ବିବାଦ ଭିତରେ ବଳି ପଡ଼ିଛି ଭକ୍ତଙ୍କ ଭାବାବେଗ : କଟକଣା କୋହଳ ପରେ ବି ଖୋଲୁନି ସିଦ୍ଧ ଭୈରବୀ ପୀଠ

ଗୋଳନ୍ଥରା : ପୂଜକ ଓ ପରିଚାଳନା କମିଟି ଭିତରେ ବିବାଦ ଯୋଗୁଁ ବଳି ପଡ଼ିଛି ଭକ୍ତଙ୍କ ଭାବାବେଗ। ଫଳରେ କରୋନା କଟକଣା କୋହଳ ସତ୍ତ୍ବେ ଏଯାଏ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ବ୍ରହ୍ମପୁର ଉପକଣ୍ଠ ମନ୍ତ୍ରିଡ଼ିସ୍ଥିତ ସିଦ୍ଧ ଭୈରବୀ ପୀଠରେ ତାଲା ଝୁଲୁଛି। ମନ୍ଦିର ଖୋଲୁ ନଥିବାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଭକ୍ତଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖାଦେଇଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା, ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିବା ଦିଗରେ ସରକାର ଓ ପ୍ରଶାସନ ତତ୍ପରତା ଦେଖାଉନାହାନ୍ତି।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ କଟକଣାକୁ କୋହଳ କରିଛି। ଏହି କ୍ରମରେ ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନକୁ ଖୋଲିବା ଲାଗି ଅନୁମତି ବି ଦିଆଯାଇଛି। ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଗାଇଡଲାଇନ୍ ମାନି ଦିଅଁଦେବତାଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ଦୀର୍ଘ ବର୍ଷ ହେଲା ମା’ ସିଦ୍ଧ ଭୈରବୀ ପୀଠର ପରିଚାଳନା କମିଟି ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏଯାଏ ମନ୍ଦିରରୁ ତାଲା ଫିଟିପାରୁନି। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ବାହାରେ ମା’ଙ୍କୁ ମୁଣ୍ଡିଆ ମାରି ପୂଜାର୍ଚ୍ଚନା କରି ନିରାଶ ହୋଇ ଫେରୁଛନ୍ତି। ଗତ ଦୁଇ ମାସ ମଧ୍ୟରେ ଏହି ପୀଠରୁ ଅନେକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ବାହାରୁ ହିଁ ପଳାଉଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ପ୍ରତିବର୍ଷ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ଭିତରେ ବିବାଦ ବଢ଼ୁଥିବା ବେଳେ ଏହା ଥମିବାର ନାଁ ନେଉନି। ସମାଧାନର ବାଟ ବାହାର କରିବାକୁ ପ୍ରଶାସନ ବି ଉଦ୍ୟମ କରୁନି। ଫଳ‌ରେ ଏଭଳି ଅଚଳାବସ୍ଥା ଆଉ କେତେ ଦିନ ଲାଗି ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ପୂଜକଙ୍କ ତରଫରୁ ଆସନ୍ତା ପଣାସଂକ୍ରାନ୍ତି ପର୍ଯ୍ୟନ୍ତ ମନ୍ଦିର ନଖୋଲିବା ପାଇଁ ପ୍ରଶାସନକୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଛି। କରୋନା ପ୍ରାଦୁର୍ଭାବ ଲାଗି ରହିଥିବା ବେଳେ ମନ୍ଦିରରେ ଭିଡ଼ ଜମିଲେ ସ୍ଥିତି ସଂଗିନ୍ ହେବାର ଆଶଙ୍କା ଅଛି ବୋଲି ପୂଜକ ମାନେ କହିଛନ୍ତି। ସେପଟେ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ କହିବାନୁସା‌ରେ, ମନ୍ଦିର ଖୋଲିବାରେ କୌଣସି ଆପତ୍ତି ନାହିଁ। କିନ୍ତୁ ପ୍ରଶାସନ ଅନୁମତି ଦେଉ ନଥିବାରୁ ମନ୍ଦିର ବନ୍ଦ ଅଛି। ସେହିପରି ଭିଡ଼କୁ ନେଇ ପୂଜକଙ୍କ ମତ ଉପରେ କମିଟି ସଦସ୍ୟଙ୍କ କହିବା ହେଉଛି, ବର୍ତ୍ତମାନ ବାହା‌‌ରେ ବି ଭିଡ଼ ଜମୁଛି। ଆସନ୍ତା ସୋମବାର ଦିନ କମିଟି ସଦସ୍ୟ ମାନେ ପ୍ରଶାସନ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

The post ବିବାଦ ଭିତରେ ବଳି ପଡ଼ିଛି ଭକ୍ତଙ୍କ ଭାବାବେଗ : କଟକଣା କୋହଳ ପରେ ବି ଖୋଲୁନି ସିଦ୍ଧ ଭୈରବୀ ପୀଠ first appeared on Sambad.



from ରାଜ୍ୟ – Sambad https://ift.tt/2MknNwH

Post a Comment

0 Comments