ଅନୁଗୁଳ ହେବ ଦେଶରେ ଅର୍ଥନୈତିକ ପେଣ୍ଠସ୍ଥଳୀ

ଅନୁଗୁଳ : ଅନୁଗୁଳ ହେବ ଦେଶର ଅର୍ଥନୈତିକ ପେଣ୍ଠସ୍ଥଳୀ। ଏଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏଥିସହିତ, ବିଜେପିକୁ ଅନୁଗୁଳ ଜିଲ୍ଲା ତଥା ରାଜ୍ୟର ଏକ ନମ୍ବର ଦଳ ଭାବେ ଗଢ଼ିବା ଏବଂ ଆଗାମୀ ନିର୍ବାଚନରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, କୋଲ୍‌ ଇଣ୍ଡିଆ ସାରା ଭାରତରେ ୬୦୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରୁଥିବାବେଳେ ଅନୁଗୁଳ ଜିଲ୍ଲାରୁ ଶହେ ମିଲିୟନ ଟନ୍ କୋଇଲା ଉତ୍ପାଦନ ହେଉଛି। ଆଗାମୀ ଦିନରେ ଜିଲ୍ଲାରୁ ୨ଶହ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ କରି ଡିଏମ୍‌ଏଫ୍ ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିର ଅର୍ଥ ଯେମିତି ଜିଲ୍ଲାର ଆଠମଲ୍ଲିକରୁ ପାଳଲହଡ଼ା ପର୍ଯ୍ୟନ୍ତ ସବୁନିଯୋଗ ହୋଇପାରିବ, ତାହା ଆମକୁ ଜଗିବାକୁ ପଡ଼ିବ। ନାଲକୋର ଉତ୍ପାଦନ କ୍ଷମତା ବର୍ତ୍ତମାନ ବାର୍ଷିକ ୦.୪୬ ମିଲିୟନ ଟନ୍ ରହିଥିବା ବେଳେ ଏହାକୁ ୧ ମିଲିୟନ ଟନ୍‌କୁ ବୃଦ୍ଧି କରିବା ପାଇଁ ପତ୍ର ଲେଖିଛି। ଉତ୍ପାଦନ କ୍ଷମତା ବଢ଼ିଲେ ଅନୁଗୁଳ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ଅଧିକ ସହାୟକ ହେବ। ଏଠାକାର ବେକାର ଯୁବକଯୁବତୀ ରୋଜଗାର ପାଇବେ। ଅନୁଗୁଳ ଆଗାମୀ ଦିନରେ ଓଡ଼ିଶାର ଅର୍ଥନୈତିକ ଭାତହାଣ୍ଡି ଏବଂ ଭାରତର ଅର୍ଥନୈତିକ ପେଣ୍ଠସ୍ଥଳୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ପାଲଲହଡ଼ା ବିଧାୟକ ରବିନାରାୟଣ ପାଣି, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନଙ୍କ ସହିତ ବରିଷ୍ଠ ନେତା ଅଶୋକ ମହାନ୍ତି, ଅଗସ୍ତି ବେହେରା, ଭାଗୀରଥୀ ପ୍ରଧାନ, ଦିଲୀପ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ।

The post ଅନୁଗୁଳ ହେବ ଦେଶରେ ଅର୍ଥନୈତିକ ପେଣ୍ଠସ୍ଥଳୀ first appeared on Sambad.



from ରାଜ୍ୟ – Sambad https://ift.tt/38wC2qz

Post a Comment

0 Comments