ଝରାଫୁଲ ହତ୍ୟା ପଛରେ ପ୍ରେମ!

୨୬ ରାତିରେ ଦୁହେଁ ହୋଟେଲରେ ରାତି ବିତାଇଥିଲେ
ଝରାଫୁଲକୁ ଅଚେତ ଅବସ୍ଥାରେ ସ୍କୁଟରରେ ନେଇଥିଲେ
ମୃତ୍ୟୁ ହୋଇଯାଇଥିବା ଜାଣି କୁଆଖିଆରେ ଫିଙ୍ଗିଥିଲେ

ଭୁବନେଶ୍ବର/ନଠୁଆବର/ରସୁଲପୁର/ ପାଣିକୋଇଲି : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା କରିବା ପରେ ଦୁଇ ଜଣ ଯୁବକ ଏକ ସ୍କୁଟରରେ ମରଶରୀର ନେଇ ଯାଜପୁରର କୁଆଖିଆ ଅଞ୍ଚଳରେ ରାସ୍ତାକଡ଼ରେ ଫିଙ୍ଗିଦେବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ରହସ୍ୟମୟ ହତ୍ୟା ମାମଲାର ତଦନ୍ତ କରୁଥିବା କୁଆଖିଆ ପୁଲିସ ଗତକାଲିଠାରୁ ଦୁଇ ଯୁବକଙ୍କୁ ଚିହ୍ନଟ କରି ସାରିଥିବାବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରେ ଚଢ଼ଉ କରି ହାଇଟେକ୍ ପ୍ଲାଜା ନିକଟରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ଧରିବାକୁ ସକ୍ଷମ ହୋଇଛି। ରାକେଶ ନିଜେ ଏଆରଫିଲ୍ଡ୍‌ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୁଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି।

ତେବେ ପୁଲିସ ହତ୍ୟାକାଣ୍ଡର କାରଣ ନେଇ କିଛି କହୁ ନ ଥିଲେ ମଧ୍ୟ ରାକେଶ ନିଜେ ଏ ସଂପର୍କରେ ପୁଲିସ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଥିବା ଜଣାପଡ଼ିଛି। ରା‌କେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା। ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଝରାଫୁଲ ଯେତେବେଳେ ବି ଭୁବନେଶ୍ବର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ। ରା‌କେଶ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ବର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ଯାଏ ଯାଇଥିଲେ। ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା। ଦୁହେଁ ହୋଟେଲରେ ରାତି ବିତାଇବା ସହ ଶାରୀରିକ ସଂପର୍କ ରଖିଥିଲେ। ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା। ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ। ରାକେଶର ଏହି ବୟାନ କେତେ ସତ, କେତେ ମିଛ ତାହା ଜାଣିବା ଲାଗି କୁଆଖିଆ ପୁଲିସ ରା‌କେଶକୁ ଏଆରଫିଲ୍‌ଡ ଥାନାରେ କିଛି ସମୟ ଜେରା କରିବା ପରେ ଅଧିକ ପଚରାଉଚରା ପାଇଁ ସାଙ୍ଗରେ ନେଇଯାଇଛି। ଏଥିସହ ତା’ର ଅନ୍ୟତମ ସାଥୀ ଶେଖରକୁ ଧରିବା ଲାଗି ତନାଘନା‌ ଜାରି ରଖିଛି।

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ତରୁଣ୍ଡେଇପଶି ଗ୍ରାମର ରାମାକାନ୍ତ ନାୟକଙ୍କ ଝିଅ ଝରାଫୁଲ(୨୧) ରମାଦେବୀ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ। ଗତ ୨୬ ତାରିଖ ଦିନ ନିଜ ଘରକୁ ଯିବା ପାଇଁ ଭୁବନେଶ୍ବରରୁ ଝାଡ଼େଶ୍ବର ବସ୍‌ରେ ବସିଥିଲେ। ମାତ୍ର ଘରେ ପହଞ୍ଚିବା ବଦଳରେ ଗତକାଲି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରୁ ତାଙ୍କ ମୃତଦେହ ମିଳିଥିଲା। ଏକ ଇଟାଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ ୨ ଜଣ ଯୁବକ ଏକ ସ୍କୁଟରରେ ଝରାଫୁଲଙ୍କ ଶବକୁ ମଝିରେ ବସାଇ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ-ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡ ନିକଟରେ ଫିଙ୍ଗିଦେଇ ପଳାଇଥିଲେ। ଆଖପାଖରେ କାମ କରୁଥିବା କିଛି ଲୋକ ବି ଏହା ଦେଖି ସେଠାରେ ପହଞ୍ଚିଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ନିକଟରେ ପଡ଼ିଥିବା ଯୁବତୀଙ୍କ ଏୟାରବ୍ୟାଗ୍‌ରୁ ତାଙ୍କ ଟେଲିଫୋନ୍ ନମ୍ବର ଯୋଗାଡ଼ କରିବା ପରେ ଯୁବତୀଙ୍କ ପରିଚୟ ମିଳିଥିଲା। ପୁଲିସ ଭୁବନେଶ୍ବର- କୁଆଖିଆ ରାସ୍ତାକଡ଼ର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଏବଂ କିଛି ଦୋକାନୀଙ୍କଠାରୁ ଖବର ନେଇ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ସେଥିରୁ ଜଣେ ଯୁବକ ଝରାଫୁଲଙ୍କ ପୁରୁଷବନ୍ଧୁ ରାକେଶ ସ୍ବାଇଁ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ରାକେଶର ପରିଚିତ ବୋଲି ଅନୁମାନ କରାଯାଉଛି। ତେବେ କେଉଁ ପରିସ୍ଥିତିରେ ଝରାଫୁଲର ମୃତ୍ୟୁ ଘଟିଲା କିମ୍ବା ତାଙ୍କୁ ହତ୍ୟା କରାଗଲା ତାହା ରହସ୍ୟ ହୋଇ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବାବେଳେ ରିପୋର୍ଟ ମିଳିବା ପରେ ଝରାଫୁଲର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହ‌ା ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଝରାଫୁଲଙ୍କ ବାପା ଓ ଭାଇଙ୍କ ବୟାନ ଆଧାରରେ ପୁଲିସ ରାକେଶ ନିକଟରେ ପହଞ୍ଚିଥିବା କୁହାଯାଉଛି। ଏହାରି ଭିତରେ ପୁଲିସ ପରିବାର ଲୋକ, ସଂପର୍କୀୟ ଓ ତରଭୁଜ ବ୍ୟବସାୟୀଙ୍କ ସମେତ ୭ଜଣଙ୍କର ବୟାନ ରେକର୍ଡ କରିଛି। ଝରାଫୁଲଙ୍କୁ ଯାଜପୁର ଜିଲ୍ଲା ବାହାରେ ହତ୍ୟା କରିବା ପରେ ଏଠାକୁ ସ୍କୁଟରରେ ଆଣି ଫିଙ୍ଗା ଯାଇଥିବା କୁହାଯାଉଥିବାବେଳେ ଏହାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଅଭିଯୁକ୍ତ ଦ୍ବୟ ସ୍କୁଟରରେ ଶବକୁ ଭୁବନେଶ୍ବରରୁ ଏତେ ବାଟ ଆଣି କୁଆଖିଆ ଥାନା ଅଞ୍ଚଳରେ ପକାଇବା ସହଜ ନୁହେଁ; ବୋଲି କୁହାଯାଉଛି। ତେବେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ହତ୍ୟାକାଣ୍ଡର ରହସ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ତେଣେ ଦୋଷୀକୁ ତୁରନ୍ତ ଧରିବା ପାଇଁ କିଛି ଛାତ୍ର ସଂଗଠନ ଆନ୍ଦୋଳନ ଆରମ୍ଭ କରିଥିବା ବ‌େଳେ ଅନୁରୂପ ଦାବି କରିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ମଧ୍ୟ ଏ ନେଇ ଯାଜପୁର ଏସ୍‌ପିଙ୍କ ସହ ଟେଲିଫୋ‌ନରେ କଥା ହୋଇଛନ୍ତି।‌ ସେ କହିଛନ୍ତି ଯେ ଆସନ୍ତାକାଲି ଯାଜପୁରରେ କ୍ୟାମ୍ପ୍‌କୋର୍ଟ ଥିବାରୁ ସେ ସେଠାରେ ଏସ୍‌ପିଙ୍କ ସହ ଏ ନେଇ ସିଧାସଳଖ କଥାହେବେ ଏବଂ ଦୋଷୀଙ୍କୁ କିପରି କଠୋର ଦଣ୍ଡ ମିଳିବ ତାହା ନିଶ୍ଚିତ କରିବାକୁ କହିବେ।

The post ଝରାଫୁଲ ହତ୍ୟା ପଛରେ ପ୍ରେମ! first appeared on Sambad.



from ରାଜ୍ୟ – Sambad https://ift.tt/3pty0p6

Post a Comment

0 Comments