ପୁଅ ଜାଲିଆତି ପଛରେ ବାପା‌ : ଆକାଶକୁ ନକଲି ଏମ୍‌ଡି ସଜାଇଥିଲେ ଅଭୟକାନ୍ତ

ସରିଲା ରିମାଣ୍ଡ, ଜେଲ୍ ଗଲେ ବାପା-ପୁଅ
ଗିରଫ ପୂର୍ବରୁ ପୁଅ ଆକାଉଣ୍ଟରେ ୮୫ ଲକ୍ଷ ଜମା କରିଛନ୍ତି
ବିବାହ ପାଇଁ କୋଟି କୋଟିର ବଜେଟ୍

ଭୁବନେଶ୍ୱର : କଳାଧନର କୁବେର ସାଜିଥିବା ଆଇଏଫଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ‘ଚାରିଶ ବିଶ’ ପୁଅ ଆକାଶଙ୍କର ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଉଭୟ ଝାରପଡ଼ା ଜେଲକୁ ଫେରିଛନ୍ତି। ଆଜି ପୂର୍ବାହ୍ନରେ ଭିଜିଲାନ୍ସ ଏସ୍‌ଆଇଟି(ସ୍ବତନ୍ତ୍ର ତଦନ୍ତକାରୀ ଦଳ) ବାପା ପୁଅଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲା। ସେଠାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ତେବେ କ​ଳାଧନର ଖୋଳତାଡ଼ ଜାରି ରଖିଛି ଏସ୍‌ଆଇଟି।

ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ହେବାର ଅଳ୍ପ ଦିନ ପୂର୍ବରୁ ଆକାଶଙ୍କ ଆକାଉଣ୍ଟରେ ଦୁଇଟି ଦଫାରେ ୮୫ ଲକ୍ଷ ଟଙ୍କା ଜମା କରାଯାଇଛି। ଭୁବନେଶ୍ବରର ଆଇସିଆଇସିଆଇ ବ୍ୟାଙ୍କ ଓ ଏଚ୍‌ଡିଏଫସି ବ୍ୟାଙ୍କରେ ଏହି ଟଙ୍କା ଜମା ହୋଇଛି। ଥରେ ୫୦ଲକ୍ଷ ଓ ଆଉ ଥରେ ୩୫ଲକ୍ଷ ଟଙ୍କା ଜମା କରାଯାଇଥିବା ସଂପର୍କରେ ଭିଜିଲାନ୍ସ ହାତରେ ତଥ୍ୟ ପ୍ରମାଣ ଲାଗିଛି। ଏହି ଟଙ୍କା ନିଜେ ଅଭୟକାନ୍ତ ଜମା କରିଥିବା ଦୁଇ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଓ ଜମା ସ୍ଲିପ୍ ନକଲ ଜବତ କରି ଏହାକୁ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ସେହିପରି ଝିଅର ପଢ଼ା ଖର୍ଚ୍ଚ ପାଇଁ ୬୦ ଲକ୍ଷ, ବିବାହ ପାଇଁ ୯୦ ଲକ୍ଷ, ପୁଅର ପଢ଼ା ଖର୍ଚ୍ଚ ବାବଦରେ ୨୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ବିବାହ ପାଇଁ ଏବେ ସୁଦ୍ଧା ୧୦ କୋଟି ଟଙ୍କାର ବଜେଟ୍ ହୋଇଥିବା ଜଣାପଡ଼ିଛି। ୨୦୧୪ରେ ଅଭୟକାନ୍ତଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ୩୮ଲକ୍ଷ ଟଙ୍କା ଆସିଥିବା ଏସ୍‌ଆଇଟି ଜାଣିବାକୁ ପାଇଛି।

ଗୋଟିଏ ପଟେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଥିବା ବେଳେ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାର ତନାଘନା କରୁଛି କ୍ରାଇମବ୍ରାଞ୍ଚ। ପୁନେରେ ଟାଟା ମୋଟର୍ସ(ପାସେଞ୍ଜର ଡିଭିଜନ୍) ନାଁରେ ଖୋଲାଯାଇଥିବା ନକଲି ଅଫିସ୍‌ରେ ଆକାଶଙ୍କ ପିଏ ସାଜିଥିବା ଡେଭିଡ୍ ପିଟର୍‌ଙ୍କୁ ଗତକାଲି ଉଠାଇ ଆଣି ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ। ଜେରା ବେଳେ ଆକାଶଙ୍କ ଗୁମର ଖୋଲିଛନ୍ତି ପିଟର୍‌। କ୍ରାଇମବ୍ରାଞ୍ଚ ଆଗରେ ଦେଇଥିବା ତଥ୍ୟରୁ ଜଣାପଡ଼ିଛି, ଟାଟା ମୋଟର୍ସରେ ଚାକିରି ନାଁରେ ଆକାଶ ପୁନେ, ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲା, ବିହାରର ବେକାର ଯୁବକଯୁବତୀଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି।

ଏହି ଠକେଇର ମାଷ୍ଟରମାଇଣ୍ଡ ଅଭୟକାନ୍ତ ବୋଲି ଜଣାପଡ଼ିଛି। ସେ ପୁଅକୁ ଟାଟା ମୋଟର୍ସର ନକଲି ନିର୍ଦ୍ଦେଶକ ସଜାଇଥିଲେ। ପୁନେରେ ଅଫିସ୍‌ ଖୋଲିବା ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ କର୍ପୋରେଟ୍ ଢାଞ୍ଚାରେ ଅଫିସ ସଜାଇଥିଲେ ଆକାଶ। ଦାମୀ କାଠ, କାଚ, ଏଲ୍‌ଇଡି ଲାଇଟ୍‌ରେ ଇଣ୍ଟରିୟର୍‌ ଡେକୋରେସନ୍‌ କରାଯାଇଥିଲା। ଉଚ୍ଚ ଦରମାରେ ମ୍ୟାନେଜର୍‌ଙ୍କୁ ନିଯୁକ୍ତି ସହ ଲକ୍ଷାଧିକ ଟଙ୍କା ଦରମାରେ ବାଉନ୍ସର ଧରି ବୁଲୁଥିଲେ। ପିଟର୍‌ ମାସିକ ୨୫ହଜାର ଟଙ୍କାରେ ଆକାଶଙ୍କ ପିଏ ଭାବେ ଚାକିରି କରୁଥିଲେ। ମ୍ୟାନେଜର୍‌, ପିଏଙ୍କୁ ସାଙ୍ଗରେ ଧରି ଚାର୍ଟର ବିମାନରେ ଉଡୁଥିଲେ ଆକାଶ। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗି ସାରିଛି। ସେହିପରି କାହାକୁ କେତେବେଳେ ସାକ୍ଷାତକାର ପାଇଁ ଡକାଯିବ, ଆକାଶଙ୍କୁ ଦେଖା କରିବା ପାଇଁ କିଏ ଆପଏଣ୍ଟମେଣ୍ଟ ପାଇବ ସେ କଥା ମଧ୍ୟ ବୁଝୁଥି‌ଲେ ପିଟର୍‌। ପିଏଙ୍କ ଜରିଆରେ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ଆଦାୟ କରାଯାଉଥିଲା। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଲେ ସନ୍ଦେହ ହେବା ଆଶଙ୍କାରେ ସବୁ ନଗଦ କାରବାର ହେଉଥିଲା। ପରବର୍ତ୍ତୀ ସମୟରେ ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଲକ୍‌ଡାଉନ୍ ସମୟରେ ଆକାଶଙ୍କ ଅଫିସକୁ ଅଭୟକାନ୍ତ ଏକାଧିକଥର ଯାଇଛନ୍ତି। ଖାଲି ଆକାଶ ନୁହେଁ, ଗୋପାଳପୁର ବିଧାୟକ ତଥା ଭାବୀ ଶ୍ବଶୁର ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଏକାଧିକ ଥର ଆକାଶଙ୍କ ନକଲି ଅଫିସକୁ ଯାଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ସଂଗ୍ରହ କରି ଫୋରେନସିକ୍ ଯାଞ୍ଚ ଲାଗି ପଠାଇଛି କ୍ରାଇମବ୍ରାଞ୍ଚ। ପିଟର୍‌ଙ୍କ ବୟାନକୁ ଆଧାର କରି ଆସନ୍ତାକାଲି ପୂରା ଘଟଣା ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠାଇବ ବୋଲି ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଅଧିକ ଖୋଳତାଡ଼ ଲାଗି ଆକାଶଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ଆବେଦନ ଉପରେ ସୋମବାର ଶୁଣାଣି ହେବ। ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଶୁଣାଣି ହେବାକୁ ରହିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରଖିଛି। ସୋମବାର ଏ ନେଇ ଆବେଦନ କରାଯିବ।

ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ଅଭୟକାନ୍ତ ଓ ଆକାଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଗତ ୨ ତାରିଖରେ ଉଭୟଙ୍କୁ ତିନିଦିନ ଲାଗି ରିମାଣ୍ଡରେ ନିଆଯାଇଥିଲା। ଅବଧି ଶେଷ ହେବା ପରେ ଆଜି କୋର୍ଟରେ ହାଜର କରାଯାଇ ପୁଣି ଜେଲ୍ ପଠାଇ ଦିଆଯାଇଛି। ବାପା, ପୁଅଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳି ସାରିଛି। ହଜାର ହଜାର ପୃଷ୍ଠାର ଦସ୍ତାବିଜ୍, ବିଲ୍, ସିସିଟିଭି ଫୁଟଜ୍‌ ଆଦିର ତର୍ଜମା କରାଯାଉଛି। ଆକାଶଙ୍କ ଆକାଉଣ୍ଟରୁ ୧୭କୋଟି ୫୨ଲକ୍ଷ ଟଙ୍କା ମିଳିଛି। ସେମାନଙ୍କୁ ଆଉ ଅଧିକ ରିମାଣ୍ଡରେ ଆଣିବା ଆବଶ୍ୟକତା ନାହିଁ ବୋଲି ଏସ୍‌ଆଇଟି ମୁଖ୍ୟ ହର ନାରାୟଣ ପତି କହିଛନ୍ତି।

The post ପୁଅ ଜାଲିଆତି ପଛରେ ବାପା‌ : ଆକାଶକୁ ନକଲି ଏମ୍‌ଡି ସଜାଇଥିଲେ ଅଭୟକାନ୍ତ first appeared on Sambad.



from ରାଜ୍ୟ – Sambad https://ift.tt/3gh1wdU

Post a Comment

0 Comments