ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ : ପୂର୍ବତନ ଅଧ୍ୟକ୍ଷଙ୍କୁ ୮ଘଣ୍ଟା ଜେରା

ବ୍ରହ୍ମପୁର : ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜରିଆରେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁରରେ ଗତକାଲିଠାରୁ ଡେରା ପକାଇ ଦ୍ବିତୀୟ ପର୍ଯ୍ୟାୟ ଖୋଳତାଡ଼ ଜାରି ରଖିଛି। ଆଜି(ଶନିବାର) କ୍ରାଇମବ୍ରାଞ୍ଚ ସମୁଦାୟ ୪ ଜଣଙ୍କୁ ପଚରାଉଚରା କରିଛି। ଗତକାଲି ରାତିରେ କୁକୁଡ଼ାଖଣ୍ଡି ବ୍ଲକ୍‌ ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ ଓ ବହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜେରା କରିଥିବାବେଳେ ଆଜି ମଧ୍ୟ ଏ ଦୁହିଁଙ୍କୁ ମାରାଥନ୍‌ ଜେରା କରିଛି।

ଜେରା ପରେ ବୋରିଗାଁ ସରପଞ୍ଚ ବସନ୍ତ ସାହୁ ଗଣମାଧ୍ୟମକୁ କହିଛନ୍ତି, ଗତକାଲି କ୍ରାଇମବ୍ରାଞ୍ଚ ଡାକୁଛି କହି ପୁଲିସ ମୋତେ ଆଣିଥିଲା। ଆଜି ମଧ୍ୟ ମୋତେ ଡକା ହୋଇଥିଲା। ଗୋପାଳପୁର ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ମୋତେ ମୋ ପୁତୁରାକୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ବାୟୋଡାଟା ପଠାଇବା ପାଇଁ କହିଥିଲେ। ତେଣୁ ମୁଁ ପୁତୁରାର ବାୟୋଡାଟା ଦିଲ୍ଲୀପ ପାଣିଗ୍ରାହୀଙ୍କ ପାଖକୁ ପଠାଇଥିଲି। ଦେଢ଼ରୁ ୨ ମାସ ତଳେ ଏହି ବାୟୋଡାଟା ପଠାଇଥିଲି। ତେବେ ସେ ମୋତେ ଅର୍ଥ ମାଗି ନାହାନ୍ତି କି, ମୁଁ କୌଣସି ଅର୍ଥ ଦେଇ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ଏପଟେ ସରପଞ୍ଚ ବସନ୍ତ ସାହୁ ଓ ପୂର୍ବତନ କଲେଜ ଅଧ୍ୟକ୍ଷ କମ୍ବୁପାଣି ସାହୁଙ୍କ ସମେତ ଅନ୍ୟମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଦିନସାରା ଜେରା କରିଛି। ପୂର୍ବାହ୍ନ ୧୦ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ବୁପାଣି ସାହୁଙ୍କୁ କ୍ରାଇମବ୍ରାଞ୍ଚ୍‌ ୮ ଘଣ୍ଟା ଲଗାତାର ଜେରା କରିଛି। ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସାହୁ ବ୍ରହ୍ମପୁର ସିଟି କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୨୦୧୬ ଏପ୍ରିଲ ୩୦ରୁ ୨୦୧୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସେ ଉକ୍ତ କଲେଜର ଅଧ୍ୟକ୍ଷ ରହିଥିଲେ। ସେ ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉକ୍ତ କଲେଜର ପରିଚାଳନା ପରିଷଦ ସଭାପତି ଥିଲେ। ଏହା ପରେ ବିଧାୟକଙ୍କ ସହିତ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର ନିବିଡ଼ତା ବଢ଼ିଥିଲା। ଗୋପାଳପୁର ବିଧାୟକ ଟାଟା ମୋଟର୍ସ ମାମଲାରେ ଛନ୍ଦି ହେବା ପରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ବିବରଣୀ ଭାଇରାଲ୍‌ ହୋଇଥିଲା। ଆକାଉଣ୍ଟ୍‌ରେ ‌ଗତ ସେପଟେମ୍ବର ୧ ତାରିଖରେ କମ୍ବୁପାଣି ବିଧାୟକଙ୍କୁ ୨୦ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରିଥିବା ପଦାକୁ ଆସିଥିଲା। ଏହା ପରଠାରୁ ସେ କ୍ରାଇମବ୍ରାଞ୍ଚ୍‌ ସ୍କାନରକୁ ଆସିଥିଲେ। ବିଧାୟକଙ୍କୁ ଏତେ ବଡ଼ ପରିମାଣର ଟଙ୍କା କାହିଁକି ଦେଲେ, କେଉଁ ସୂତ୍ରରୁ ଦେଲେ ଏ ସବୁ ପଚରାଉଚରା କରିବା ସହ ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ୍‌। ଅନ୍ୟପକ୍ଷରେ କମ୍ବୁପାଣିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରେ କ୍ରାଇମବ୍ରାଞ୍ଚ୍‌ ଖୋଳତାଡ଼ ଜାରି ରଖିଛି। ସେହିପରି ‌ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା ଇଲାକାରୁ ଆହୁରି ୨ଜଣଙ୍କୁ ଆଣି ଜେରା କରିଥିବା ଜଣାପଡ଼ିଛି।

ଗୋପାଳପୁର ନିର୍ବାଚନ ମଣ୍ଡଳୀର ଅନେକ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାମରେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଲକ୍ଷଲକ୍ଷ ଟଙ୍କା ଠକି ଥିବା ବିଗତ ଦିନରେ ଅଭିଯୋଗ ଆସିଥିଲା। ଟାଟା ମୋଟର୍ସର ଅଭିଯୋଗ କ୍ରମେ ଗତ ସେପଟେମ୍ବର ମାସରେ ସାଇବର୍‌ ସେଲ୍‌ରେ ୨୬ ନମ୍ବର କେସ୍‌ ରୁଜୁ ହୋଇଥିଲା। ଗତ ନଭେମ୍ବର ୨୯ ତାରିଖରେ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ୍‌ର ୧୦ ଜଣିଆ ଟିମ୍‌ ବ୍ରହ୍ମପୁରରେ ଡେରା ପକାଇ ଗତ ୫ ତାରିଖ ପର୍ଯ୍ୟନ୍ତ ଖୋଳତାଡ଼ କରିଥିଲା। ଠକେଇର ଶିକାର ଯୁବକ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକ ଓ ଅନୁଗତ ନେତାଙ୍କ ସମେତ ମୋଟ ୧୮ ଜଣଙ୍କ ବୟାନ ରେକର୍ଡ଼ କରିଥିଲେ। ଏଥି ସହିତ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଓ ବ୍ୟାଙ୍କ୍‌ ବିବରଣୀ ତଥ୍ୟ ସଂଗ୍ରହ କରି ଫେରିଥିଲେ।

The post ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ : ପୂର୍ବତନ ଅଧ୍ୟକ୍ଷଙ୍କୁ ୮ଘଣ୍ଟା ଜେରା first appeared on Sambad.



from ରାଜ୍ୟ – Sambad https://ift.tt/2W6dBtf

Post a Comment

0 Comments