ୍ଧିକ୍ରିୟା first appeared on Sambad.



from ରାଜ୍ୟ – Sambad https://ift.tt/2KNAGyF

Post a Comment

0 Comments