ଟାଟା ମୋଟର୍ସ ନାଁରେ ଠକେଇ ମାମଲା : ବାପା କ୍ୱାର୍ଟର୍ସରେ ପୁଅର ନକଲି ଅଫିସ

ଭୁବନେଶ୍ୱର : ଟାଟା ମୋଟର୍ସ ନାଁରେ ପାଠକ ପିତା-ପୁତ୍ରଙ୍କ ଠକେଇ ଚେର କେତେ ଗଭୀର ତାହା ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ପୁଅ ଆକାଶଙ୍କୁ ଆଇଏଫ୍‌ଏସ୍‌ ବାପା ଅଭୟକାନ୍ତ ପାଠକ ଟାଟା ମୋଟର୍ସର ନକଲି ଏମ୍‌ଡି ସଜାଇଥିଲେ। ଏଥିଲାଗି ଲକ୍ଷାଧିକ ଟଙ୍କା ବିନିଯୋଗ ମଧ୍ୟ କରିଥିଲେ। ଆକାଶଙ୍କ ନକଲି ପିଏ ଡେଭିଡ୍ ପିଟରକୁ ଜେରା ବେଳେ ଆହୁରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ଦୁଇ ବର୍ଷ ତଳେ ଭୁବନେଶ୍ବରରେ ଆକାଶ ଖୋଲିଥିଲେ ପ୍ରଥମ ଅଫିସ। ତା’ ପୁଣି ଆଉ କେଉଁଠି ନୁହେଁ ଅଭୟକାନ୍ତଙ୍କ ୟୁନିଟ୍-୯ ସ୍ଥିତ ସରକାରୀ ବାସଭବନରେ। ସେଇଠି ଖୋଲିଥିଲା ଟାଟା ମୋଟର୍ସ ଜାଲ ଅଫିସ। ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକା ଯାଉଥିଲା। ସେଠାରେ ପ୍ରାର୍ଥୀଙ୍କର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ଜାଲ୍ ନିଯୁକ୍ତିପତ୍ର ମଧ୍ୟ ଦିଆଯାଉଥିଲା। ଓଡ଼ିଶାରେ ଠକେଇର ଶିକାର ହୋଇଥିବା କେତେକ ପ୍ରାର୍ଥୀ ଏହି ସରକାରୀ କ୍ବାର୍ଟର୍ସକୁ ଆସିଥିଲେ ବୋଲି ତଦନ୍ତ ସମୟରେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ଆକାଶ ଯେତେବେଳେ ଓଡ଼ିଶା ଆସୁଥିଲେ ଏଠାରେ ରହି ସବୁ ଅପରେସନ୍ ଚଳାଉଥିଲେ। ସାଙ୍ଗରେ ମ୍ୟାନେଜର, ପିଏ, ବଡିଗାର୍ଡ ସମସ୍ତେ ଆସୁଥିଲେ। ସରକାରୀ କ୍ବାର୍ଟର୍ସ ପରିସରରେ ଥିବା ଆକାଶଙ୍କ ଅଫିସ ଚଳଚଞ୍ଚଳ ହୋଇ ଉଠୁଥିଲା। ଏଠାରେ ଅଫିସ ଚାଲୁଥିବା ନେଇ ତଦନ୍ତ ସମୟରେ ଠକାମିର ଶିକାର ହୋଇଥିବା କିଛି ବ୍ୟକ୍ତିଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି।

କେବଳ ଭୁବନେଶ୍ବର ନୁହେଁ ଗତ ଦୁଇ ବର୍ଷ ଭିତରେ ଆକାଶ ଏଭଳି ତିନିଟି ନକଲି ଅଫିସ ଖୋଲି ଅପରେସନ୍ ଚଳାଇଥିଲେ। ପାଟନାରେ ମଧ୍ୟ ଗୋଟିଏ ଅଫିସ ଖୋଲିଥିଲେ। ପୁନେରେ ଦୁଇ ବର୍ଷ ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଅଫିସ ବଦଳି ଯାଇଥିଲା। ପୂର୍ବରୁ ଯେଉଁ କୋଠାରେ ଅଫିସ ଭଡ଼ାରେ ଚାଲୁଥିଲା ସେହି ମାଲିକଙ୍କଠାରୁ ପୁଲିସ ଆକାଶଙ୍କ ସହ ହୋଇଥିବା ଏଗ୍ରିମେଣ୍ଟ କାଗଜପତ୍ର ସଂଗ୍ରହ କରିଛି। ଏବେ ଯେଉଁଠି ଅଫିସ ଖୋଲାଯାଇଥିଲା ତାହାର ମଧ୍ୟ କାଗଜପତ୍ର ଜବତ କରାଯାଇଛି। ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ଆକାଶଙ୍କୁ ରିମାଣ୍ଡରେ ଆଣି ପିଟର ସହ ମୁହାଁମୁହିଁ ଜେରା କରିବାକୁ ଯୋଜନା ରଖିଛି ତଦନ୍ତକାରୀ ଟିମ୍। ଠକେଇର ଭାଗିଦାରି ଥିବା ଗୋପାଳପୁର ବିଧାୟକଙ୍କୁ ମଧ୍ୟ ରିମାଣ଼୍ଡରେ ଆଣି ଜେରା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆକାଶ-ପ୍ରଦୀପ ସିଣ୍ଡିକେଟର ଗୁମର ଖୋଲିବାକୁ ତିନି ଜଣଙ୍କୁ ମୁହାଁମୁହିଁ ଜେରା କରାଯିବ। ଆବଶ୍ୟକ ପଡ଼ିଲେ ଅଭୟକାନ୍ତଙ୍କୁ ରିମାଣ୍ଡରେ ଅଣାଯିବ।

ସୂଚନାଯୋଗ୍ୟ ଯେ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏବେ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୨୪ ଜଣ ଠକାମିର ଶିକାର ହୋଇଥିବା ନେଇ ଟାଟା ପକ୍ଷରୁ ପୁଲିସକୁ ତଥ୍ୟ ଦିଆଯାଇଛି। ଓଡ଼ିଶା, ପୁନେ, ପାଟନାକୁ ଠକେଇର ଚେର ଲମ୍ବିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।

The post ଟାଟା ମୋଟର୍ସ ନାଁରେ ଠକେଇ ମାମଲା : ବାପା କ୍ୱାର୍ଟର୍ସରେ ପୁଅର ନକଲି ଅଫିସ first appeared on Sambad.



from ରାଜ୍ୟ – Sambad https://ift.tt/37EWYtT

Post a Comment

0 Comments