ମାର୍ଚ୍ଚ ୩୧ ସୁଦ୍ଧା ଦଶମ ପାଠପଢ଼ା ସାରିବାକୁ ଲକ୍ଷ୍ୟ, ଏପ୍ରିଲ ୫ରୁ ମାଟ୍ରିକ ପ୍ରି-ବୋର୍ଡ ପରୀକ୍ଷା

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏପ୍ରିଲ ୫ରେ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ଏପ୍ରିଲ ୫ରୁ ୧୦ ମଧ୍ୟରେ କରାଯିବ। ମେ’ ୩ରେ ହେବାକୁ ଯାଉଥିବା ବୋର୍ଡ ପରୀକ୍ଷାର ଅବିକଳ ପରୀକ୍ଷା ହେବ। ବୋର୍ଡ ପରୀକ୍ଷାକୁ ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀ ଏହି ପ୍ରି-ବୋର୍ଡ ପରୀକ୍ଷାରେ ଅବତୀର୍ଣ୍ଣ ହୋଇ ନିଜର ଭୟ ଦୂର କରିବା ସହ ପରୀକ୍ଷା ବ୍ୟବସ୍ଥା ସହ ନିଜକୁ ଅଭ୍ୟସ୍ତ କରାଇବାରେ ସହାୟକ ହେବେ। ଉକ୍ତ ପରୀକ୍ଷା ଫଳ ଏପ୍ରିଲ ୧୨ରେ ସମସ୍ତ ବିଦ୍ୟାଳୟରେ ପ୍ରକାଶିତ ହେବ। ପିଲାଙ୍କୁ ସେମାନଙ୍କ ପରୀକ୍ଷା ଉତ୍ତର ଖାତା ଓ ରଖିଥିବା ନମ୍ବର ସମ୍ପର୍କରେ ଅବଗତ କରାଯିବ। ଯେଉଁଥିରୁ ଛାତ୍ରଛାତ୍ରୀ ସେମାନଙ୍କ ରହି ଯାଉଥିବା ଦୁର୍ବଳତା ସମ୍ପର୍କରେ ଅବଗତ ହେବେ। ଶିକ୍ଷକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ଦୁର୍ବଳତାକୁ ଚିହ୍ନଟ କରି ଅପ୍ରେଲ୍ ୧୩ରୁ ୩୦ ମଧ୍ୟରେ ତାହାକୁ ସଂଶୋଧନ କରିବାକୁ ଚେଷ୍ଟା କରିବେ। ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱତନ୍ତ୍ର ନଜର ଦେବା ସହିତ ଭଲ ପିଲାମାନଙ୍କ କ୍ଷେତ୍ରରେ ଅଧିକ ନମ୍ବର ରଖିବା ପାଇଁ ପରାମର୍ଶ ଦେଇପାରିବେ ବୋଲି ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ କରୋନା କାଳରେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମେ’ ୩ରୁ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି। ୯ ମାସ ଧରି ସ୍କୁଲରେ ଶ୍ରେଣୀକକ୍ଷ ମାଡ଼ି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପଦ୍ଧତି ଓ ମୂଲ୍ୟାୟନ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତିତ ତଥା ସଂଶୋଧିତ ପାଠ୍ୟଖସଡ଼ା ଆଧାରରେ ପରୀକ୍ଷାର୍ଥୀଙ୍କୁ ବୋର୍ଡ ପରୀକ୍ଷାକୁ ସଫଳତାର ସହ ସମ୍ମୁଖୀନ ହେବା ଓଷ୍ଟା ପକ୍ଷରୁ ଆସନ୍ତା ୨୭ ତାରିଖରେ ପରିବର୍ତ୍ତିତ ପାଠ୍ୟଖସଡ଼ା ଆଧାରରେ ସଂଶୋଧିତ ଟେଷ୍ଟ ପେପର୍ସ ପ୍ରକାଶିତ ହେବ। ଚଳିତବର୍ଷ ସଂଶୋଧିତ ପାଠ୍ୟଖସଡ଼ା ଆଧାରରେ ପିଲାଙ୍କ ପାଇଁ ସହଜ ସରଳ ଓ ବୋଧଗମ୍ୟ ଟେଷ୍ଟ ପେପର୍ସର ସୁବିଧା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ନେଇପାରିବେ ବୋଲି ଓଷ୍ଟା ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ମାର୍ଚ୍ଚ ୩୧ ମଧ୍ୟରେ ସମସ୍ତ ବିଷୟର ପାଠପଢ଼ା ଶେଷ କରିବା ପାଇଁ ସମସ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ପ୍ରମୁଖ ନିବେଦନ କରିଛନ୍ତି।

The post ମାର୍ଚ୍ଚ ୩୧ ସୁଦ୍ଧା ଦଶମ ପାଠପଢ଼ା ସାରିବାକୁ ଲକ୍ଷ୍ୟ, ଏପ୍ରିଲ ୫ରୁ ମାଟ୍ରିକ ପ୍ରି-ବୋର୍ଡ ପରୀକ୍ଷା first appeared on Sambad.



from ରାଜ୍ୟ – Sambad https://ift.tt/3on9lRT

Post a Comment

0 Comments