ପରୀ ହତ୍ୟା ମାମଲା : ବାବୁଲିଙ୍କ ଘରେ ଏସ୍‌ଆଇଟି, ଡ୍ରାଇଭର୍‌କୁ ଉଠାଇନେଲା

ନୟାଗଡ଼ : ପରୀ ହତ୍ୟା ମାମଲାରେ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେଟିଙ୍ଗ୍‌ ଟିମ୍‌ (ଏସ୍‌ଆଇଟି) ତଦନ୍ତକୁ ଜୋର୍‌ଦାର୍‌ କରିଛି। ଏହି ଘଟଣା‌ରେ ସନ୍ଦେହଘେରକୁ ଆସିଥିବା ପରୀର ଗ୍ରାମ ନୟାଗଡ଼ର ଯଦୁପୁର ବାସିନ୍ଦା ତଥା ବିଜେଡି ନେତା ବାବୁଲି ନାୟକଙ୍କ ୩ ମହଲା କୋଠାକୁ ଆଜି ଯାଞ୍ଚ୍‌ କରିଛି। ଯାଞ୍ଚ୍‌ ସମୟରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଉପସ୍ଥିତ ଥିଲେ। ଶ୍ରୀ ବୋଥ୍ରା ବାବୁଲି ଓ ତାଙ୍କ ପୁଅଙ୍କୁ ଜେରା କରିଛନ୍ତି। ପରୀ ହତ୍ୟା ମାମଲା ସମ୍ପର୍କିତ ପ୍ରଶ୍ନ ସମେତ ଅନ୍ୟାନ୍ୟ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ବାବୁଲିଙ୍କୁ ଜେରା ପରେ ତାଙ୍କ ଡ୍ରାଇଭର୍‌ ବିଜୟ ବେହେରାଙ୍କୁ ଏସ୍ଆଇଟି ଉଠାଇ ନେଇଛି।

ବିଜୟ ନୟାଗଡ଼ ଇଟାମାଟିରେ ରହୁଥିବା ବେ‌ଳେ ସେଠାରୁ ପୁଲିସ ତାଙ୍କୁ ପ୍ରଥ‌ମେ ସର୍କିଟ୍‌ ହାଉସକୁ ‌ନେଇଯାଇଥିଲା। ସେଠାରୁ ନୟାଗଡ଼ ଟାଉନ ଥାନାକୁ ନେଇ ଏସ୍‌ଆଇଟିର ଏକ‌ାଧିକ ଅଫିସର୍‌ ତାଙ୍କୁ ୨ ଘଣ୍ଟା ଜେରା କରିଥିଲେ।

ଅନ୍ୟ ଏକ ସୂଚନା ଅନୁସାରେ, ବାବୁଲିଙ୍କ ମାଲିକାନାରେ ଥିବା ସମସ୍ତ ଗାଡ଼ି ସମ୍ପର୍କରେ ବି ଏସ୍‌ଆଇଟି ଯାଞ୍ଚ୍‌ କରିଛି। ପୂର୍ବରୁ ନୟାଗଡ଼ ପୁଲିସ୍‌ ମଧ୍ୟ ବାବୁଲିଙ୍କର ଜଣେ ଡ୍ରାଇଭର୍‌ଙ୍କୁ ଖୋଜୁଥିଲା ମାତ୍ର କୌଣସି ଟେର୍‌ ପାଇ ନ ଥିଲା। ସେହି ଡ୍ରାଇଭର୍‌ ବିଜୟ କି ନୁହେଁ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ବାବୁଲିଙ୍କ ସମେତ ଯଦୁପୁରର ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କ ଘରକୁ ଯାଇ ଏସ୍‌ଆଇଟି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା ଜଣାଯାଇଛି।

The post ପରୀ ହତ୍ୟା ମାମଲା : ବାବୁଲିଙ୍କ ଘରେ ଏସ୍‌ଆଇଟି, ଡ୍ରାଇଭର୍‌କୁ ଉଠାଇନେଲା first appeared on Sambad.



from ରାଜ୍ୟ – Sambad https://ift.tt/3gciOsE

Post a Comment

0 Comments