
କଟକ : ସରକାରଙ୍କ ଧାନ ସଂଗ୍ରହ ନୀତି ତ୍ରୁଟିପୂର୍ଣ୍ଣ ଅଭିଯୋଗ ପ୍ରସଂଗ ସଂପର୍କିତ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଦର୍ଶାଇ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ୨୦୨୦, ଅକ୍ଟୋବର ୨୧ର ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ କରି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବିରୋଧରେ ଏହି ଅଦାଲତ ଅବମାନନା ଦାୟର ହୋଇଛି।
ବଲାଙ୍ଗୀରର କୃଷକ ନେତା ଯତି ପ୍ରଧାନଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଧାନ କିଣା ନୀତି ସଂପର୍କିତ ତାଙ୍କ ୨୦୨୦, ମାର୍ଚ୍ଚ ୨୫ର ଅଭିଯୋଗ ଉପରେ ଶୁଣାଣି କରି ଆଇନ ଅନୁସାରେ ଦୁଇ ମାସ ଭିତରେ ଆଦେଶ ପ୍ରଦାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ହାଇକୋର୍ଟ ଗତ ଅକ୍ଟୋବର ୨୧ରେ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରସଂଗରେ ଆଇନ ଅନୁସାରେ ନିଷ୍ପତ୍ତି ନେଇ ଆଦେଶ ପ୍ରଦାନ କରିବା ପୂର୍ବରୁ ଜିଲ୍ଲାପାଳ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ହାଇକୋର୍ଟଙ୍କ ରାୟ ଜିଲ୍ଲାପାଳ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନାହାନ୍ତି ବୋଲି ଦର୍ଶାଇ ଏହି ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
The post ଧାନ ସଂଗ୍ରହ ନୀତି ମାମଲା : ବଲାଙ୍ଗୀର ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା first appeared on Sambad.
from ରାଜ୍ୟ – Sambad https://ift.tt/3omCOuR
0 Comments