ସଚଳ ହେବ ହାଇସ୍କୁଲ ପାଠାଗାର

ପ୍ରକାଶକଙ୍କଠାରୁ ଦରଖାସ୍ତ ଆହ୍ବାନ
ଚୟନରେ ସ୍ବଚ୍ଛତା ନେଇ ଆଶଙ୍କା
ଜଣେ ପ୍ରକାଶକଙ୍କର ୧୫ଟି ପୁସ୍ତକ ଚୟନ ହେବ

ଭୁବନେଶ୍ବର : ସଚଳ ହେବ ସ୍କୁଲ ପାଠାଗାର। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ(ହାଇସ୍କୁଲ)ର ପାଠଗାରଗୁଡ଼ିକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପଯୋଗୀ ବିଭିନ୍ନ ପୁସ୍ତକଗୁଡ଼ିକୁ ପାଠାଗାରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଓଡ଼ିଶାର ପ୍ରକାଶକ ତଥା ପ୍ରକାଶନୀ ସଂସ୍ଥାଙ୍କଠାରୁ ପୁସ୍ତକ ଆହ୍ବାନ କରାଯାଇଛି। ପାଠାଗାର ଲାଗି କେଉଁ ସବୁ ବିଷୟର ପୁସ୍ତକ ଆବଶ୍ୟକତା ରହିଛି, କେମିତି ପୁସ୍ତକ କିଣାଯିବ, ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ରାଜନୈତିକ, ସାମା‌ଜିକ, ଜାତି, ଧର୍ମ ଓ ସାମ୍ପ୍ରଦୟ ସହ ଜଡ଼ିତ ଥିବା କୌଣସି ପୁସ୍ତକ ନ କିଣିବା ଲାଗି ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ବହି କିଣାରେ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏଥର ସର୍ବସାଧାରଣରେ ବିଜ୍ଞାପନ ଜରିଆରେ ପ୍ରକାଶକମାନଙ୍କଠାରୁ ପୁସ୍ତକ ଆହ୍ବାନ କରାଯାଇଛି। ଆଗ୍ରହୀ ପ୍ରକାଶକ ଓ ପ୍ରକାଶନ ପ୍ରତିଷ୍ଠାନ ଆସନ୍ତା ଫେବ୍ରୁଆରି ୮ ତାରିଖ ସୁଦ୍ଧା ଏଥିପାଇଁ ଦରଖାସ୍ତ ପଠାଇ ପାରିବେ। ଏହା ପରେ ଏକ କମିଟି ଗଠନ କରାଯାଇ ପୁସ୍ତକଗୁଡ଼ିକୁ ଯାଞ୍ଚ କରିବା ପରେ କିଣିବା ଲାଗି ଅନୁମତି ପ୍ରଦାନ କରାଯିବ। ଗୋଟିଏ ପ୍ରକାଶକ/ପ୍ରକାଶନୀ ସଂସ୍ଥାଠାରୁ ସର୍ବାଧିକ ୧୫ଟି ପୁସ୍ତକ ଚୟନ କରାଯାଇପାରିବ ବୋଲି ସ୍ପଷ୍ଟ କରାଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ ପାଠାଗାର ଲାଗି ବିଜ୍ଞାନ, କମ୍ପ୍ୟୁଟର୍‌, ଡିସ୍‌କଭରି, ଇନ୍‌ଭେନ୍‌ସନ୍‌, ପପୁଲାର ସାଇନ୍ସ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଜୀବନୀ, ଟ୍ରାଭେଲ୍‌ ଷ୍ଟୋରି, ଇତିହାସ, ସାଂସ୍କୃତିକ, ସ୍ମଲ୍‌ ‌ଷ୍ଟୋରି, ନୋଭେଲ୍‌, ଗଦ୍ୟ ବହି, ଗ୍ରାମାର, ଡକ୍ସିନାରି, ଲେଟର ରାଇଟିଂ ଆଦି ବିଷୟ ପୁସ୍ତକ କିଣାଯିବ। କେନ୍ଦ୍ର ସାହିତ୍ୟ ଅକାଦେମି ଓ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବହି ସହ ପୁରସ୍କାରର ଫଟୋକପି ପ୍ରକାଶକଙ୍କୁ ଦାଖଲ କରିବାକୁ ହେବ। ପ୍ରକାଶକମାନେ ପୁସ୍ତକର କଭର ପେଜ୍‌ ସମେତ କେଉଁ ପ୍ରକାଶ ବାଇଣ୍ଡିଂ, ପ୍ରିଣ୍ଟିଂ, କେତେ ପୃଷ୍ଠା, ଦାମ ଓ କେତେ ପ୍ରତିଶତ ରିହାତି ଦେବେ, ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ଆବେଦନ ସମୟରେ ବହିର ଏକ ନକଲ ଦେବାକୁ ପଡ଼ିବ। ଫେବ୍ରୁଆରି ୮ ସୁଦ୍ଧା ଦରଖାସ୍ତ ପହଞ୍ଚିବା ପରେ ୧୦ ତାରିଖରେ ତାହାକୁ ‌ଖୋଲାଯିବ।

ଗଣଶିକ୍ଷା ବିଭାଗ ଅନୁମୋଦନକ୍ରମେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ବହିଗୁଡ଼ିକର ମୂଲ୍ୟାୟନ କରିବେ। ଓଡ଼ିଆ ଭାଷାର ବହିକୁ ଅଧିକ ଗୁରୁତ୍ବ ଦିଆଯିବ। ତେବେ ଇଂରାଜୀ ଭାଷାର ପୁସ୍ତକ ଯଦି ମାଧ୍ୟମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବ, ତେବେ ତାହାକୁ ଚୟନ କରାଯାଇପାରେ। ଏକ ହଜାର ଟଙ୍କାରୁ ଅଧିକ ମୂଲ୍ୟର ପୁସ୍ତକକୁ ଚୟନ କରାଯିବ ନାହିଁ। ବିଦେଶୀ ପ୍ରକାଶନୀ ସଂସ୍ଥା, ଟେକ୍ସଟ୍‌ ବୁକ୍‌, ଗାଇଡ୍‌, ଆଇନ ଓ ନିୟମ ସମ୍ପର୍କିତ ବହି କିଣାଯିବ ନାହିଁ। ସୋଭିନିୟର୍‌, ବାର୍ଷିକ ରିପୋର୍ଟ, ବ୍ରୋଚର୍‌, ପାମ୍ପଲେଟ୍‌ସକୁ ନେଇ ପ୍ରସ୍ତୁତ ହୋଇଥିବା ବହି ବି ଗ୍ରହଣ କରାଯିବନି। ବହି କିଣିବା ଲାଗି ରାଜ୍ୟ ସରକାର ଅର୍ଥ ଯୋଗାଇ ଦେବେ। ଚଳିତବର୍ଷ ରାଜ୍ୟ ବଜେଟ୍‌ରେ ‌ଏଥିପାଇଁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇଛି।

The post ସଚଳ ହେବ ହାଇସ୍କୁଲ ପାଠାଗାର first appeared on Sambad.



from ରାଜ୍ୟ – Sambad https://ift.tt/39e3ZUv

Post a Comment

0 Comments