କନ୍ଧମାଳକୁ ଫେରିଲା ଶୀତ, ଦାରିଙ୍ଗବାଡ଼ିରେ ତୁଷାରପାତ

ଦାରିଙ୍ଗବାଡ଼ି/ଘୁ.ଉଦୟଗିରି : ଓଡ଼ିଶାର କାଶ୍ମୀର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ପୁଣି ଶୀତରେ ଥରୁଛି। ଦୁଇଦିନ ହେବ ହଠାତ୍‌ ଦାରିଙ୍ଗବାଡ଼ିରେ ତାପମାତ୍ରା ହ୍ରାସ ପାଇ ୮ଡିଗ୍ରି ସେଲ୍‌ସିୟସ୍‌ରେ ପହଁଚିଛି। ତାପମାତ୍ରା ହ୍ରାସ ପାଇବା ଫଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ସହ ଦାରିଙ୍ଗବାଡ଼ି ଓ ଆଖପାଖ ଅଞ୍ଚଳରେ ତୁଷାରପାତ ହେଉଛି। ବ୍ଳକ୍‌ର ଆଭ୍ୟନ୍ତରୀଣ ଇଲାକା ସାଲେଜୁ, ପ୍ଲିହେରୀ, ତିଲୋରୀ, ବାଡ଼ାବାଙ୍ଗା, ଦନେକବଡ଼ି ଓ ସିମନବାଡ଼ି ଭଳି ଅନ୍ୟ ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଥିବା ଜଣାପଡ଼ିଛି। ହଳଦୀପତ୍ର ଓ ପାଳଗଦା ଭଳି କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ତୁଷାରପାତ ସହ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତୁଷାରପାତ ଯୋଗୁଁ ଥଣ୍ଡାର ମାତ୍ରା ବୃଦ୍ଧି ପାଇବା ଫଳରେ ଦିନ ତମାମ କୋହଲା ପବନ ପ୍ରବାହିତ ହେଉଛି। ସକାଳୁ ସକାଳୁ ତୁଷାରପାତ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ହୋଇଥିବା ତୁଷାରପାତର ମଜା ନେଉଛନ୍ତି।

ସେହିପରି ଘୁ.ଉଦୟଗିରି ଓ ଏହାର ଆଖପାଖରେ ମଧ୍ୟ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହୁଛି। ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଗାଡିମଟର ଯାତାୟାତରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଗରିବ ଓ ଅସହାୟ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଶୀତ ଜାରି ରହିବା ସହ ପାରଦ ଆହୁରି କମିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

The post କନ୍ଧମାଳକୁ ଫେରିଲା ଶୀତ, ଦାରିଙ୍ଗବାଡ଼ିରେ ତୁଷାରପାତ first appeared on Sambad.



from ରାଜ୍ୟ – Sambad https://ift.tt/38SimNW

Post a Comment

0 Comments