ଭୁବନେଶ୍ବର: କୋଭିସିଲ୍ଡ ପରେ ଆଜି ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଛି କୋଭାକ୍ସିନ ଟିକା। ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଟିକାରେ ୨୦ହଜାର ଡୋଜ ଆସି ଭୁବନେଶ୍ବରରେ ପହଞ୍ଚିଥିବା ଜଣାପଡ଼ିଛି। ଟିକାକୁ ବିମାନବନ୍ଦରରୁ ଅଣାଯାଇ ଏବେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରରେ ରଖାଯାଇଛି। ଏଠାରୁ ରାଜ୍ୟର ବିଭିନ୍ନ ଟୀକାକରଣ କେନ୍ଦ୍ରକୁ ଟିକା ପଠାଯିବ।
ମଙ୍ଗଳବାର ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଟିକାର ୪୦ହଜାର ୮ଶହ ଭାଏଲ ଅର୍ଥାତ୍ ୪ଲକ୍ଷ ୮ହଜାର ଡୋଜ୍ ଓଡ଼ିଶା ଆସିଥିଲା। ଗତକାଲି ଟିକା କେତେକ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ପଠାଯାଇଥିବା ସହ ଆଜି ଅବଶିଷ୍ଟ ଜିଲ୍ଲାକୁ ପଠାଯିବ ବୋଲି ଜଣାପଡ଼ିଛି। ଆସନ୍ତା ୧୬ ତାରିଖରେ ଓଡ଼ିଶା ସମେତ ଦେଶବ୍ୟାପୀ କରୋନା ଟୀକାକରଣ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।
ସୂଚନା ମୁତାବକ, ‘କୋଭିସିଲ୍ଡ’ର ଗୋଟିଏ ଭାଏଲରେ ୧୦ଟି ଡୋଜ୍ ଥିବା ବେଳେ ‘କୋଭାକ୍ସିନ୍’ର ଗୋଟିଏ ଭାଏଲ୍ରେ ୨୦ଟି ଡୋଜ୍ ରହିଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଆସିଥିବା ଟିକାର ୫୦ ପ୍ରତିଶତ ଜିଲ୍ଲାକୁ ପଠାଇ ଦିଆଯିବ। ଏହାସହ ଦ୍ବିତୀୟ ଡୋଜ୍ ପାଇଁ ଆବଶ୍ୟକ ୫୦ ପ୍ରତିଶତ ଟିକାକୁ ଠିକ୍ ସମୟରେ ଜିଲ୍ଲାକୁ ଯୋଗାଣ କରାଯିବ। ହିତାଧିକାରୀ ଜଣକ ଯେଉଁ କମ୍ପାନିର ପ୍ରଥମେ ଟିକା ନେଇଥିବେ ଦ୍ବିତୀୟ ଡୋଜ୍ ମଧ୍ୟ ସେହି କମ୍ପାନିର ନେବାକୁ ହେବ। ଟିକାରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ। ତେବେ ପ୍ରଥମ ପର୍ଯ୍ୟାୟରେ ‘କୋଭାକ୍ସିନ୍’ର ଯେତିକି ଡୋଜ୍ ଆସିଛି ଏହାକୁ କେବଳ ଭୁବନେଶ୍ବର ପୌର ଅଞ୍ଚଳରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତି ଜିଲ୍ଲାରେ ଯେତିକି ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି ତାହାକୁ ନଜରରେ ରଖି ସେହି ଜିଲ୍ଲାକୁ ଟିକା ପ୍ରଦାନ କରାଯିବ।
The post ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଲା କୋଭାକ୍ସିନ ଟିକା first appeared on Sambad.
from ରାଜ୍ୟ – Sambad https://ift.tt/35AE7js
0 Comments