
ନୟାଗଡ଼, (ରିତେନ୍ଦ୍ର ଛାଟୋଇ): ଦିନ ଥିଲା ସାରା ଭାରତବର୍ଷରେ ନୟାଗଡ଼ ଚିନି ବା ନୟା ସୁଗାର୍ର ବେଶ୍ ଚାହିଦା ଥିଲା। ନୟାଗଡ଼ ଆଖୁଚାଷୀଙ୍କ ସ୍ବଚ୍ଛଳତା ଦେଖି ଅନ୍ୟମାନେ ଈର୍ଷା କରୁଥିଲେ। ହେଲେ ରାଜନେତା, ଶିଳ୍ପପତି ମିଶି ନୟାଗଡ଼ ପାଣିପୋଇଲାରେ ଅବସ୍ଥିତ ସମବାୟ ଚିନିକଳକୁ ବୁଡ଼ାଇ ଦେଲେ। ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିବା ନୟାଗଡ଼ ଚିନିକଳ ଏକାଧିକ ଥର ବନ୍ଦ ହୋଇଥିବା ବେଳେ, ୨୦୧୪ ମସିହାରୁ ଏଥିରେ ସଂପୂର୍ଣ୍ଣ ଭାବେ ତାଲା ଝୁଲୁଛି। ଚିନିକଳକୁ ନେଇ ହାଇକୋର୍ଟରେ ମାମଲା ଗଡ଼ୁଛି। ଏଣେ ନୟାଗଡ଼ର ଆଖୁଚାଷୀ ଦାଦନ ଖଟି ଗଲେଣି।
ସଂଯୋଗକୁ ଏହା ବର୍ତ୍ତମାନର କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଜିଲ୍ଲା ହୋଇଥିବା ବେଳେ, ତାଙ୍କର କାର୍ଯ୍ୟକାଳ ଶେଷ ବେଳକୁ ହୁଏତ ଜିଲ୍ଲାରେ ଆଖୁ ଚାଷ ଲୋପ ହେବା ସ୍ଥିତିରେ ପହଞ୍ଚିଥିବ। ଚିନିକଳ ଖୋଲିବାକୁ ଶାସକ କି ବିରୋଧୀ କାହାରି ନିଘା ନାହିଁ। କେବଳ ନିର୍ବାଚନ ବେଳେ ଚିନି କଳ ନେଇ ସମସ୍ତେ କୁମ୍ଭୀର କାନ୍ଦାଣା କାନ୍ଦନ୍ତି। ଏଭଳି ସ୍ଥିତିରେ ଗତ ପ୍ରାୟ ୧୦ ବର୍ଷ ଅର୍ଥାତ୍ ୨୦୦୮-୦୯ ବର୍ଷରୁ ଆରମ୍ଭ କରି ବିଗତ ବର୍ଷ ପର୍ଯ୍ୟନ୍ତ ତଥ୍ୟକୁ ବିଚାର କଲେ, ଚିନିକଳ କାର୍ଯ୍ୟକ୍ଷମ ଥିବା ଓ ବନ୍ଦ ପରେ କିଭଳି ଚାଷ ଉପରେ ପ୍ରଭାବ ପଡ଼ିଛି, ତାହା ବାରି ହୋଇପଡ଼ୁଛି। ଚିନିକଳ କାର୍ଯ୍ୟକ୍ଷମ ଥିବା ସମୟରେ ଚାଷ ଓ ଏହା ଅଚଳ ହେବା ଅବସ୍ଥାକୁ ଆସିବା ପରର ଚାଷ, ଉତ୍ପାଦନ ମଧ୍ୟରେ ଆକାଶ ପାତାଳ ଫରକ ଦେଖାଯାଇଛି।
୨୦୦୮-୦୯ ଆର୍ଥିକ ବର୍ଷରେ ଖୋଦ୍ ସରକାରୀ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୫୪୨୦ ହେକ୍ଟର ଜମିରେ ଚାଷ ହେଉଥିବା ବେଳେ, ୩୪୭.୯୬ ମେଟ୍ରିକ ଟନ୍ ଆଖୁ ଉତ୍ପାଦନ ହୋଇଥିଲା। ୨୦୧୮-୧୯ ବର୍ଷରେ ମାତ୍ର ୧୧୨୦ ହେକ୍ଟର ଜମିରେ ଚାଷୀ ଆଖୁଚାଷ କରିଥିବା ବେଳେ ୧୦୦ ମେଟ୍ରିକ୍ ଟନ୍ ପାଖାପାଖି ଆଖୁ ଉତ୍ପାଦନ କରାଯାଇଛି। ଗତ ୧୨ ବର୍ଷ ମଧ୍ୟରେ ୨୦୧୦-୧୧ ବର୍ଷରେ ସର୍ବାଧିକ ୫୯୪୫ ହେକ୍ଟର ଜମିରେ ଆଖୁଚାଷ ହୋଇଥିଲା। ୨୦୧୮-୧୯ ତଥ୍ୟ ଅନୁଯାୟୀ ୧୧୨୦ ହେକ୍ଟର ଜମିରେ ଚାଷ ହୋଇଛି। ଅର୍ଥାତ୍ ନୟାଗଡ଼ ଜିଲ୍ଲାରେ ପାଖାପାଖି ୧୮ ପ୍ରତିଶତ ଜମିରେ ବର୍ତ୍ତମାନ ଆଖୁଚାଷ ହେଉଛି। ଆଖୁ ଉତ୍ପାଦନ ୬୦ ପ୍ରତିଶତ କମି ଯାଇଛି। ପୂର୍ବାପେକ୍ଷା ୮୦ ପ୍ରତିଶତ ଜମିରେ ଆଖୁଚାଷ କମିଛି। ବାଲୁଗାଁର ଆଖୁଚାଷୀ ରବୀନ୍ଦ୍ରନାଥ ସାଥୁଆ, କିଶୋର ପ୍ରଧାନ, ପବିତ୍ର ସାହୁ, କଣ୍ଟାବଣିଆର ଏକା ସେଠୀ ପ୍ରମୁଖ କହିଛନ୍ତି, ଦିନ ଥିଲା ସେମାନେ ୪ ଏକର ଲେଖାଏଁ ଆଖୁଚାଷ କରୁଥିଲେ। ନୟାଗଡ଼ ଚିନିକଳରେ ଆଖୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ଚିନିକଳ ବନ୍ଦ ପରେ ସେମାନେ ଚାଷ ଛାଡ଼ି ଦେଇଛନ୍ତି। ଅନେକ ବିହନ ବଞ୍ଚାଇବାକୁ କେବଳ ନାମମାତ୍ର ଚାଷ କରୁଥିବା ବେଳେ, ବାକି ଲୋକ ଚାଷ ଛାଡ଼ି ଅନ୍ୟ ରାଜ୍ୟକୁ କାମ କରିବାକୁ ଚାଲିଯାଇଛନ୍ତି।
The post ଚିନିକଳ ଖୋଲିବାକୁ କାହାର ନିଘା ନାହିଁ : ଆଖୁଚାଷୀ ଗଲେଣି ଦାଦନ first appeared on Sambad.
from ରାଜ୍ୟ – Sambad https://ift.tt/3bvAVcR
0 Comments