
ପୁରୀ : କୋହଳ ହେଲା ଶ୍ରୀମନ୍ଦିର କଟକଣା। ବଦଳିଲା ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର)। କାଳିଆ ଦର୍ଶନ ପାଇଁ ଆଉ ହଇରାଣ ହେବେନି ଭକ୍ତ। ଦେଖାଇବାକୁ ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ। ଜାନୁଆରି ୨୧ରୁ ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ। ଦୈନିକ ୩୦ହଜାର ଭକ୍ତଙ୍କ ପାଇଁ ହେବ ଦର୍ଶନ ବ୍ୟବସ୍ଥା। ଭକ୍ତ ସଂଖ୍ୟା ବଢ଼ିଲେ ସ୍ଥିତି ଦେଖି ଆବଶ୍ୟକ ବ୍ୟବସ୍ଥା କରାଯିବ। ସାପ୍ତାହିକ ଦର୍ଶନ ବ୍ୟବସ୍ଥାର ସମୀକ୍ଷା ପରେ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ପୁରୀ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ସକାଳ ୬ରୁ ପୁରୀବାସୀଙ୍କ ଦର୍ଶନ ପରେ ସକାଳ ୭ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ସାପ୍ତାହିକ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡ. କେ. ବିଶାଲ୍ ସିଂହଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବରିଷ୍ଠ ପ୍ରଶାସକମାନେ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଖୋଲିଥିଲା ଓ ଦର୍ଶନ ଆରମ୍ଭ ହୋଇଥିଲା। ଡିସେମ୍ବର ୨୬ରୁ ୩୧ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ ସୁଯୋଗ ପାଇଥିଲେ। ଏହି ୬ ଦିନ ଭିତରେ ୬୫ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସର୍ବସାଧାରଣ ଦର୍ଶନ ପରେ ଜାନୁଆରି ୩ରୁ ଆଜି ପର୍ଯ୍ୟନ୍ତ ୨୫ହଜାରରୁ ଅଧିକ ଭକ୍ତ ଦର୍ଶନ କରିଛନ୍ତି। ନିୟମକୁ ସମ୍ମାନ ଜଣାଇ ଭକ୍ତମାନେ ଦର୍ଶନ ପାଇଁ ସାଙ୍ଗରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବି ଆଣିବା ଆରମ୍ଭ କଲେଣି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର ପ୍ରମୁଖ ଲକ୍ଷ୍ୟ।

ରବିବାରର ବୈଠକରେ ଦର୍ଶନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାକ୍ରମେ ପୂର୍ବ ଏସ୍ଓପିରେ ସାମାନ୍ୟ ସଂଶୋଧନ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ନେଇ ଅନେକ ସମସ୍ୟା ଦେଖାଦେବାରୁ ଏହାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ୨୧ରୁ ଭକ୍ତଙ୍କୁ ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ। କିନ୍ତୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ସହ ଅନ୍ୟାନ୍ୟ କୋଭିଡ୍ କଟକଣା ବଳବତ୍ତର ରହିବ। ଗଙ୍ଗାସାଗର ମେଳା ପରେ ପରେ ଅର୍ଥାତ୍ ଜାନୁଆରି ୨୧ରୁ ଦୈନିକ ୩୦ହଜାର ଭକ୍ତଙ୍କୁ ଦର୍ଶନ କରାଇବା ପାଇଁ ଆମେ ପ୍ରସ୍ତୁତ ହୋଇଛୁ। ଭକ୍ତ ସଂଖ୍ୟା ବଢ଼ିଲେ କ’ଣ କରିହେବ, ସେ ଉପରେ ତିନି ଚାରିଦିନ ଭିତରେ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ସେହି ଅନୁଯାୟୀ ଅଧିକ ଭକ୍ତଙ୍କୁ ଦର୍ଶନ କରାଇବାକୁ ଲକ୍ଷ୍ୟ ରଖାଯାଇଛି। ସପ୍ତାହକୁ ଗୋଟିଏ ଦିନ ଅର୍ଥାତ୍ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ଅନ୍ୟ ଦିନମାନଙ୍କରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରି ଫେରିବେ, ତାର ବ୍ୟବସ୍ଥା କରାଯାଉଛି। ନୀତିକାନ୍ତି ସଂପର୍କରେ ବିଭିନ୍ନ ନିଯୋଗ ସହ ଆଲୋଚନା ହୋଇଛି। ପ୍ରତିଦିନ ଭୋର ୫ଟା ୪୫ ସୁଦ୍ଧା ମଙ୍ଗଳ ଆଳତି ସରିବ। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ପୁରୀ ସହରର ବହୁ ଭକ୍ତ ଅଛନ୍ତି, ଯେଉଁମାନେ ଦୈନିକ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଏଥିପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ସହରବାସୀ ଧାଡ଼ିରେ ଆସି ସିଂହଦ୍ବାର ଦେଇ ଦର୍ଶନ ପରେ ଅନ୍ୟଦ୍ବାରରେ ପ୍ରସ୍ଥାନ କରିବେ। ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ସମୟରେ ବାହାର ଭକ୍ତଙ୍କ ସହ ପୁରୀ ସହରବାସୀ ବି ଦର୍ଶନ କରିପାରିବେ। କିନ୍ତୁ ସର୍ବସାଧାରଣ ଧାଡ଼ିରେ ଆସି ଦର୍ଶନ କରିବାକୁ ପଡ଼ିବ। ପୂର୍ବରୁ ୬୫ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧାଙ୍କ ଦର୍ଶନରେ କଟକଣା ଲାଗିଥିଲା। ଏହି କଟକଣାକୁ ହଟାଇ ଦିଆଯାଇଛି।
ଜାନୁଆରି ୨୧ରୁ ବୃଦ୍ଧବୃଦ୍ଧାମାନେ ବି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ। ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯିବ। ଖରା ବଢ଼ୁଥିବାରୁ ଭକ୍ତଙ୍କ ସୁବିଧା ପାଇଁ ସିଂହଦ୍ବାରରେ ଅଧିକ ସେଡ୍ କରାଯିବ। ପିଇବା ପାଣିର ସୁବିଧା କରାଯିବ। କିନ୍ତୁ ଆନନ୍ଦ ବଜାର କଟକଣା ବଳବତ୍ତର ରହିବ। ଭକ୍ତମାନେ ମହାପ୍ରସାଦ କିଣି ନେଇପାରିବେ, କିନ୍ତୁ ଆନନ୍ଦବଜାରରେ ଖାଇ ପାରିବେନି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
The post କୋହଳ ହେଲା ଶ୍ରୀମନ୍ଦିର ଦର୍ଶନ କଟକଣା, ୨୧ରୁ ଦରକାର ନାହିଁ କୋଭିଡ୍ ରିପୋର୍ଟ first appeared on Sambad.
from ରାଜ୍ୟ – Sambad https://ift.tt/2XqiHkA
0 Comments