
ଭୁବନେଶ୍ୱର : ଗତକାଲି ଭଳି ଆଜି (ମଙ୍ଗଳବାର) ବି ଘନ କୁହୁଡ଼ିରେ ଆଚ୍ଛାଦିତ ହେବ ଉତ୍ତର ଉପକୂଳ ଓଡ଼ିଶା। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ବି କିଛି କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ବିଶେଷକରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ଼ ଓ ନୟାଗଡ଼ରେ ଆଜି ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ିବ। ଏଥିଯୋଗୁଁ ଯାତାୟାତରେ ଅସୁବିଧା ଓ ଦୁର୍ଘଟଣାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ପୁଲିସ ଡିଜି ଓ ପରିବହନ କମିସନର୍ଙ୍କୁ ଚିଠି ଲେଖିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ଏଥିସହ ବୌଦ୍ଧ, ସୋନପୁର, ବରଗଡ଼ ଓ ନୟାଗଡ଼ ଆଦି ଜିଲ୍ଲାରେ କେତେକ ସ୍ଥାନରେ ବି ଘନ କୁହୁଡ଼ିର ଆଶଙ୍କା ରହିଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ସୂଚନା ମିଳିଛି।
ରାଜ୍ୟରେ ଏବେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୋନ୍ପୁରରେ ୮.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୯ ଡିଗ୍ରି ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୪ ଡିଗ୍ରି ମଧ୍ୟରେ ରହିଥିବା ବେଳେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୧୬ରୁ ୧୯ ଡିଗ୍ରି ମଧ୍ୟରେ ରହିଛି। ଆଜି ସକାଳୁ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୭.୬ ଡିଗ୍ରି ରହିଥିଲା।
The post ଆଜି ୧୦ ଜିଲ୍ଲାରେ ଘନ କୁହୁଡ଼ି first appeared on Sambad.
from ରାଜ୍ୟ – Sambad https://ift.tt/3mWBMpA
0 Comments