ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣ ଚନ୍ଦ୍ର-ସୂର୍ଯ୍ୟ ଦାନକଲେ ଭକ୍ତ

ପୁରୀ : ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଛନ୍ତି ଭକ୍ତ ପଦ୍ମଚରଣ ପାତ୍ର। ଭୁବନେଶ୍ବର ଭକ୍ତ ଶ୍ରୀ ପାତ୍ର ରବିବାର ପରିବାର ସହ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହା ଦାନ କରିଛନ୍ତି। ଶ୍ରୀ ପାତ୍ର ତିନି ଠାକୁରଙ୍କ ପାଇଁ ତିନିହଳ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ୟ ଦାନ କରିଛନ୍ତି। ଯାହା ଅତ୍ୟନ୍ତ ସୁନ୍ଦର ଓ ଚିତ୍ତାକର୍ଷକ ବି ହୋଇଛି। ଏହି ଚନ୍ଦ୍ର-ସୂର୍ଯ୍ୟରେ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୁପା ବ୍ୟବହାର କରାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀଜିଉଙ୍କୁ ଏହି ନୂତନ ଚନ୍ଦ୍ର-ସୂର୍ଯ୍ୟ ଲାଗି ହେବ ବୋଲି ମନ୍ଦିର ପ୍ରଶାସନ କହିଛି। ଏହି ଅବସରରେ ମୁଖ୍ୟ ପ୍ରଶାସକ ଶ୍ରୀ ପାତ୍ରଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ସମ୍ମାନିତ କରିଛନ୍ତି।

ପୂର୍ବରୁ ଭୁବନେଶ୍ବରର ଭକ୍ତ ଶିବପ୍ରସାଦ ପଣ୍ଡା ମହାପ୍ରଭୁଙ୍କ ପାଇଁ ୨୧ କେଜି ରୁପା ଦାନ କରି ଚର୍ଚ୍ଚାରେ ରହିଥିଲେ। ଶ୍ରୀ ପଣ୍ଡା ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ ଏବଂ ଦକ୍ଷିଣି ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ପାଇଁ ଏହି ରୁପା ଦାନ କରିଥିଲେ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ବେଳେ ଲାଗି ବେଶରୁ ଚନ୍ଦ୍ର-ସୂର୍ଯ୍ୟ ଚୋରି ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଶ୍ରୀମନ୍ଦିର ପ୍ରଶାସନ ‌ଆଗୋଚରରେ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଏହାକୁ ବେଶରୁ କାଢ଼ି ନେଇଥିଲେ। ଏଥିପାଇଁ ସ୍ବତନ୍ତ୍ର ତଦନ୍ତ ବି ହୋଇଥିଲା। ଭିଡିଓ ରେକର୍ଡିଂ ଜରିଆରେ ବେଶର ଦାତା, ବେଶ କାରିଗରଙ୍କ ସହ ଅନ୍ୟମାନଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ପରେ ଏହା ତାଲିକା ବାହାରେ ତିଆରି କରାଯାଇଥିବା ନୀତି ପ୍ରଶାସକ ସ୍ପଷ୍ଟ କରିଥିଲେ।

The post ଶ୍ରୀଜିଉଙ୍କ ପାଇଁ ସୁବର୍ଣ୍ଣ ଚନ୍ଦ୍ର-ସୂର୍ଯ୍ୟ ଦାନକଲେ ଭକ୍ତ first appeared on Sambad.



from ରାଜ୍ୟ – Sambad https://ift.tt/3bt2546

Post a Comment

0 Comments