
ଜାତିସଂଘ : ମହାମାରୀ କୋଭିଡ୍ର ଦୀର୍ଘକାଳୀନ ପ୍ରଭାବ ୨୦୩୦ ମସିହା ସୁଦ୍ଧା ଆଉ ଅଧିକ ୨୦.୭ କୋଟି ଲୋକଙ୍କୁ ଅତିଶୟ ଦାରିଦ୍ର୍ୟ ମଧ୍ୟକୁ ଟାଣିନେବ। ଏଥିରେ ବିଶେଷ କରି ୧୦.୨ କୋଟି ମହିଳାଙ୍କୁ ଅନଟନ କବଳରେ ପକାଇବ। ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଶହେ କୋଟି ଟପିଯିବ ବୋଲି ଜାତିସଂଘର ବିକାଶ ଯୋଜନା(ୟୁଏନ୍ଡିପି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଚଳିତ ଦଶନ୍ଧିରେ କୋଭିଡ୍ ମୁକାବିଲା ପାଇଁ ଉଦ୍ଦିଷ୍ଟ ଯାବତୀୟ ପୁନରୁଦ୍ଧାର ପ୍ରକ୍ରିୟାକୁ ବିଶ୍ଳେଷଣ କରି ଏପରି କୁହାଯାଇଛି। ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି(ଆଇଏମ୍ଏଫ୍) ଦ୍ବାରା ସାମ୍ପ୍ରତିକ କୋଭିଡ୍ ଆଧାର ରେଖା ଦୃଶ୍ୟପଟ ଭିତ୍ତିରେ ଏହି ମହାମାରୀ ଜନିତ ମୃତ୍ୟୁହାର ଏବଂ ବିଭିନ୍ନ ପୁନରୁଦ୍ଧାର ପ୍ରକ୍ରିୟାର ଆକଳନ କରାଯାଇ ୨୦୩୦ ସୁଦ୍ଧା ୪.୪ କୋଟିରୁ ଅଧିକ ଲୋକ ଅତିଶୟ ଅନଟନ ଭୋଗିବେ ବୋଲି କୁହାଯାଇଛି।
ଉତ୍ପାଦକତା ହ୍ରାସ ପରି କୋଭିଡ୍ ଜନିତ ସୃଷ୍ଟ ଆର୍ଥିକ ସଂକଟର ୮୦ ପ୍ରତିଶତ ଚଳିତ ଦଶନ୍ଧି ଧରି କାଏମ୍ ରହିବ ଯାହା କି କୋଭିଡ୍ ପୂର୍ବରୁ ଜାରି ରହିଥିବା ବିକାଶ ଧାରାର ପୁନରୁଦ୍ଧାରକୁ ପ୍ରତିରୋଧ କରିବ ବୋଲି ଅନୁମାନ କରାଯାଉଛି ବୋଲି ୟୁଏନ୍ଡିପି ପ୍ରଶାସକ ଆସିମ୍ ଷ୍ଟେନର କହିଛନ୍ତି। ତେବେ ଏଇ ଦଶନ୍ଧିରେ ନିର୍ଦ୍ଦିଷ୍ଟ ଭାବେ ସାମାଜିକ ସୁରକ୍ଷା, ଜନମଙ୍ଗଳ କାର୍ଯ୍ୟ, ପ୍ରଶାସନ, ଡିଜିଟାଲାଇଜେସନ୍ ଓ ସବୁଜ ଅର୍ତନୀତି କ୍ଷେତ୍ରରେ ବ୍ୟାପକ ପୁଞ୍ଜିଲଗାଣ ହିଁ ଅତିଶୟ ଦାରିଦ୍ର୍ୟ ବୃଦ୍ଧିକୁ ରୋକିବା ସହ ପୂର୍ବର ବିକାଶ ଧାରାକୁ ଫେରାଇ ଆଣିବ ବୋଲି ସେ କହିଛନ୍ତି। ଏଭଳି ବାସ୍ତବବାଦୀ ତଥା ଆଶାଜନକ ଉଦ୍ୟମ ୭.୪ କୋଟି ମହିଳା ସମେତ ୧୪.୬ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିପାରିବା ସହ ଲିଙ୍ଗଭେଦ ଦାରିଦ୍ର୍ୟ ଦୂରତାକୁ ମଧ୍ୟ କମାଇପାରିବ।
The post ୨୦୩୦ ସୁଦ୍ଧା କୋଭିଡ୍ ୧୦୦ କୋଟି ଲୋକଙ୍କୁ ଦରିଦ୍ର କରିଦେବ first appeared on Sambad.
from ରାଜ୍ୟ – Sambad https://ift.tt/33RH8Lg
0 Comments