କ୍ୟାବିନେଟ୍‌ ସଂକଳ୍ପ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି

ମଣ୍ଡିକୁ ଯାଇ ମୁଖ୍ୟମନ୍ତ୍ରୀ ବାସ୍ତବ ସ୍ଥିତି ପରଖନ୍ତୁ: କୃଷକ ମୋର୍ଚ୍ଚା ସଭାପତି
ଧାନ ଦରକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡି

ଭୁବନେଶ୍ବର : ଧାନ ଦରକୁ ଦୁଇଗୁଣ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ସଂକଳ୍ପକୁ ନେଇ ରାଜନୀତି ଥମିନି। ଆଜି ପୁଣି ଥରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ମଣ୍ଡିମାନଙ୍କରେ ଯେପରି ଅବ୍ୟବସ୍ଥା ଚାଲିଛି, ତାର ବାସ୍ତବ ସ୍ଥିତି ନିଜେ ମୁଖ୍ୟମନ୍ତ୍ରୀ ଗସ୍ତ କରି ଦେଖନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଅନ୍ୟପଟେ ଧାନ ଦରକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି ବୋଲି ବିଜେଡି ପାଲଟା ଜବାବ ଦେଇଛି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଚାଷୀଙ୍କ ପ୍ରତି ଏତେ ଦରଦ ଥିଲେ ଶ୍ରୀ ପୁରୋହିତ ବିଧାନସଭାରେ ପାରିତ ସଂକଳ୍ପ ଅନୁଯାୟୀ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାରଙ୍କ ଆଗରେ ଦାବି ରଖନ୍ତୁ।

ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ବିଜୁ ଜନତା ଦଳ ସରକାର ଚାଷୀମାନଙ୍କ ପ୍ରତି ଭଣ୍ଡାମି କରିଛନ୍ତି। ଦୀର୍ଘ ୨୧ ବର୍ଷ ଭିତରେ ଚାଷୀମାନଙ୍କର କଣ ବିକାଶ ହୋଇଛି ତାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସାରା ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ଟୋକନ୍‌ ସମସ୍ୟା ଯୋଗୁ ଚାଷୀମାନଙ୍କ ଭିତରେ ବ୍ୟାପକ ଅସନ୍ତୋଷ କୁହୁଳୁଛି। କୌଣସି ବି ଚାଷୀ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଏମ୍‌ଏସ୍‌ପି ୧୮୬୮ ଟଙ୍କା ପାଉନାହାନ୍ତି। ମଣ୍ଡିରେ ମାଳ ମାଳ ମିଲର୍‌ଙ୍କୁ ଦେଖିବାକୁ ମିଳୁଛି। ପ୍ରତି ମଣ୍ଡିରେ ଚାଷୀ ଆଣିଥିବା ଧାନରୁ ୬ରୁ ୮ କିଲୋ କଟନି ଛଟନି କରାଯାଉଛି। ଛତିଶଗଡ଼ ଓ ମଧ୍ୟପ୍ରଦେଶ ସରକାର ଚାଷୀଙ୍କୁ ବୋନସ୍‌ ପ୍ରଦାନ କରୁଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ୨୦୧୫ରେ ସୋହେଲାଠାରେ ୧୦୦ ଟଙ୍କା ବୋନସ୍‌ ଦେବାକୁ ଘୋଷଣା କରିଥିଲେ। ଅଥଚ ଆଜି ପର୍ଯ୍ୟନ୍ତ ସେ କେବଳ ଫମ୍ପା ପ୍ରତିଶ୍ରୁତିରେ ରହିଲା। ଆଠଗଡ଼ରେ ଚାଷୀମାନଙ୍କୁ ଋଣ ଦେବା ନାଁରେ ପ୍ରତାରଣା କରାଯାଇଛି। ଏବେ ସଂକଳ୍ପ ନାଁରେ ନବୀନ ବାବୁ ନିଜ କାମ ସାରିଦେବାକୁ ବସିଛନ୍ତି। ଓଡ଼ିଶାର ୭୦ ଭାଗ ଚାଷୀ ଏ କଥା ବୁଝିସାରିଲେଣି। କିପରି ମଣ୍ଡିରେ ଚାଷୀଙ୍କ ଧାନରୁ କଟନି ଛଟନି ହେଉଛି ତାକୁ ନିଜେ ଯାଇ ମୁଖ୍ୟମନ୍ତ୍ରୀ ପରଖନ୍ତୁ। ଏହାସହ ଚାଷୀଙ୍କୁ ୫୦୦ ଟଙ୍କା ବୋନସ୍‌ ଦେବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି।

ବିଜେପିକୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି, ନିଜେ ଶ୍ରୀ ପୁରୋହିତ ବିଧାୟକ ଥିବାବେଳେ ବିଧାନସଭାରେ ଧାନର ଏମ୍‌ଏସ୍‌ପି ବୃଦ୍ଧି ନେଇ ଆସିଥିବା ସଂକଳ୍ପକୁ ତାଙ୍କ ଦଳ ଓ ସେ ସମର୍ଥନ କରିଥିଲେ। ହେଲେ ରାଜନୀତି ପାଇଁ ଏବେ ସବୁ ଭୁଲିଯାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଏମ୍‌ଏସ୍‌ପି ଦର ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା କରିବାକୁ ଗୃହରେ ସଂକଳ୍ପ ପାରିତ ହୋଇଥିଲା। ଏବେ କେନ୍ଦ୍ରରେ ବିଜେପି ସରକାର ଅଛି। ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କୁ ଏହି ସଂକଳ୍ପ ଅନୁଯାୟୀ ଦାବି କରିବାକୁ କାହିଁକି ସାହାସ ଜୁଟାଇ ପାରୁନାହାନ୍ତି ବୋଲି ବିଜେଡି ମୁଖପାତ୍ର ପାଲଟା ପ୍ରଶ୍ନ ପଚାରିଛନ୍ତି।

The post କ୍ୟାବିନେଟ୍‌ ସଂକଳ୍ପ ନେଇ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି first appeared on Sambad.



from ରାଜ୍ୟ – Sambad https://ift.tt/3qWnSGH

Post a Comment

0 Comments