୫୦ ହଜାରରେ ଶିଶୁ ବିକ୍ରି!

କଟକ : କଟକ ସହରରେ ୩ ବର୍ଷ ବ୍ୟବଧାନରେ ପୁଣି ଏକ ଶିଶୁ ବିକ୍ରି ଭଳି ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ୨୦୧୮ରେ ସତୀଚଉରା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଆଜି ସିଡିଏ କାଠଯୋଡ଼ି ବିହାର ବସ୍ତିରେ ଏଭଳି ଏକ ଘଟଣା ଘଟିଛି। ଦୁଇ ମାସର ଶିଶୁ କନ୍ୟାକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ଅଭିଯୋଗ ହୋଇଛି। ଶିଶୁଟିକୁ କିଣି ଏକ କାର‌୍‌ରେ ଚମ୍ପଟ୍‌ ମାରିବାବେଳେ ଚାଇଲଡ ଲାଇନ୍‌ ଟିମ୍‌ ୪ ଜଣଙ୍କୁ ପିଛା କରି କାବୁ କରିଛି। ଏ ସ˚କ୍ରାନ୍ତରେ ଚାଇଲ୍ଡ ଲାଇନ୍‌ ପକ୍ଷରୁ ମର୍କତନଗର ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ଶିଶୁଟିକୁ ବିକ୍ରି କରୁଥିବା ଓ କିଣୁଥିବା ଅଭିଯୋଗରେ ୬ ଜଣଙ୍କୁ ଥାନାରେ ଅଟକ ରଖିଛି। ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ପୁରୀଘାଟ ସାଆନ୍ତସାହି ଅଞ୍ଚଳର ଏକ ପରିବାର ଵାଗନର ଗାଡ଼ିରେ କାଠଯୋଡ଼ି ବିହାର ବସ୍ତିକୁ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଆସିଥିଲେ। ବସ୍ତିରେ ଥିବା ଏକ ଦମ୍ପତିଙ୍କ ୫ଟି ସନ୍ତାନ ମଧ୍ୟରୁ ଶେଷ ୫ମ କନ୍ୟାକୁ ସେମାନେ ୫୦ ହଜାର ଟଙ୍କା ଦେଇ କିଣିଥିବା ସମ୍ପର୍କରେ ଚାଇଲ୍ଡ ଲାଇନ୍‌ ଖବର ପାଇଥିଲା। ଖବର ଆଧାରରେ ଚାଇଲ୍ଡ ଲାଇନ୍‌ ଟିମ୍‌ ବସ୍ତିରେ ପହଞ୍ଚି ଥିଲା। ବସ୍ତିରେ ପହଞ୍ଚିଲାବେଳକୁ ଶିଶୁଟିକୁ ଉକ୍ତ ଵାଗନର‌୍‌ ଗାଡ଼ିରେ ଥିବା ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଦ୍ରୁତ ଗତିରେ ନେଇ ଚାଲି ଯାଉଥିଲେ। ଚାଇଲ୍ଡ ଲାଇନ୍‌ ଟିମ୍‌ ଏବ˚ ସ୍ଥାନୀୟ ବାସିନ୍ଦା ଉକ୍ତ ଗାଡ଼ିର ପିଛା କରି ଗାଡ଼ିଟିକୁ ରାସ୍ତାରେ ଅଟକାଇଥିଲେ। ଗାଡ଼ି ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଚାଇଲ୍ଡ ଲାଇନ୍‌ ନିଜ ହେପାଜତରେ ରଖିବା ନେଇ ସୂଚନା ମିଳିଛି। ଶିଶୁ କନ୍ୟାର ଅଭିଭାବକ ଦିନ ମଜୁରିଆ କାମ କରୁଥିବାବେଳେ ଆର୍ଥିକ ସ୍ଥିତି ଶୋଚନୀୟ ଥିବାରୁ ଏଭଳି ଶିଶୁ ବିକ୍ରି କରିବା ଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଡିସିପିଓ ପ୍ରଗତୀ ମହାନ୍ତିଙ୍କ କହିବା ଅନୁଯାୟୀ, ଶିଶୁ କନ୍ୟା ବିକ୍ରି ସମ୍ପର୍କରେ ଚାଇଲ୍ଡ ଲାଇନ୍‌ ଆଜି ସନ୍ଧ୍ୟାରେ ଖବର ପାଇଥିଲା। ଏ ସ˚କ୍ରାନ୍ତରେ ମର୍କତନଗର ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମା କହିଛନ୍ତି ଯେ ଆଜି ଶିଶୁଟିକୁ ବିଡ଼ାନାସୀ ବସୁନ୍ଧରା କିମ୍ବା ଚୌଦ୍ବାରସ୍ଥିତ ସର୍ଭ୍ୟାଣ୍ଟ ଅଫ୍‌ ଇଣ୍ତିଆ ସୋସାଇଟିରେ ଥଇଥାନ କରାଯିବ।
ଆସନ୍ତାକାଲି ଶିଶୁଟିକୁ ସିଡବ୍ଲୁସିରେ ହାଜର କରାଯିବ। ଅନ୍ୟପଟେ ଉଭୟ କିଣିବା ଓ ବିକିବା ପକ୍ଷ ସିଡବ୍ଲୁସିରେ ହାଜର ହୋଇ ନିଜ ବୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

The post ୫୦ ହଜାରରେ ଶିଶୁ ବିକ୍ରି! first appeared on Sambad.



from ରାଜ୍ୟ – Sambad https://ift.tt/39p3pmR

Post a Comment

0 Comments