ସ୍କୁଲରେ ଉପସ୍ଥାନ ବଢ଼ୁଛି, ୭୨% ପିଲା ବିଦ୍ୟାଳୟକୁ ଆସିଲେ

ଭୁବନେଶ୍ୱର : ଦୀର୍ଘ ୯ ମାସ ପରେ ବିଦ୍ୟାଳୟ ଖୋଲିଥିବା ବେଳେ ଉପସ୍ଥାନ ଦିନକୁ ଦିନ ବଢ଼ିବା‌ରେ ଲାଗିଛି। ଗତ ୮ ତାରିଖରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦ ପ୍ରତିଶତରୁ ଅଧିକ ଥିବା ବେଳେ ୯ ଓ ୧୦ ତାରିଖ ଯଥାକ୍ରମେ ୫୩% ଓ ୫୬%କୁ ବୃଦ୍ଧି ପାଇଥିଲା। ତେବେ ଜାନୁଆରି ୧୧ ତଥା ଆଜି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୨%କୁ ବୃଦ୍ଧି ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ ‌ହଷ୍ଟେଲ ଖୋଲିବା, ଶ୍ରେଣୀଗୃହ, ଶୌଚାଳୟ ସମେତ ସ୍କୁଲ କ୍ୟାମ୍ପସ ସଫା କରିବା, ସାମାଜିକ ଦୂରତା ପାଇଁ ମାର୍କର ଲଗାଇବା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଶ୍ରୀ ଦାଶ ଆହୁରି କହିଛନ୍ତି ଯେ କ୍ଲଷ୍ଟର, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ବାଇକ୍‌ ରାଲି ସହିତ ତୃଣମୂଳସ୍ତରରୁ ସବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପିଲାଙ୍କୁ ବିଦ୍ୟାଳୟକୁ ଆସିବାକୁ ଉତ୍ସାହିତ କରିବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହ ଭିତରେ ତଥା ହଷ୍ଟେଲଗୁଡ଼ିକରେ ସାମାଜିକ ଦୂରତା ନିୟମ ଓ ହାତର ସ୍ୱଚ୍ଛତା ବ୍ୟବସ୍ଥା କରାଯାଇଥିବାରୁ ମନ୍ତ୍ରୀ ଶ୍ରୀ ଦାଶ ସମସ୍ତ ଅଂଶୀଦାର, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟତ୍ରୀ, ଜିଲ୍ଲା ପ୍ରଶାସନ ଓ ଗଣଶିକ୍ଷା ବିଭାଗର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଗଜପତି ଜିଲାରେ ସ୍କୁଲ ଶିକ୍ଷକମାନଙ୍କୁ କରୋନା ପଜିଟିଭ୍‌ ହେବା ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେଉଁମାନେ ଆକ୍ରାନ୍ତ ହେଇଛନ୍ତି ସେମାନେ ଆଇସୋଲେସନରେ ଅଛନ୍ତି। ଅତିଥି ଶିକ୍ଷକ ଶିକ୍ଷୟିତ୍ରୀମାନକୁ ଆଣାଯାଇ ପାଠ ପଢ଼ାଯାଉଛି। ରବିବାର ମଧ୍ୟ ୬୫ ପ୍ରତିଶତ ପିଲା ବିଦ୍ୟାଳୟକୁ ଆସିଛନ୍ତି। ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟ ସରକାରଙ୍କ ଗାଇଡଲାଇନ ପାଳନ କରି ସମସ୍ତ କାର୍ଯ୍ୟ ହେଉଛି।

The post ସ୍କୁଲରେ ଉପସ୍ଥାନ ବଢ଼ୁଛି, ୭୨% ପିଲା ବିଦ୍ୟାଳୟକୁ ଆସିଲେ first appeared on Sambad.



from ରାଜ୍ୟ – Sambad https://ift.tt/3bwcqvO

Post a Comment

0 Comments