
ଭୁବନେଶ୍ୱର : କୁହୁଡ଼ି ଚାଦର ତଳେ ଘୋଡ଼େଇ ହୋଇ ରହିଛି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶା। ରାତି ପ୍ରାୟ ୧୦ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଜଗତସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାକୁ ଆଚ୍ଛାଦିତ କରି ରଖୁଛି। ଆଜି ମଧ୍ୟ ଏଭଳି କୁହୁଡ଼ି ଆସ୍ତରଣରେ ଥିଲା ଉପକୂଳ ଓଡ଼ିଶା। ଜଗତସିଂହପୁର ପାରଦୀପଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା। ଏଠାରେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା। ଏଥିସହ ଭୁବନେଶ୍ବରରେ ବି ଘନ କୁହୁଡ଼ି ପଡ଼ିଥିଲା। ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ଚାନ୍ଦବାଲିରେ ହାଲୁକା କୁହୁଡ଼ି ପଡ଼ିଥିଲା ଓ ଏହାର ଦୃଶ୍ୟମାନ ଦୂରତା ୭୦୦ ମିଟର ରହିଥିଲା। ଏହାଛଡ଼ା ଫୁଲବାଣୀ, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା।
ଅନ୍ୟପଟେ ବଙ୍ଗୋପସାଗର ଉପରେ ରହିଥିବା ଗୁରୁଚାପ ବଳୟ ଫଳରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯିବ। ଆସନ୍ତାକାଲି ସକାଳ ସୁଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼,କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୫ ଓ ୧୬ ତାରିଖରେ ଏହି ସବୁ ଜିଲ୍ଲାରେ ହାଲୁକା କୁହୁଡ଼ିର ସମ୍ଭାବନା ରହୁଛି।
ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି। ଧୀରେଧୀରେ ରାତି ତାପମାତ୍ରା ବଢ଼ୁଛି। ଫଳରେ ରାଜ୍ୟରେ ଶୀତର ପ୍ରଭାବ ଏବେ କମ୍ ରହିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ସୁନ୍ଦରଗଡ଼ଠାରେ ୧୨ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି।
ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଦିନ ବଙ୍ଗୋପସାଗରୀୟ ଆର୍ଦ୍ର ପବନ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବାହିତ ଉତ୍ତରା ପବନ ସହ ମିଶ୍ରଣ ହେବା ଫଳରେ ସେଠାରେ ସ୍ବଳ୍ପ ବର୍ଷା ହେବ।ଏଥିସହ ଉତ୍ତର-ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ ଓ ପାଗ କୋହଲା ରହିବ। ରାତି ତାପମାତ୍ରାରେ ଆଗାମୀ ୨/୩ ପର୍ଯ୍ୟନ୍ତ ବିଶେଷ ପରିବର୍ତନର ସମ୍ଭାବନା ନାହିଁ।
The post କୁହୁଡ଼ି ଚାଦରରେ ଉପକୂଳ ଓଡ଼ିଶା first appeared on Sambad.
from ରାଜ୍ୟ – Sambad https://ift.tt/3qTD8E4
0 Comments