ଅର୍ଥନୀତିର ପୁନରୁଦ୍ଧାର ପାଇଁ ପାରମ୍ପରିକ କୃଷି ପ୍ରଣାଳୀ ଜରୁରୀ

ଭୁବନେଶ୍ୱର: ଓଡ଼ିଶା ବିକାଶ କନ୍‌କ୍ଲେଭ୍‌ର ଦିନିକିଆ ୱେବିନାର୍‌ରେ ଓଡ଼ିଶାର ସାଂପ୍ରତିକ ସମସ୍ୟା ଓ ସୁଯୋଗ ଉପରେ ଆଲୋଚନା ହୋଇଛି। କୋଭିଡ୍‌-୧୯ ପରିପ୍ରେକ୍ଷୀରେ କାମଧନ୍ଦା ଅଭାବରୁ ଲକ୍ଷାଧିକ ପରିବାର ରାଜ୍ୟ ବାହାରକୁ ଯାଉଛନ୍ତି। ଏଭଳି ପରିସ୍ଥିତିର ପରିଚାଳନା ପାଇଁ ବିଧିବଦ୍ଧ ଭାବେ ପ୍ରବାସୀ ଶ୍ରମିକ ସଂଚାଳନ କେନ୍ଦ୍ର, ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ତରରେ କାର୍ଯ୍ୟ କରିବା ଜରୁରୀ। ନିରାପଦ ଭାବେ କିପରି ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଯାଇପାରିବେ, ସାଥୀରେ ଥିବା ଶିଶୁ ଓ ମହିଳାମାନେ ଯେପରି ଅସହାୟ ଅନୁଭବ ନ କରିବେ, ମହିଳା ଓ ଶିଶୁମାନଙ୍କର ଅଧିକାର ବାଧାପ୍ରାପ୍ତ ନ ହେବ ଓ ନାଗରିକମାନେ ପାଉଥିବା ସରକାରୀ ସୁବିଧା ସୁଯୋଗଗୁଡ଼ିକ ଯେପରି ଭୌଗୋଳିକ ସୀମା ନିର୍ବିଶେଷରେ ଦେଶର ସବୁ ପ୍ରାନ୍ତରେ ଉପଲବ୍ଧ ହୋଇପାରିବ, ତାହା ଉପରେ ଅତିଥିମାନେ ମତ ରଖିଛନ୍ତି। କୋଭିଡ୍‌ ପାଇଁ ଶହ ଶହ ବିଦ୍ୟାଳୟକୁ ବନ୍ଦ କରି ସେସବୁକୁ ନିକଟସ୍ଥ ଅନ୍ୟ ବିଦ୍ୟାଳୟରେ ମିଶାଇ ଦିଆଯାଉଥିବା କାରଣରୁ ଅଧ‌ାରୁ ପାଠ ଛାଡ଼ିବାଙ୍କ ସଂଖ୍ୟା ବଢ଼ିଯିବାର ଆଶଙ୍କା ରହିଛି। ତେବେ ବିଦ୍ୟାଳୟ ବନ୍ଦ କରାଯିବା ଏବଂ ବିଦ୍ୟାଳୟ ମିଶ୍ରଣ କରାଯିବା ପ୍ରକ୍ରିୟା ଦ୍ୱାରା କେତେ ଶିଶୁ ପ୍ରଭାବିତ ହେବେ, ତାହାର ସଂଖ୍ୟା ନିରୂପଣ ସହିତ ପଦକ୍ଷେପ ଗ୍ରହଣ କରାଯିବା ଦରକାର। କୋଭିଡ୍‌ ପାଇଁ ଲମ୍ବା ସମୟ ପାଇଁ ବିଦ୍ୟାଳୟ ବନ୍ଦ ରହିବାରୁ ଅଭିଭାବକ ଓ ଶିଶୁମାନେ ଶଙ୍କାରେ ଅଛନ୍ତି। ଅନ୍ୟପକ୍ଷରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ୨୦୨୧-୨୨ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରିବାକୁ ହେଲେ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ସହ ଆଗାମୀ ବଜେଟ୍‌ରେ ଉପଯୁକ୍ତ ବ୍ୟୟବରାଦ ରଖାଯିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ଗଢ଼ିଥିବା ଉପଦେଷ୍ଟାମଣ୍ଡଳୀରେ ନାଗରିକ ସଂଗଠନ ସମୂହକୁ ସାମିଲ କରାଗଲେ ଅନେକ ମୌଳିକ ଓ ତୃଣମୂଳ ସ୍ତରର ସମସ୍ୟାଗୁଡ଼ିକର ସମାଧାନର ସୂତ୍ର ବାହାରିପାରିବ।

ସେହିପରି ଗ୍ରାମ୍ୟ ଅର୍ଥନୀତିକୁ ସଜାଡ଼ିବାକୁ ହେଲେ ପାରମ୍ପରିକ ପ୍ରାକୃତିକ କୃଷି ପ୍ରଣାଳୀର ପ୍ରସାର କରିବାକୁ ହେବ। ଫଳରେ କୃଷକମାନଙ୍କ ଉପରେ ଚାଷ କାର୍ଯ୍ୟ ଜଡ଼ିତ ଆର୍ଥିକ ବୋଝକୁ କମ୍‌ କରିପାରିବ। ପ୍ରାକୃତିକ କୃଷି ପାଇଁ ଓଡ଼ିଶାର ଜଳବାୟୁ ଓ ପାଣିପାଗ ସହାୟକ ହେଉଥିବାରୁ ଏହାକୁ ମିଲେଟ୍‌ ମିସନ ଭଳି ଏକ ମିସନରେ ପରିଣତ କରି ଆଗକୁ ନେବାକୁ ହେବ। କୋଭିଡ୍‌ କାଳରେ ବଢ଼ିଥିବା ଆର୍ଥିକ ଓ ସାମାଜିକ ଅସମାନତାରେ ମହିଳା ଓ ବାଳିକାମାନେ ସର୍ବାଧିକ ଶିକାର ହୋଇଛନ୍ତି। ଏହାକୁ ଦୂର କରିବା ପାଇଁ ସେମାନଙ୍କର ଆବଶ୍ୟକତାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦିଆଯିବା ସହିତ ତୃଣମୂଳସ୍ତରରେ ମହିଳାକୈନ୍ଦ୍ରିକ ଉଦ୍ୟୋଗ ପ୍ରସାର କରାଯିବାର ଆବଶ୍ୟକତା ରହିଛି। ବର୍ଧିତ ବାଲ୍ୟବିବାହର ମୁକାବିଲା ପାଇଁ ଆନୁଷ୍ଠାନିକ ବ୍ୟବସ୍ଥାଗୁଡ଼ିକୁ ସକ୍ରିୟ କରିବା ସହିତ ପଞ୍ଚାୟତସ୍ତରରେ ଥିବା କମିଟିକୁ କ୍ରିୟାଶୀଳ କରାଯିବା ଜରୁରୀ। ଆଦିବାସୀ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ବୈଷମ୍ୟ ଦେଖାଯାଉଥିବା ବେଳେ ସେହି ଅଞ୍ଚଳରେ ବିଭିନ୍ନ ପ୍ରକାର ଖଣିଜର ଅସରନ୍ତି ଭଣ୍ଡାର ରହିଛି। ତାହାସହ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରହିଛି। ଯାହାକୁ ଅର୍ଥନୈତିକ ଓ ସାମାଜିକ ବୈଷମ୍ୟ ଦୂରୀକରଣରେ ବିନିଯୋଗ କରାଯାଇପାରିବ। ମୂଳତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ଗ୍ରାମ୍ୟ ଉଦ୍ୟୋଗ ବିକାଶ ଦିଗରେ କାର୍ଯ୍ୟ କରାଗଲେ ଗ୍ରାମୀଣ ଜୀବନ ଜୀବିକା ସୁରକ୍ଷା ଦିଗରେ ସହାୟକ ହୋଇପାରିବ। ସରକାରୀସ୍ତରରେ ଏସବୁ ପାଇଁ ହେଉଥିବା କାର୍ଯ୍ୟ ଖସଡ଼ାର ସଫଳ ରୂପାୟନ ପାଇଁ ଗୋଷ୍ଠୀ ସଂପୃକ୍ତି ଓ ପଞ୍ଚାୟତର ସଂପୃକ୍ତି ଯଥା ଉପଯୁକ୍ତ ଯୋଜନା ପ୍ରଣୟନ ଏବଂ ତହିଁର କାର୍ଯ୍ୟକାରିତାର ଆବଶ୍ୟକତା ରହିଛି। ଦୁର୍ଗମ ଅଞ୍ଚଳରେ ସାମାଜିକ ସଂଗଠନମାନେ ଏହି କାର୍ଯ୍ୟକ୍ରମ ରୂପାୟନରେ ସହାୟକ ହୋଇପାରିବେ। ଏହି ସମାବେଶରେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ, ସମାଜସେବୀ ଡ. ଭଗବାନ ପ୍ରକାଶ, ଡ. ରାଜେଶ ଟଣ୍ଡନ ଓ ପ୍ରଫେସର ଅମିତାଭ କୁଣ୍ଡଙ୍କ ସମେତ ଅନେକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

The post ଅର୍ଥନୀତିର ପୁନରୁଦ୍ଧାର ପାଇଁ ପାରମ୍ପରିକ କୃଷି ପ୍ରଣାଳୀ ଜରୁରୀ first appeared on Sambad.



from ରାଜ୍ୟ – Sambad https://ift.tt/3aKSAN5

Post a Comment

0 Comments