ବାହାଘର କଟକଣା ହଟିଲା: ଶୋଭାଯାତ୍ରାକୁ ଅନୁମତି ଲାଇଟ୍‌ ଜଳିବ, ବ୍ୟାଣ୍ଡ୍‌ ବାଜିବ

ଭୁବନେଶ୍ବର: ବାହାଘର ଶୋଭାଯାତ୍ରା ଉପରେ ରାଜ୍ୟ ସରକାର କଟକଣା ହଟାଇ ‌େଦଇଛନ୍ତି। ଏଣିକି ବରଯାତ୍ରୀଙ୍କୁ ନେଇ ବର ଶୋଭାଯାତ୍ରାରେ ଯାଇପାରିବେ। ଲାଇଟ୍‌, ସାଉଣ୍ଡ୍‌, ବ୍ୟାଣ୍ଡ୍‌ ପାର୍ଟି ସବୁ ଶୋଭାଯାତ୍ରାରେ ସାମିଲ୍‌ ହୋଇପାରିବ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର୍‌ଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି।

ତେବେ ‌ସମସ୍ତଙ୍କୁ ମିଶାଇ ଶୋଭାଯାତ୍ରାରେ କୌଣସି ପରିସ୍ଥିତି‌େର ୨୦୦ରୁ ଅଧିକ ଲୋକ ହେବେ ନାହିଁ। ସମସ୍ତେ ମାସ୍କ ପିନ୍ଧିବା ସହ ଶାରୀରିକ ଦୂରତା ରକ୍ଷା କରିବେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏସ୍‌ଆର୍‌ସି ପି.କେ. ଜେନା ନିର୍ଦ୍ଦେଶ ଦେଇଛନ୍ତି। ବିବାହ, ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିବ। କୌଣସି ହଲ୍‌ରେ ବିବାହ କାର୍ଯ୍ୟକ୍ରମ କଲେ ହଲ୍‌ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ଅନୁମତି ଦିଆଯିବ। ଖୋଲା ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ, ସେହି ସ୍ଥାନର ଆକାର ଦେଖି ଲୋକଙ୍କୁ ଅନୁମତି ଦିଆଯିବ। ଏହି ସଂଖ୍ୟା ମଧ୍ୟ କୌଣସି ପରିସ୍ଥିତିରେ ୨୦୦ରୁ ଅଧିକ ହେବ ନାହିଁ।

କରୋନା ପାଇଁ ସରକାର ବିଭିନ୍ନ କଟକଣା ପୂର୍ବରୁ ଜାରି କରିଥିଲେ। ଏଥିରେ ବିବାହ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଯଦିଓ କମ୍ ଲୋକରେ ବିବାହ ଭୋଜିଙ୍କୁ ଅନୁମତି ଦିଆଯାଇଥିଲା, ତେବେ ଶୋଭାଯାତ୍ରା ଉପରେ କଟକଣା ଥିଲା। ଏଥିପାଇଁ ‌ଲାଇଟ୍‌, ସାଉଣ୍ଡ୍‌, ବ୍ୟାଣ୍ଡ୍‌ ପାର୍ଟିରେ କାମ କରୁଥିବା ଶହ ଶହ ଲୋକ ଜୀବିକା ହରାଇଥିଲେ। କରୋନା କଟକଣା ବିଭିନ୍ନ ପର୍ଯ୍ୟାୟରେ କୋହଳ ହୋଇଥିଲେ ବି ବାହାଘର ଶୋଭାଯାତ୍ରା ପାଇଁ ଅନୁମତି ମିଳି ନ ଥିଲା। କଟକଣା ଉଠାଇ ଜୀବନ ଜୀବିକାକୁ ସ୍ବାଭାବିକ କରିବା ପାଇଁ ଏହି ବୃତ୍ତିର ଲୋକମାନେ ବାରମ୍ବାର ଦାବି କରି ଆସୁଥିଲେ। ସରକାରଙ୍କ ଆଜିର ବିଜ୍ଞପ୍ତି ପରେ ଆସନ୍ତା ବିବାହ ଋତୁରେ ସେମାନେ ନିଜ ନିଜ ଜୀବିକାକୁ ପୁଣି ଫେରିଯିବାର ସମ୍ଭାବନା ଦେଖାଦେଇଛି।

The post ବାହାଘର କଟକଣା ହଟିଲା: ଶୋଭାଯାତ୍ରାକୁ ଅନୁମତି ଲାଇଟ୍‌ ଜଳିବ, ବ୍ୟାଣ୍ଡ୍‌ ବାଜିବ first appeared on Sambad.



from ରାଜ୍ୟ – Sambad https://ift.tt/2MVb7fL

Post a Comment

0 Comments