ସାଧାରଣତନ୍ତ୍ର ଦିବସରୁ ବାଦ୍‌ ପଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ବର: ଆସନ୍ତା ୨୦୨୧ ସାଧାରଣତନ୍ତ୍ର ଦିବସରୁ ବାଦ୍‌ ପଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶାର ଡିଜାଇନ୍‌ ଚୟନ କମିଟିକୁ ଆକୃଷ୍ଟ କରିପାରିନାହିଁ। ଚତୁର୍ଥ ପର୍ଯ୍ୟାୟ ବୈଠକରେ ଓଡ଼ିଶାର ମେଢ଼ ସ୍ଥାନ ପାଇନାହିଁ। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଚିଠିରେ ସଂଲଗ୍ନ ତାଲିକାରୁ ଓଡ଼ିଶା ବାଦ୍‌ ପଡ଼ିଥିବା ସୂଚନା ମିଳିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶାର ଶିଳ୍ପୀମାନଙ୍କଠାରୁ ପ୍ରଜ୍ଞାପନ ମେଢ଼ ମ‌ଡେଲ୍‌ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ବି.କେ ଆର୍ଟ କଲେଜ୍‌ ଅଧ୍ୟକ୍ଷ, ଓଡ଼ିଶା ଲଳିତ କଳା ଏକାଡେମି ସଚିବ, ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ, ସଂସ୍କୃତି ନିର୍ଦେଶକ, ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ ଓ ବୈଷୟିକ ଅଧିକାରୀ ଓଡ଼ିଶାରୁ ୮ ମଡେଲ୍‌ ଚୟନ କରିଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟରେ ଓଡ଼ିଶାରୁ ୪ଟି ସଂସ୍ଥା ପକ୍ଷରୁ ୮ଟି ମଡେଲ୍‌କୁ ନୂଆଦିଲ୍ଲୀ ପଠାଯାଇଥିଲା। ତୃତୀୟ ବୈଠକରେ ଓଡ଼ିଶାର ଦୁଇ ପ୍ରଜ୍ଞାପନ ମେଢ଼ ସ୍ଥାନ ମଧ୍ୟ ପାଇଥିଲା। ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଓ ବୌଦ୍ଧ ଐତିହ୍ୟ ବିଷୟ ଆଧାରିତ ଦୁଇ ମଡେଲ୍‌ ସ୍ଥାନ ପାଇଥିଲା। ଏହି ଡିଜାଇନ୍‌ ପରିବର୍ତ୍ତନ କରିବା ପାଇଁ କୁହାଯାଇଥିଲା। ମାତ୍ର ଆସନ୍ତା ୧୬ତାରିଖ ନୂଆଦିଲ୍ଲୀରେ ବୈଠକ ପୂର୍ବରୁ ଯେଉଁ ୨୦ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ଚୟନ ହୋଇଥିବା ପ୍ରକାଶ ପାଇଛି, ସେଥିରେ ଓଡ଼ିଶାର ସ୍ଥାନ ନାହିଁ।

ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବା ସହ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ଏଥିସହ ଯୋଗ ଦେଇଥିବା ସାଂସ୍କୃତିକ ଦଳ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା। ୨୦୧୬, ୨୦୧୭ରେ ମଧ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇ ପ୍ରଶଂସିତ ହୋଇଥିଲା।

The post ସାଧାରଣତନ୍ତ୍ର ଦିବସରୁ ବାଦ୍‌ ପଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼ first appeared on Sambad.



from ରାଜ୍ୟ – Sambad https://ift.tt/3addVhY

Post a Comment

0 Comments