ଭୁବନେଶ୍ବର: ରାଜ୍ୟରେ ଆଉ ୧୦ ଦିନ ମଧ୍ୟରେ କରୋନା ଟିକା ପହଞ୍ଚିବ। ପହଞ୍ଚିବାର ଦିନେ କିମ୍ବା ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି। ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମେ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍ରେ ଦିଆଯିବ। ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍ ଦିଆଯିବ।’’
ଏଥିସହ ଡିଏମଇଟି ଡା. ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ବାସ୍ଥ୍ୟକର୍ମୀ ଚାହିଁବେ ଟିକା ନେଇପାରିବେ ଓ ଯେଉଁମାନେ ଚାହିଁବେନି ସେମାନେ ଟିକା ନେବେ ନାହିଁ। ଟିକା ଗ୍ରହଣ କରିବା ସଂପୂର୍ଣ୍ଣ ଇଚ୍ଛାଧୀନ। ପୂର୍ବରୁ ଏ ନେଇ ସରକାର ଘୋଷଣା କରି ସାରିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମଞ୍ଜୁରି ମିଳିବାର ୧୦ ଦିନ ଭିତରେ ଟିକାକରଣ ଆରମ୍ଭ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଗତ ୩ ତାରିଖରେ ଟିକାକୁ ମଞ୍ଜୁରି ମିଳି ସାରିଥିବାରୁ ସେହିଦିନଠାରୁ ୧୦ ଦିନ ଭିତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ତେଣୁ ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ବିଶ୍ବାସ ରହିଛି।
ଉଲ୍ଲେଖଯୋଗ୍ୟ, କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଟିକାକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟିକା ଦେଶରେ ବିକଶିତ ହୋଇ ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ)ର ଅନୁମତି ହାସଲ କରିସାରିଛି। ସେଥିରୁ ଗୋଟିଏ ହେଲା ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ର କୋଭିସିଲ୍ଡ ଟିକା ଓ ଅନ୍ୟଟି ହେଲା ହାଇଦ୍ରାବାଦଭିତ୍ତିକ ଭାରତ ବାୟୋଟେକ୍ର କୋଭାକ୍ସିନ ଟିକା। ଏହି ଦୁଇଟି ଟିକାକୁ ଗତ ୩ ତାରିଖ ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମତି ଦେଇସାରିଥିବାରୁ ଉକ୍ତ ଟିକା ଲୋକଙ୍କୁ କେବେ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଭଲ ଖବର ଆସିଛି।
The post ୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ ନୁହେଁ first appeared on Sambad.
from ରାଜ୍ୟ – Sambad https://ift.tt/2MCFJTg
0 Comments