ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର:  ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ୮୪ ବର୍ଷ ଦେହାନ୍ତ ହୋଇଯାଇଛି। ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୨.୪୫ ମିନିଟରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ବହୁ ଲୋକପ୍ରିୟ ତଥା ଚିରସବୁଜ ଗୀତ ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ମହମ୍ମଦ ରଫି ଗାଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୁରୀଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

ଅନେକ ପୂର୍ଣ୍ଣାଙ୍ଗ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେବା ସହ ଶ୍ରୀ ମହାପାତ୍ର ଶତାଧିକ ଆଧୁନିକ ଓଡ଼ିଆ ଗୀତର ସ୍ୱର ସଂଯୋଜନା କରିଥିଲେ। ସେ ସଙ୍ଗୀତ ନିର୍ଦେଶନା ଦେଇଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ କେତେକ ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ଶୀତରାତି (କଳାତ୍ମକ ଚଳଚ୍ଚିତ୍ର) ‘ଜୀବନ ସଂଗ୍ରାମ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ସେ ସଙ୍ଗୀତ ନିର୍ଦେଶନା ଦେଇଥିବା ବଙ୍ଗଳା କଳାତ୍ମକ ଚଳଚ୍ଚିତ୍ର ହେଉଛି ‘ମହାପୃଥିବୀ’। କଳାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ସୋଧ’ରେ ମଧ୍ୟ ସେ ସ୍ୱର ସଂଯୋଜନା କରିଥିଲେ ଏବଂ ୧୯୭୯ରେ ଏହି ଚଳଚ୍ଚିତ୍ର ‘ସ୍ୱର୍ଣ୍ଣ କମଳ ପୁରସ୍କାର’ ପାଇଥିଲା। ଏହାଥିଲା ଓଡ଼ିଶାରୁ ପ୍ରଯୋଜିତ ପ୍ରଥମ ରଙ୍ଗିନ ହିନ୍ଦୀ ଚଳଚ୍ଚିତ୍ର।

୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମିତ ଶାନ୍ତନୁ ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍‌ ଜିଓଲୋଜି ଆଣ୍ଡ୍‌ ଜିଓଫିଜିକ୍ସ୍‍’ରେ ସ୍ନାତକ ହାସଲ କରିଥିଲେ। ଜଣେ ଭୂତତ୍ତ୍ୱବିତ୍‌ ଭାବେ ସେ ୧୯୫୭ ଜୁନ୍‌ ମାସରେ ଓଡ଼ିଶା ରାଜ୍ୟ ସରକାରଙ୍କ ‘ଡାଇରେକ୍ଟୋରେଟ୍‌ ଅଫ୍‌ ମାଇନିଙ୍ଗ୍‌ ଆଣ୍ଡ୍‌ ଜିଓଲୋଜି’ରେ ଯୋଗ ଦେଇ ୧୯୯୪ରେ ଏହାର ନିର୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।

Image Courtesy of eOdisha.org

ସଙ୍ଗୀତ ଥିଲା ତାଙ୍କ ସହଜାତ ଗୁଣ। ତେଣୁ, ପାଞ୍ଚ ବର୍ଷ ବୟସରୁ ସେ ସଙ୍ଗୀତ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରି ନଅ ବର୍ଷ ବୟସରେ ସର୍ବସାଧାରଣରେ ଗୀତ ଗାଇଥିଲେ।

ଏହାଛଡ଼ା ସେ ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ଧରି ଆକାଶବାଣୀ ଏବଂ ଦୂରଦର୍ଶନରେ ଜଣେ ଶୀର୍ଷସ୍ତରୀୟ ସ୍ୱରସଂଯୋଜକ ଭାବେ ଶତାଧିକ ଆଧୁନିକ ଓଡ଼ିଆ ଗୀତ ସୃଷ୍ଟି କରିଥିଲେ।

ସଙ୍ଗୀତ ନିମନ୍ତେ ତାଙ୍କୁ ୨୦୦୪ରେ ‘ଲଳିତ କଳା ଏକାଡେମି ପୁରସ୍କାର’ ଏବଂ ୧୯୯୫ରେ ‘ଓଡ଼ିଶା ଫିଲ୍ମ୍‌ କ୍ରିଟିକ୍‌ ଆଓ୍ଵାର୍ଡ’ ସମେତ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା।

The post ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ first appeared on Sambad.



from ରାଜ୍ୟ – Sambad https://ift.tt/3pLPddh

Post a Comment

0 Comments