ଜାଡ଼ରେ ଥରୁଛି କନ୍ଧମାଳ : ଘୁ.ଉଦୟଗିରି ୮.୩, ଫୁଲବାଣୀ ୮.୫, ଦାରିଙ୍ଗବାଡ଼ି ୯ ଡିଗ୍ରି

ଫୁଲବାଣୀ/ଘୁ.ଉଦୟଗିରି: କନ୍ଧମାଳରେ ଶୀତ ସହ କୁହୁଡ଼ି ପଡ଼ିବା ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫ ଦିନ ହେଲା ପାରଦ ଖସିବାରେ ଲାଗିଛି, ଶୀତ ବଢ଼ିଛି। ଏଥିସହ ଘନ କୁହୁଡ଼ି ଲାଗି ରହୁଛି। ସକାଳୁ ରାସ୍ତାଘାଟ କିଛି ଦିଶୁ ନାହିଁ। ଫଳରେ ଯାନବାହନ ଚଳଚଳ କରିବାରେ ମଧ୍ୟ ସମସ୍ୟା ଉପୁଜିଛି। ଦୁର୍ଘଟଣା ଆଶଙ୍କାରେ ଲୋକମାନେ ବି ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି।

ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଓ କୁହୁଡ଼ି ଲାଗି ରହୁଛି। ଆଜି ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ଼ କରାଯାଇଛି। ଫୁଲବାଣୀର ତାପମାତ୍ରା ସର୍ବନିମ୍ନ ୮.୫ ଡିଗ୍ରି ରହିଛି। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ରହିଛି ୯ ଡିଗ୍ରି। ଜାଡ଼ରେ ସମଗ୍ର କନ୍ଧମାଳ ଥରୁଛି। ଗାଁରୁ ସହର ସବୁଠି ଶୀତ ଓ କୁହୁଡ଼ି ଲାଗି ରହୁଛି। ଶୀତରୁ ରକ୍ଷା ପାଇବା ପ‌ାଇଁ ଲୋକମାନେ ଗାଁରେ କାଠଗଣ୍ଡି ଆଉ ସହରରେ ପେଟି ଓ ଟାୟାର ଜଳାଉଛନ୍ତି।

ଶୀତ ସତ୍ତ୍ବେ ପେଟ ପାଇଁ ଗରିବ ଓ ଦିନ ମଜୁରିଆ ମୁଣ୍ଡରେ ଜାଳେଣି କାଠ ଧରି ସହରକୁ ଆସୁଛନ୍ତି। ଚାଷୀମାନେ ଉତ୍ପାଦିତ ପରିବାକୁ ବିକ୍ରି କରିବାକୁ ବି ବଜାରକୁ ଆସୁଛନ୍ତି। ହେଲେ ଅର୍ଥାଭାବରୁ କେହି କେହି ଶୀତବସ୍ତ୍ର ପରିଧାନ କରିପାରୁ ନଥିବା ଦେଖିବାକୁ ମିଳୁଛି। କରୋନା କଟକଣା ପାଇଁ କନ୍ଧମାଳର ସବୁ ପର୍ଯ୍ୟଟନ କ୍ଷେତ୍ର ଖାଁ ଖାଁ ରହୁଛି। ଆଗକୁ ଶୀତ ଆହୁରି ବଢ଼ିବା ଆଶଙ୍କା ଥିବାରୁ ଏହାକୁ ନେଇ କନ୍ଧମାଳବାସୀ ଆଶା ଆଶଙ୍କାରେ ରହିଛନ୍ତି। କାରଣ ଶୀତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ରହିଛି। ଶୀତ ଆସି ଯାଇଥିବାରୁ ଏହି ଆଗାମୀ ୩ ମାସ କିଭଳି କରୋନାକୁ ମୁକାବିଲା କରାଯାଇ ପାରିବ ସେ ନେଇ ପ୍ରଶାସନର ଚିନ୍ତା ଥିବା ଭଳି ମନେ ହେଉନାହିଁ। କନ୍ଧମାଳରେ କରୋନା ଗ୍ରାଫ୍‌ ତଳକୁ ରହୁଥିବାରୁ ଜିଲ୍ଲା ପ୍ରଶାସନ ନିରବ ରହିବାକୁ ଉଚିତ ମନେ କରୁଛି। ଶୀତ ଦିନରେ କରୋନାକୁ ବ୍ରେକ୍‌ ଦେବା ପାଇଁ ପୂର୍ବ ପ୍ରସ୍ତୁତି ନେଇ କିଛି ପଦକ୍ଷେପ ନ ନେବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

The post ଜାଡ଼ରେ ଥରୁଛି କନ୍ଧମାଳ : ଘୁ.ଉଦୟଗିରି ୮.୩, ଫୁଲବାଣୀ ୮.୫, ଦାରିଙ୍ଗବାଡ଼ି ୯ ଡିଗ୍ରି first appeared on Sambad.



from ରାଜ୍ୟ – Sambad https://ift.tt/37YJ9XB

Post a Comment

0 Comments