ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ : ଆସିଲେନି ଭକ୍ତ, କମିଲା ହୁଣ୍ଡି ଆୟ

ପୁରୀ : ସୋମବାର ଦ୍ବିତୀୟ ଦିନରେ ବହୁ କମ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। କଟକଣା ଭିତରେ କୋଭିଡ୍‌ ରିପୋର୍ଟ ଦେଖାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏହି କଟକଣା କେବଳ ଭକ୍ତଙ୍କ ପଥ ଅବରୋଧ କରିନି, ହୁଣ୍ଡି ଆୟ ବି କମାଇଛି। ଦର୍ଶନ ପାଇଁ ଇଚ୍ଛା ଥିଲେ ବି କୋଭିଡ୍‌ ରିପୋର୍ଟର ଜଟିଳତା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରାଚୀର ଠିଆ କରିଛି। ଯେଉଁଥି ପାଇଁ ଧାଡ଼ି ଦର୍ଶନ ପାଇଁ ରହିଥିବା ବାରିକେଡ୍‌ ଆଜି ଖାଲି ପଡ଼ିଥିଲା। ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଲମ୍ବିଥିବା ବାରିକେଡ୍‌ରେ କାଁଭାଁ ଭକ୍ତଙ୍କୁ ଦେଖିବାକୁ ମିଳିଛି।

ଗତକାଲି ଯେଉଁ ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଆସିଥିଲେ, ଆଜି ତାହା ଅଧାକୁ ଖସି ଆସିଛି। ପ୍ରାୟ ଅଢ଼େଇ ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗତକାଲି ସକାଳୁ ପ୍ରବଳ ଭିଡ଼ ରହିଥିଲା। ଏହି ଭିଡ଼ ସକାଳ ୧୦ଟା ପର୍ଯ୍ୟନ୍ତ ଲାଗି ରହିଥିଲା। କିନ୍ତୁ ଆଜି ସକାଳେ ବାରିକେଡ୍‌ ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଛି। ଅପରାହ୍ଣ ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବା ପରେ ସଂଧ୍ୟାରେ କିଛିଟା ଭିଡ଼ ଦେଖିବାକୁ ମିଳିଛି। ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ନିଶ୍ଚିତପକ୍ଷେ ଭକ୍ତଙ୍କ ମନରେ ଥିବା ନିରାଶାକୁ ପ୍ରତିଫଳିତ କରୁଛି। ସେପଟେ କୋଭିଡ୍‌ ପାଇଁ ମାର୍ଚରୁ ଶ୍ରୀମନ୍ଦିର ବନ୍ଦ ହେବା ପରେ ହୁଣ୍ଡି ଆୟ ହଜାରେ ଟଙ୍କା ତଳକୁ ଖସି ଆସିଥିଲା। ପ୍ରାୟ ୯ ମାସ ଏହି ଅବସ୍ଥା ଲାଗି ରହିଥିଲା। ଅତିବେଶିରେ ଦେଢ଼ ହଜାରରୁ ଅଢ଼େଇ ହଜାର ଟଙ୍କା ହୁଣ୍ଡିରୁ ମିଳୁଥିଲା।

ଡିସେମ୍ବର ୨୩ରୁ ମନ୍ଦିର ଖୋଲିବା ପରେ ଶ୍ରୀମନ୍ଦିର ହୁଣ୍ଡି ଦାନ ଅର୍ଥ କ୍ରମାଗତ ବଢ଼ି ଚାଲିଥିଲା। ଶ୍ରୀମନ୍ଦିର ଖୋଲିବାର ପ୍ରଥମ ଦିନରେ ହୁଣ୍ଡିରୁ ୨ ହଜାର ୮୪୪ ଟଙ୍କା ମିଳିଥିଲା। ଡିସେମ୍ବର ୨୪ରେ ୯ ହଜାର ୭୮୭ ଓ ୨୫ରେ ୪ ହଜାର ୭୦୯ ଟଙ୍କା ମିଳିଥିଲା। ଡିସେମ୍ବର ୨୬ରେ ଯେତେବେଳେ ସହରବାସୀ ଦର୍ଶନ କଲେ, ସେବେଠୁ ହୁଣ୍ଡି ଆୟ ବଢ଼ି ବଢ଼ି ଚାଲିଥିଲା। ଡିସେମ୍ବର ୨୬ରେ ବିଗତ ୧୦ ମାସ ଭିତରେ ହୁଣ୍ଡିରୁ ସର୍ବାଧିକ ଟଙ୍କା ହୋଇଥିଲା। ୪୫ ହଜାର ୧୮୪ ଟଙ୍କା ହୁଣ୍ଡିରୁ ମିଳିଥିଲା। ଡିସେମ୍ବର ୨୭ରେ ୫୭ ହଜାର ୦୫୧ ଟଙ୍କା ମିଳିଥିଲା। ଡିସେମ୍ବର ୨୮ରେ ଦାନ ଅର୍ଥ ଲକ୍ଷେ ଡେଇଁ ଏକ ଲକ୍ଷ ୪୮ହଜାର ୮୬୬ ଟଙ୍କାରେ ପହଞ୍ଚିଥିଲା। ସେହିଭଳି ୨୯ ତାରିଖରେ ୧ଲକ୍ଷ ୧୧ହଜାର ୩୭୦ ଟଙ୍କା, ୩୦ ତାରିଖରେ ୨ ଲକ୍ଷ ୯୫ ହଜାର ୮୪୨ ଟଙ୍କା ଓ ଡିସେମ୍ବର ୩୧ରେ ବିଗତ ୧୦ ମାସର ସର୍ବାଧିକ ୩ ଲକ୍ଷ ୨୫ ହଜାର ୧୦୪ ଟଙ୍କା ଦାନ ଅର୍ଥ ମିଳିଥିଲା।

ଜାନୁଆରି ୧ରେ ଶ୍ରୀମନ୍ଦିର ବନ୍ଦ ରହିଥିଲେ ବି ନୂଆବର୍ଷ ପାଇଁ ଭକ୍ତମାନେ ମୁକ୍ତ ହସ୍ତରେ ଦାନ କରିଥିଲେ। ଏହି ଦିନ ହୁଣ୍ଡିରୁ ୪୦ ହଜାର ୯୩୭ ଟଙ୍କା ମିଳିଥିଲା। ଜାନୁଆରି ୨ରେ ମନ୍ଦିର ବନ୍ଦ ଥିବାରୁ ଦାନ ଅର୍ଥ କମିଥିଲା। ୩ ହଜାର ୨୨୨ ଟଙ୍କା ହୁଣ୍ଡିରୁ ମିଳିଥିଲା। ସର୍ବସାଧାରଣ ଦର୍ଶନ ଆରମ୍ଭ ପରେ ଗତକାଲି ହୁଣ୍ଡିରୁ ଏକ ଲକ୍ଷ ୪୦ହଜାର ୮୩୭ ଟଙ୍କା ମିଳିଥିଲା। କିନ୍ତୁ ଦ୍ବିତୀୟ ଦିନରେ ଏହା ୮୬ ହଜାର ୬୬୩ ଟଙ୍କାକୁ ଖସି ଆସିଛି। ଯେଉଁଠି ଡିସେମ୍ବର ୨୬ରୁ ଲକ୍ଷାଧିକ ଟଙ୍କା ହୁଣ୍ଡିରୁ ମିଳି ଆସୁଥିଲା, ସେଠି ଆଜି ଦାନ ଅର୍ଥ ଲକ୍ଷେ ତଳକୁ ଖସି ଆସିବା, କେତେ ସଂଖ୍ୟାରେ ଭକ୍ତ ଆଜି ଦର୍ଶନ କରିଛନ୍ତି, ତାହା ସ୍ପଷ୍ଟ କରୁଛି। ଯଦି କୋଭିଡ୍‌ କଟକଣା କୋହଳ ନ ହୁଏ, ଆଗାମୀ ଦିନରେ ଭକ୍ତ ସଂଖ୍ୟା କମିବା ସହ ହୁଣ୍ଡି ଆୟ ବି ପୂର୍ବାବସ୍ଥାକୁ ଫେରିଯିବା ଆଶଙ୍କା କରାଯାଉଛି।

The post ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ : ଆସିଲେନି ଭକ୍ତ, କମିଲା ହୁଣ୍ଡି ଆୟ first appeared on Sambad.



from ରାଜ୍ୟ – Sambad https://ift.tt/3b8Ul76

Post a Comment

0 Comments