ସରକାରଙ୍କ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ: ଆହୁରି ଜୋର୍‌ଦାର ହେବ ଆନ୍ଦୋଳନ, ୧୨ରେ ଦିଲ୍ଲୀକୁ ଯୋଡୁଥିବା ରାଜପଥ ଅବରୋଧ

ନୂଆଦିଲ୍ଲୀ: କୃଷି ଆଇନରେ କେତେକ ପରିବର୍ତ୍ତନ ଆଣିବା ନେଇ କେନ୍ଦ୍ର ସରକାର ଆଜି ଦେଇଥିବା ଲିଖିତ ପ୍ରସ୍ତାବକୁ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଯଦି ସରକାର ନିଜ ଜିଦ୍‌ରୁ ନ ଓହରନ୍ତି ଏବଂ କୃଷି ଆଇନ ପ୍ରତ୍ୟାହାର ନ ହୁଏ, ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି। ଦେଶରେ ରିଲାଏନ୍‌ସ ସାମଗ୍ରୀ ଏବଂ ରିଲାଏନ୍‌ସ ଜିଓକୁ ବର୍ଜନ କରିବା ସହ ଦିଲ୍ଲୀ-ରାଜସ୍ଥାନ ଓ ଦିଲ୍ଲୀ-ଉତ୍ତରପ୍ରଦେଶରେ ବିଭିନ୍ନ ଜାତୀୟ ରାଜପଥ ଅବରୋଧ କରାଯିବ। ଏହା ସହିତ ଡିସେମ୍ବର ୧୪ରେ ଦେଶବ୍ୟାପୀ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ କରାଯିବ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି। ଦେଶର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ସମାବେଶର ଆୟୋଜନ କରାଯିବ। ଉତ୍ତର ଭାରତରୁ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀରେ ପହଞ୍ଚିବେ। ଡିସେମ୍ବର ୧୪ରେ ସମସ୍ତ ବିଜେପି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୃଷକ ନେତା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସରକାର ଦେଇଥିବା ଲିଖିତ ପ୍ରସ୍ତାବରେ ଏମ୍‌ଏସ୍‌ପିରେ କୌଣସି ପରିବର୍ତ୍ତନ ହେବ ନାହିଁ, ବିଦ୍ୟୁତ ବିଲ୍‌ ଦେୟ ପ୍ରକ୍ରିୟା ବଦଳିବ ନାହିଁ, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ସ୍ପଷ୍ଟ କରାଯିବା ସହ କୃଷି ଆଇନରେ ମଧ୍ୟ କେତେକ ପରିବର୍ତ୍ତନ ଅଣାଯିବ ବୋଲି ଚାଷୀଙ୍କୁ କୁହାଯାଇଥିଲା। ସରକାର ଚାଷୀଙ୍କ ଦାବି ପ୍ରତି ସଚେତନ ଅଛନ୍ତି ଏବଂ ସେମାନଙ୍କ ଦାବି ପୂରଣ ହେବ ବୋଲି ସରକାର ପ୍ରସ୍ତାବ ରଖିଥିଲେ। ମାତ୍ର ସରକାରଙ୍କ ଏହି ପ୍ରସ୍ତାବକୁ ଚାଷୀ ନେତାମାନେ ଅଗ୍ରାହ୍ୟ କରିଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ହେଲେ ହିଁ ଆନ୍ଦୋଳନରୁ ଆମେ ଓହରିବୁ ବୋଲି ସେମାନେ କହିଛନ୍ତି।
ସରକାର ପ୍ରସ୍ତାବ ଦେବା ପୂର୍ବରୁ ଆଜି ସିଂଘୁ ସୀମାରେ କୃଷକ ନେତାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୃଷି ଆଇନରେ କୌଣସି ସଂଶୋଧନ ପ୍ରସ୍ତାବକୁ କୃଷକ ଗ୍ରହଣ କରିବେ ନାହିଁ ବୋଲି ଭାରତୀୟ କିଷାନ ସଂଘର ମୁଖପାତ୍ର ରାକେଶ ଟିକାଏତ କହିଛନ୍ତି। ଯେଉଁ ଉପାୟରେ ସରକାର ବିନା ଚର୍ଚ୍ଚାରେ କୃଷି ବିଲ୍‌କୁ ସଂସଦରେ ଗୃହୀତ କରାଇନେଲେ ତାହା ଚାଷୀମାନଙ୍କ ପ୍ରତି ଅପମାନ ବୋଲି କୃଷକ ନେତା ଟିକାଏତ କହିଛନ୍ତି।
ଗତରାତିରେ କୃଷକ ନେତାମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବା ପରେ ଏକ ବୈଠକରେ ମିଳିତ ହୋଇ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

The post ସରକାରଙ୍କ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ: ଆହୁରି ଜୋର୍‌ଦାର ହେବ ଆନ୍ଦୋଳନ, ୧୨ରେ ଦିଲ୍ଲୀକୁ ଯୋଡୁଥିବା ରାଜପଥ ଅବରୋଧ first appeared on Sambad.



from ରାଜ୍ୟ – Sambad https://ift.tt/34fQUr5

Post a Comment

0 Comments