ଜଙ୍ଗଲ ବିଭାଗ ମହାଦୁର୍ନୀତି ଗୁମର ଖୋଲୁଛି : ସମ୍ପର୍କୀୟଙ୍କ ନାମରେ ଲକ୍ଷଲକ୍ଷ ଟଙ୍କା ହଡ଼ପ

ଟମକା ରେଞ୍ଜରେ ଦଲାଲ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା
ଜଙ୍ଗଲ ଭିତରେ କୋଟିକୋଟି ଟଙ୍କାର ଆଡ଼ିବନ୍ଧ ଓ ମାଟି କାମ

ଯାଜପୁର : ବନ ବିଭାଗ କଟକ ଡିଭିଜନ୍ ଅଧୀନ ଯାଜପୁର ଜିଲ୍ଲାର ଟମକା ରେଞ୍ଜରେ କୋଟିକୋଟି ଟଙ୍କା ହେରାଫେରି ଘଟଣା ଏବେ ନଜରକୁ ଆସିଛି। ଦଲାଲ ଓ କେତେକ ଅଧିକାରୀଙ୍କ ଅସାଧୁମେଣ୍ଟ ଜଙ୍ଗଲ ଭିତରେ ଶହଶହ ସଂଖ୍ୟାରେ ନିର୍ମାଣ କାମ ଦର୍ଶାଇ ଓମବାଡ଼ସି, ଡିଏମଏଫ, କାମ୍ପା ଓ ମନରେଗା ଅର୍ଥ ଚଳୁ କରାଯାଇଛି। ଏହି ରେଞ୍ଜରେ କଟକ, ଖୋର୍ଦ୍ଧା ପ୍ରଭୃତି ଅନ୍ୟ ଜିଲ୍ଲାର ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ବିନା ଟେଣ୍ଡରରେ ଶହଶହ ବିଲ୍ କରାଯାଇ ନିୟମିତ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଛି। ଏପରିକି ଠିକା କର୍ମଚାରୀଙ୍କ ବାପା,ଭାଇ ଓ ପତ୍ନୀଙ୍କ ନାମରେ ମଧ୍ୟ ଜାଲ ଭାଉଚର କରି ଲକ୍ଷଲକ୍ଷ ଟଙ୍କା ଚଳୁ କରାଯାଇଥିବାର ଖବର ଆମ ଅନୁସନ୍ଧାନ ଟିମ୍‌ର ହସ୍ତଗତ ହୋଇଛି। ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଣ ହୋଇଥିଲେ ବି ସେମାନେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଟମକା ରେଞ୍ଜ ଅଧୀନରେ ଥିବା ଦୈତାରୀ ଡିପିଏଫ ଓ ମହାଗିରି ଡିପିଏଫ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମରେ ଶହଶହ ଛୋଟ ଆଡ଼ିବନ୍ଧ, ମାଟି ପଥର କାମ କରାଯାଇଥିବାର ଦର୍ଶାଯାଇଛି। ଏହି କାମ ବାବଦରେ କୋଟିକୋଟି ଟଙ୍କା ହରିଲୁଟ୍ ଚାଲିଛି।

ସରକାରୀ ତଥ୍ୟକୁ ଜଣାପଡ଼ିଛି ଯେ ଖୋର୍ଦ୍ଧା ଜିଲ୍ଲା ସିମୁଳିଆପାଟଣା ଗ୍ରାମର ଅରୁଣ ମହାରଣା, ସଂଜିତ କୁମାର ବେହେରା ଓ ଭାଇ ସରୋଜ କୁମାର ବେହେରା, କଟକ ଚୌଦ୍ବାର ବିଶ୍ବଜିତ ଗଜେନ୍ଦ୍ର ମହାପାତ୍ର ଓ ଦିଲ୍ଲୀପ ସୁବୁଦ୍ଧି ରାୟ, କଟକର ବାନରା ଚିତ୍ରସେନ ବଳ ପ୍ରଭୃତିଙ୍କ ନାମରେ ଶହ ଶହ ବିଲ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଓମବାଡ଼ସିରେ ଗତ ୨ବର୍ଷ ମଧ୍ୟରେ ପୈଠ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସିମୁଳିଆ ପାଟଣା ଗ୍ରାମର ସଂଜିତ କୁମାର ବେହେରାଙ୍କ ନାମରେ ଗତବର୍ଷ ୨୦୨୦ ଜାନୁଆରି ୧ ରୁ ୧୯ତାରିଖ ମଧ୍ୟରେ କେବଳ ଦୈତାରୀ ଡିପିଏଫ ଭିତରେ ୧୧ଟି ନିର୍ମାଣ କାମ ଦର୍ଶାଇ ୨ଲକ୍ଷ ୧୫ହଜାର ୫୭୯ଟଙ୍କା ବିଲ୍ କରାଯାଇଛି। ସଂଜିତ ଓ ଭାଇ ସରୋଜଙ୍କ ନାମରେ ମଧ୍ୟ ଶହ ଶହ ବିଲ୍ କରାଯାଇ ଲକ୍ଷ ଟଙ୍କା ବିଲ୍ ପୈଠ କରାଯାଇଛି। ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ ଏହି ରେଞ୍ଜରେ ଦିନ ମଜୁରିଆ ଭାବେ କାମ କରୁଥିବା ଦାନଗଦୀ ବ୍ଲକ୍ ଗୋବର୍ଦ୍ଧନପୁରର ଜଅଁର ଗ୍ରାମର ମାନସ ବେହୁରାଙ୍କ ବାପା ବଳରାମ ବେହୁରା, ପତ୍ନୀ ଅନିମା ବେହୁରାଙ୍କ ନାମରେ ମଧ୍ୟ ୨ବର୍ଷ ମଧ୍ୟରେ ଶହ ଶହ ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଅଧିକାରୀ ବ୍ୟାଙ୍କ ଜରିଆରେ ଉଠାଇ ନେଇଛନ୍ତି। ଅଥଚ ବଳରାମ କିମ୍ବା ଅନିମା ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି।

ଏହି ମହାଦୁର୍ନୀତି ସମ୍ପର୍କରେ ଟମକା ରେଞ୍ଜର ଘନଶ୍ୟାମ ମୁଦୁଲି ସଫେଇ ଦେଇଛନ୍ତି ତାଙ୍କ ରେଞ୍ଜରେ ରାଜ୍ୟର ସବୁଠାରୁ ଭଲ କାମ ହୋଇଛି। ପିସିସିଏଫ ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ଅଧିକାରୀ ଆସି ତାଙ୍କୁ ସାବାସୀ ଦେଇଛନ୍ତି। ଜିଲ୍ଲା ବାହାର ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ହୋଇଥିବା ଶହ ଶହ ବିଲ ସମ୍ପର୍କରେ କହିଛନ୍ତି ଯେ ସେମାନଙ୍କର ହିଟାଚି ଓ ଅନ୍ୟାନ୍ୟ ମେସିନ ଜରିଆରେ କାମ କରିଥିବାରୁ ତାଙ୍କ ନାମରେ ବିଲ୍ ହୋଇଛି।

ଅନ୍ୟପକ୍ଷରେ ଏହି ରେଞ୍ଜରେ କାମ୍ପା, ମନରେଗା, ଓମବାଡସି, ଡିଏମଏଫ ଯୋଜନାରୁ କୋଟିକୋଟି ଟଙ୍କା ବନୀକରଣ ଓ ଜଙ୍ଗଲ ଅଞ୍ଚଳରେ ଆଡ଼ିବନ୍ଧ, ମାଟି କାମ ହୋଇଥିବା ବେଳେ ଗୋଟିଏଗୋଟିଏ କାମକୁ ଏକାଧିକ ଯୋଜନାରେ ଦର୍ଶାଯାଇଛି ବୋଲି ଅଭିଯୋଗ ହୋଇଛି। କେତେକ ଦଲାଲଙ୍କ ଜରିଆରେ ବ୍ୟାଙ୍କ ଚେକ୍ ପୈଠ କରି ‌କୋଟିକୋଟି ଟଙ୍କା ହରିଲୁଟ୍ କରାଯାଇଥିବାର ଅଭିଯୋଗ ହେଉଛି। ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ କଳାକାରନାମା ସହିତ ଏହାର ଭିଜିଲାନ୍ସ‌ ତଦନ୍ତ କଲେ। ଜଙ୍ଗଲ ବିଭାଗରେ ହୋଇଥିବା କୋଟିକୋଟି ଟଙ୍କା ଦୁର୍ନୀତିର ବହୁ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

The post ଜଙ୍ଗଲ ବିଭାଗ ମହାଦୁର୍ନୀତି ଗୁମର ଖୋଲୁଛି : ସମ୍ପର୍କୀୟଙ୍କ ନାମରେ ଲକ୍ଷଲକ୍ଷ ଟଙ୍କା ହଡ଼ପ first appeared on Sambad.



from ରାଜ୍ୟ – Sambad https://ift.tt/38qVJ38

Post a Comment

0 Comments