
ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଅପରାହ୍ଣରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଝାରପଡ଼ା ଜେଲରୁ ଆକାଶଙ୍କୁ ସିଧା କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନେଇଥିଲା। ସେଠାରେ ପହଞ୍ଚିବା ପରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ତିନି ଜଣିଆ ଟିମ୍ ତାଙ୍କୁ ଜେରା ଆରମ୍ଭ କରିଛନ୍ତି। କିନ୍ତୁ ସନ୍ଧ୍ୟା ହୋଇଯିବାରୁ ବେଶି କିଛି ପଚରାଉଚରା କରାଯାଇପାରିନଥିଲା। ଆସନ୍ତାକାଲିଠାରୁ ତାଙ୍କୁ ମାରାଥନ୍ ଜେରା କରାଯିବ ବୋଲି ଜଣାପଡ଼ିଛି। ଆକାଶଙ୍କ ପିଏ ଡେଭିଡ୍ ପିଟର୍ ଠକେଇ ସଂକ୍ରାନ୍ତରେ ବହୁ ତଥ୍ୟ ଦେଇଥିବାରୁ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ। ସେହି ସମୟରେ ପିଟର୍ ଯେଉଁ ତଥ୍ୟ ରଖିବେ, ତାହାର ପ୍ରମାଣ ପାଇବା ଲାଗି ଆକାଶଙ୍କଠାରୁ ସତ ଉଗାରିବ କ୍ରାଇମବ୍ରାଞ୍ଚ।
ଏହି ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଗୋପାଳରୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ରିମାଣ୍ଡରେ ନିଆଯାଇପାରେ। ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ବ୍ରହ୍ମପୁରର ଭି.ସର୍ବେଶ୍ବର ରାଓଙ୍କୁ ମଧ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ସର୍ବେଶ୍ବର ବହୁ ପ୍ରାର୍ଥୀଙ୍କର ବାୟୋଡାଟା ଯୋଗାଡ଼ କରି ଆକାଶଙ୍କ ପାଖକୁ ପଠାଇଥିଲେ। ଆକାଶଙ୍କ ସହ ସର୍ବେଶ୍ବରଙ୍କୁ ପ୍ରଦୀପ ଚିହ୍ନା କରାଇଥିଲେ ବୋଲି ପିଟର୍ ବୟାନ ଦେଇ ସାରିଛନ୍ତି। ଠକେଇ ପଛରେ ଏମାନଙ୍କ ରୢାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଯାଇଛି। ତେଣୁ ଠକେଇର ବ୍ଲୁ-ପ୍ରିଣ୍ଟ କେମିତି ପ୍ରସ୍ତୁତ କରାଯାଇଥିଲା? ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? କେତେ ପିଲାଙ୍କୁ ଠକେଇ କରାଯାଇଛି? ଆକାଶଙ୍କ ପ୍ରମୁଖ ବ୍ୟକ୍ତିଗତ ସହାୟକ ଘୋଡପଡ଼େ ଓ ନିଯୁକ୍ତି ସଂକ୍ରାନ୍ତୀୟ କାଗଜପତ୍ରରେ ଦସ୍ତଖତ କରୁଥିବା ସିନିୟର ଏଚଆର୍ ମ୍ୟାନେଜର୍ ଘୋଡ଼ପଡେ଼ କିଏ ଏବଂ ସେମାନେ କେଉଁଠି ଅଛନ୍ତି, ତାହାକୁ ନେଇ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ପ୍ରଦୀପଙ୍କ ବାଦ୍ କାହା ଆକାଉଣ୍ଟକୁ କେତେ ଟଙ୍କା ଯାଇଛି? ପୂରା ଘଟଣାର ପର୍ଦ୍ଦା ହଟାଇବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ।
ସୂଚନାଯୋଗ୍ୟ, ଟାଟା ମୋଟର୍ସ ଠକେଇ ମାମଲାରେ ଗତ ୩ ତାରିଖ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଏବେ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୧୨୪ ଜଣଙ୍କଠାରୁ ଠକେଇ ହୋଇଥିବା କ୍ରାଇମବ୍ରାଞ୍ଚ ହାତରେ ପ୍ରମାଣ ଲାଗିଛି। ସେମାନଙ୍କ ଭିତରୁ ଦୁଇ ଜଣ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଚେକ୍ ଜମା କରିଥିବା କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ପ୍ରମାଣ ପାଇଛି।
The post କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆକାଶ ପାଠକ : ଆଜିଠୁ ପିଟର ସହ ମୁହାଁମୁହିଁ ଜେରା first appeared on Sambad.
from ରାଜ୍ୟ – Sambad https://ift.tt/37V5yoy
0 Comments