ଛତିଶଗଡ଼ କବ୍‌ଜାରେ ଇବ୍‌ ନଦୀ, ସୀମାନ୍ତ ଗାଁ ଲୋକଙ୍କୁ ଇବ୍‌ ପାଣି ମନା

ସୁନ୍ଦରଗଡ଼: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆ ଗ୍ରାମପୁଞ୍ଜ ଓ ସମ୍ବାଇ ପଞ୍ଚାୟତ ସୁନାବେଡ଼ା ଗାଁରେ ଆନ୍ଧ୍ରର ଦାଦାଗିରି ପରି ସୁନ୍ଦରଗଡ଼ରେ ଓଡ଼ିଶା- ଛତିଶଗଡ଼ ସୀମା ବିବାଦ ଆରମ୍ଭ ହୋଇଛି। ତେବେ ଏଠାରେ ଗାଁକୁ ନେଇ ନୁହେଁ, ପାଣିକୁ ନେଇ ଚାଲିଛି ବଳ କଷାକଷି। ଛତିଶଗଡ଼ରୁ ବୋହି ଆସିଥିବା ଇବ୍‌ ନଦୀ ଉପରେ ପଡ଼ୋଶୀ ରାଜ୍ୟ ସରକାର ବନ୍ଧ ବାନ୍ଧି ଏକ ପ୍ରକାର କବ୍‌ଜା କରିଥିବା ବେଳେ ଏବେ ପଡ଼ୋଶୀ ଗାଁ ଖାରିବାହାଲର ଲୋକେ ଆସି ସୁନ୍ଦରଗଡ଼ ସୀମାନ୍ତ ବାଲିଶଙ୍କରା ବ୍ଲକ୍‌ର ତେଲିଯୋରର ଅଧିବାସୀଙ୍କୁ ଇବ ପାଣି ବ୍ୟବହାର ନ କରିବାକୁ ତାଗିଦ୍‌ କରିଛନ୍ତି। ସେମାନେ ବ୍ୟବହାର କରୁଥିବା ଇବ୍‌ ନଦୀ ପରିସୀମା ଛତିଶଗଡ଼ ଭିତରେ ଥିବାରୁ ତୁରନ୍ତ ଏଥିରୁ ହଟି ତଳ ମୁଣ୍ଡକୁ ଯିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଦୁଇ ମାସ ହେଲା ଏ ବିବାଦ ଲାଗି ରହିଥିବା ବେଳେ ସୀମାନ୍ତ ଦୁଇ ଗାଁ ଏକ ପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସି ଯାଇଥିବା ପ୍ରକାଶ ପାଇଛି। ଏ ସମ୍ପର୍କରେ ତେଲି‌ଯୋର ଗାଁ ଲୋକେ ସୋମବାର ତଳସରା ଥାନା ଓ ବାଲିଶଙ୍କରା ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି। ତେଲିଯୋର ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଗାଁ କଡ଼ ଦେଇ ବୋହି ଯାଇଥିବା ଇବ୍‌ ନଦୀ ପାଣିକୁ କାହିଁ କେଉଁ କାଳରୁ ପାନୀୟ ଜଳ, ଚାଷ କାର୍ଯ୍ୟ, ସ୍ନାନଶୌଚ ପାଇଁ ବ୍ୟବହାର କରି ଆସୁଥିବା ବେଳେ କିଛି ଲୋକ ନଦୀରେ ମାଛ ଧରି ନିଜ ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଗତ ଅକ୍ଟୋବରରୁ ପଡ଼ୋଶୀ ଛତିଶଗଡ଼ର ଖାରିବାହାଲ ଗାଁ ଲୋକେ ଆସି ତେଲିଯୋର ଲୋକଙ୍କୁ ଇବ୍‌ ପାଣି ବ୍ୟବହାର ନ କରିବାକୁ ଧମକ ଦେଇ ଆସୁଛନ୍ତି। ତେଲିଯୋର ଗାଁ କଡ଼ ଦେଇ ଇବ୍‌ ବୋହି ଯାଇଥିଲେ ମଧ୍ୟ ନଦୀର ଏହି ଅଂଶ ଛତିଶଗଡ଼ ଅଞ୍ଚଳରେ ରହିଛି, ତେଣୁ ଏଥିରେ ଖାରିବାହାଲ ଗାଁ ଲୋକଙ୍କ ଅଧିକାର ରହିଛି। ତେଲିଯୋର ଲୋକେ ପାଣି ପାଇଁ ତଳ ମୁଣ୍ଡକୁ ଯାଅ କହି ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ଖାରିବାହାଲର ଏ ପ୍ରକାର ଦାଦାଗିରି‌ରେ ଅତିଷ୍ଠ ତେଲିଯୋର ଅଧିବାସୀ ଶେଷକୁ ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।

ପ୍ରକାଶ‌ଯୋଗ୍ୟ ଇବ୍‌ ନଦୀ ପଡ଼ୋଶୀ ଛତିଶଗଡ଼ ଯଶପୁର ଜିଲ୍ଲାରୁ ବାହାରିଥିବା ବେଳେ ଜିଲ୍ଲାର ଗୁଲୁ ଠାରେ ଏହା ଉପରେ ପଡ଼ୋଶୀ ସରକାର ଏକ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିଛନ୍ତି। କେବଳ ସେତିକି ନୁହେଁ; ଓଡ଼ିଶା ସୀମାରୁ ମାତ୍ର ୨୦ କିଲୋମିଟର ଦୂର ସମଡମାଠାରେ ମଧ୍ୟ ଛତିଶଗଡ଼ ଏକ ଆନିକଟ ନିର୍ମାଣ କରି ଇବ୍‌ ଜଳକୁ ଅଟକାଇ ରଖିଛି। ଇବ୍‌ ନଦୀରେ ଛତିଶଗଡ଼ର ବନ୍ଧ ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ବିଶେଷ କରି ଇବ୍‌ର ତଳ ମୁଣ୍ଡରେ ଏକ ଛୋଟିଆ ଆନିକଟଟେ ନିର୍ମାଣ କରିବାକୁ ସରକାର ଚିନ୍ତା କରି ନାହାନ୍ତି। ଓଡ଼ିଶା ସରକାରଙ୍କ ଉଦାସୀନତାକୁ ସୁଯୋଗ ମଣି ଛତିଶଗଡ଼ ଏବେ ତଳକୁ ବୋହି ଆସୁଥିବା ଇବ୍‌ ପାଣି ଛୁଇଁବାକୁ ବି ଓଡ଼ିଶା ଲୋକଙ୍କୁ ମନା କରିବାକୁ ସାହସ ଜୁଟାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନ କଲେ ଆଗାମୀ ଦିନରେ ଏ ବିବାଦ ଉଗ୍ର ରୂପ ନେବାର ଆଶଙ୍କା ରହିଛି।

The post ଛତିଶଗଡ଼ କବ୍‌ଜାରେ ଇବ୍‌ ନଦୀ, ସୀମାନ୍ତ ଗାଁ ଲୋକଙ୍କୁ ଇବ୍‌ ପାଣି ମନା first appeared on Sambad.



from ରାଜ୍ୟ – Sambad https://ift.tt/3gvPkpF

Post a Comment

0 Comments