ବାରିପଦା : ଭୟ କମ୍‌, ଉତ୍ସାହ ବେଶି; ସବୁ ପୁରୁଣା ଭିତରେ ‘ମାସ୍କ’ ନୂଆ

ବାରିପଦା, (ରାଜକିଶୋର ଦାଶ): ପ୍ରାୟ ୧୦ ମାସ ପରେ ଦେହରେ ଥିଲା ସ୍କୁଲ୍‌ ପୋଷାକ। କାନ୍ଧରେ ବହିବ୍ୟାଗ୍‌ ସହିତ ପାଣିବୋତଲ। ତେବେ ସବୁ ପୁରୁଣା ଭିତରେ ଗୋଟିଏ ନୂଆ ଜିନିଷ ଥିଲା ମୁହଁରେ ମାସ୍କ। ସମୟର ଢ଼େର ପୂର୍ବରୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତି ସରିଥିଲା। କେବଳ ଅପେକ୍ଷା ଥିଲା ସହପାଠୀ ସାଙ୍ଗର ଆସିବା ସମୟକୁ। ମହାମାରୀ କରୋନା ବିଭୀଷିକା ପରେ ସହପାଠୀଙ୍କ ସହିତ ପୁଣିଥରେ ମିଶି ପାଠପଢ଼ିବାର ନିଆରା ଅନୁଭବକୁ ନେଇ ଆଜି ବେଶ ଉତ୍ସାହିତ ଥିଲେ ଅମିତାଶ।

ବାରିପଦା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି ଅମିତାଶ ପଣ୍ଡା। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଛି। ତେଣୁ ସ୍କୁଲ୍‌ ଯିବା ପାଇଁ ଅମିତାଶଙ୍କ ମନରେ ଥିଲା ବେଶ ଉତ୍ସାହ। କେବଳ ଅମିତାଶ ନୁହନ୍ତି, ତାଙ୍କ ଘରେ ମଧ୍ୟ ଥିଲା ଉତ୍ସାହ। ପୁଅ ସ୍କୁଲ୍‌ ଯିବ ବୋଲି ମା’ ଜୟନ୍ତୀ ସକାଳଠୁ ଲାଗି ପଡ଼ିଥିଲେ। ବହୁଦିନ ପରେ ପୁଅ ସ୍କୁଲ୍‌ ଯିବ, ଏକଥା ତାଙ୍କ ପାଇଁ ଢ଼େର ମହତ୍ବ ରଖୁଥିଲା। ତେଣୁ ଜଳଖିଆ ପ୍ରସ୍ତୁତିଠୁ ଆରମ୍ଭ କରି ପାଣିବୋତଲ ଯାଏ ସବୁ କିଛି ବ୍ୟବସ୍ଥା କରିଥିଲେ। ଅପେକ୍ଷାର ଅନ୍ତ ଘଟାଇ କିଛି ସମୟ ମଧ୍ୟରେ ଆସି ପହଞ୍ଚି ଯାଇଥିଲା ପ୍ରିୟ ସହପାଠୀ ସେକ୍‌ ମହମ୍ମଦ ସାହିଲ। ସାଇକେଲ୍‌ରେ ବିଦ୍ୟାଳୟ ଅଭିମୁଖେ ବାହାରିପଡ଼ିଲେ ଦୁଇ ସାଙ୍ଗ। କେମିତି ପାଠ ପଢ଼ା ହେବ, କଣ ନିୟମ ମାନିବାକୁ ହେବ, ସାଙ୍ଗସାଥୀ ପାଖରେ ବସିବେ ନା ଛାଡ଼ିକି ବସିବେ, ଏମିତି କେତେ କଣ ଆଲୋଚନା ଚାଲିଥିଲା ବାଟସାରା। ମନରେ କରୋନାକୁ ନେଇ କିଛି ସଂଶୟ ଥିଲେ ବି ୧୦ ମାସର ଲମ୍ବା ବ୍ୟବଧାନ ପରେ ନିଜ ପରିଚିତ ସହପାଠୀଙ୍କ ମୁହଁଙ୍କୁ ଦେଖିବା ଓ ସେମାନଙ୍କ ସହ ଶ୍ରେଣୀରେ ବସି ପାଠ ପଢ଼ିବାର ଆଗ୍ରହ ମହାମାରୀ ଭୟକୁ ପଛରେ ପକାଇ ଦେଇଥିଲା। ଦୁଇ ବନ୍ଧୁ ସ୍କୁଲ୍‌ ହତାକୁ ପ୍ରବେଶ କରିଥିଲେ। ଆରମ୍ଭରୁ ଥର୍ମାଲ୍‌ ସ୍କ୍ରିନିଂ, ସାବୁନ୍‌ରେ ହାତ ଧୋଇବା, ସାନିଟାଇଜର୍‌ ବ୍ୟବହାର କରିବା ଭଳି ବ୍ୟବସ୍ଥା କିଛିଟା ଅଡ଼ୁଆ ଲାଗିଥିଲା। ହେଲେ ଗୁରୁଜୀ, ଗୁରୁମା ଓ ନିଜର ପ୍ରିୟ ସହପାଠୀଙ୍କୁ ଦେଖିବା ପରେ ମାସ୍କ ତଳେ ବି ଦୁଇ ସହପାଠୀ ବନ୍ଧୁଙ୍କ ମୁହଁରେ ଲାଖି ରହିଥିଲା ଚେନାଏ ହସ। ସ୍କୁଲର ପ୍ରଥମ ଦିନରେ ଏମିତି ମଧୁର ସ୍ମୃତି ବଖାଣିଛନ୍ତି ଅମିତାଶ ଓ ତାଙ୍କ ବନ୍ଧୁ ସେକ୍‌ ମହମ୍ମଦ ସାହିଲ।

The post ବାରିପଦା : ଭୟ କମ୍‌, ଉତ୍ସାହ ବେଶି; ସବୁ ପୁରୁଣା ଭିତରେ ‘ମାସ୍କ’ ନୂଆ first appeared on Sambad.



from ରାଜ୍ୟ – Sambad https://ift.tt/2XonItV

Post a Comment

0 Comments