
ଦଶମ ଓ ଦ୍ବାଦଶ ପିଲାଙ୍କୁ ପଢ଼ାଇନାହାନ୍ତି ଶିକ୍ଷକ ଶିକ୍ଷୟିତ୍ରୀ
କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସ୍ଥିତି ଦେଖି ମନ୍ତ୍ରୀ ଆଶ୍ଚର୍ଯ୍ୟ
ଭୁବନେଶ୍ବର : ମାଟ୍ରିକ ହେଉ କି ଯୁକ୍ତ୨ କଲେଜ। କେଉଁଠି ବି ଅନ୍ଲାଇନ୍ ଶିକ୍ଷାଦାନ ଫଳପ୍ରଦ ହେଉନାହିଁ। ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଆଉ କେତେକ ଜାଗାରେ ଶିକ୍ଷକ ଶିକ୍ଷୟିତ୍ରୀ ଠିକ୍ ଭାବେ ଶିକ୍ଷାଦାନ କରୁନାହାନ୍ତି। ସହରାଞ୍ଚଳ ତଥା ଶିକ୍ଷା କ୍ଷେତ୍ରରେ ଉନ୍ନତ ଅଞ୍ଚଳରେ ଅନ୍ଲାଇନ୍ ପାଠପଢ଼ା ଭଲ ଭାବେ ଚାଲିଛି। ତେବେ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ା ସେତେଟା ଉତ୍ସାହଜନକ ହୋଇପାରି ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀ ବି ଆଗ୍ରହ ଦେଖାଇ ନାହାନ୍ତି। ପରିଣାମ ସ୍ବରୂପ ଦଶମ ଓ ଦ୍ବାଦଶ ଶ୍ରେଣୀର ଲକ୍ଷାଧିକ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଅନ୍ଲାଇନ୍ ଶିକ୍ଷା ପାଇପାରି ନାହାନ୍ତି। ସ୍କୁଲ ଖୋଲିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ସ୍କୁଲ ବୁଲିବା ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ମନ୍ତ୍ରୀ ଶ୍ରୀ ଦାଶ କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୁନାଗଡ଼ ଅଞ୍ଚଳର ଦୁଇଟି ବିଦ୍ୟାଳୟକୁ ଗସ୍ତ କରିବା ସମୟରେ ପିଲାଙ୍କୁ ଅନ୍ଲାଇନ୍ ପାଠପଢ଼ା ସମ୍ପର୍କରେ ପଚାରିଥିଲେ। ତେବେ ସେଠାରୁ ଯେଉଁ ଉତ୍ତର ପାଇଥିଲେ ତାହାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଶିକ୍ଷାବର୍ଷ ଅଧା ସରିଯାଇଥିଲେ ମଧ୍ୟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ା ସେତେଟା ଉତ୍ସାହଜନକ ନ ଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ଲାଇନ୍ରେ ଆବଶ୍ୟକୀୟ ଶିକ୍ଷାଦାନ କରିନାହାନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଏହା ଜାଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କହିଛନ୍ତି। ପ୍ରତିଦିନ ସ୍କୁଲ ଗସ୍ତ କରି ପାଠପଢ଼ାର ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାର ଏକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାଶ ସମାନ ଚିତ୍ର ଦେଖିବାକୁ ପାଇଥିଲେ। ଯୁକ୍ତ୨ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍ଲାଇନ୍ ପାଠପଢ଼ା ଉତ୍ସାହଜନକ ହୋଇପାରି ନ ଥିବା ଜାଣିବାକୁ ପାଇବା ପରେ ପଦକ୍ଷେପ ନିଆଯାଇଛି। ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ନେବା ସହ ୩୦ ଜିଲ୍ଲା ଦାୟିତ୍ବରେ ଥିବା ଗଣଶିକ୍ଷା ବିଭାଗର ଅଧିକାରୀ ନିଜ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପାଠପଢ଼ାରେ ଯେପରି କୌଣସି ଅବ୍ୟବସ୍ଥା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।
The post ଅନ୍ଲାଇନ୍ ଶିକ୍ଷା ଆଗେଇପାରିନି first appeared on Sambad.
from ରାଜ୍ୟ – Sambad https://ift.tt/3qjOKPA
0 Comments