
ଭୁବନେଶ୍ବର: ଟ୍ରାଫିକ୍ ନିୟମ ପାଳନ ନ କଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ। ଆସନ୍ତା ୩ ମାସ ପରେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ରାଜ୍ୟ ପରିଦର୍ଶନରେ ଆସିବେ। ଟ୍ରାଫିକ୍ ଆଇନ ଠିକ୍ଠାକ୍ ପାଳନ ନେଇ କମିଟି ଯାଞ୍ଚ କରିବେ। ଏପରିକି ବିପରୀତ ଦିଗରେ ଗାଡ଼ି ଚଳାଇଲେ ବି କାର୍ଯ୍ୟାନୁଷ୍ଠାନ ହେଉଛି। ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କୁ ଆଜି ଏପରି ସତର୍କ କରାଇଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ କହିଛନ୍ତି, ଯଦି ବାଇକ ଚାଳକଙ୍କ ପାଖରେ ଆଉ ଗୋଟିଏ ହେଲ୍ମେଟ୍ ନାହିଁ ତାହେଲେ, ସମ୍ପୃକ୍ତ ଚାଳକ ଆଉ କୌଣସି ବ୍ୟକ୍ତିଙ୍କୁ ଲିଫ୍ଟ୍ ନ ଦିଅନ୍ତୁ।
ଗତ ବର୍ଷ ସେପ୍ଟେମ୍ବରରୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ନୂଆ ଟ୍ରାଫିକ୍ ଆଇନକୁ ରାଜ୍ୟ ସରକାର ଲାଗୁ କରିଥିଲେ। ଆଇନର ବ୍ୟବସ୍ଥା ଅନୁଯାୟୀ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପର୍ଯ୍ୟାୟକ୍ରମେ ମହଲତ ଦିଆଯାଇଥିଲା। ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର କଡ଼ାକଡ଼ି ଯାଞ୍ଚକୁ କୋହଳ କରିଦେଇଥିଲେ। କିନ୍ତୁ ଆସନ୍ତା ନୂଆ ବର୍ଷଠାରୁ ପୁଣି ଥରେ ଟ୍ରାଫିକ୍ ନିୟମ ପାଳନ କଡ଼ାକଡ଼ି ଯାଞ୍ଚ ପାଇଁ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଣିକି ଦୁଇ ଚକିଆ ଯାନରେ ବିନା ହେଲ୍ମେଟରେ ପଛରେ କାହାକୁ ବସାଇଥିଲେ ସମ୍ପୃକ୍ତ ଚାଳକଙ୍କ ଲାଇସେନ୍ସ ବାତିଲ କରାଯାଉଛି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଯାହା ନିର୍ଦ୍ଦେଶ ଦେଇଥିଲେ ସେହି ଅନୁଯାୟୀ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନେ ପ୍ରସ୍ତୁତି ଚଳାଇଛନ୍ତି। ବିଶେଷକରି ଓଡ଼ିଶା ଦୁର୍ଘଟଣା ପ୍ରବଣ ରାଜ୍ୟ ହୋଇଥିବାରୁ ସୁରକ୍ଷା କମିଟି ବିଶେଷ ଗୁରୁତ୍ବ ଦେଇଛନ୍ତି। ଅଧିକ ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ସଡ଼କ ସୁରକ୍ଷା କମିଟି ନିଜେ ପରିଦର୍ଶନ କରିବେ। ନୂଆ ବ୍ଲାକ୍ ସ୍ପଟ୍ ବି ଚିହ୍ନଟ ହେବ। ସଠିକ୍ ସୁଚନା ପ୍ରଦାନ ପାଇଁ ଆଇଟି ପୁଲ୍ କରାଯିବ। ନିୟମ ଉଲଂଘନକାରୀଙ୍କୁ ଆଉ କୌଣସି ପ୍ରକାର ବରଦାସ୍ତ କରାଯିବନି।
The post ୩ ମାସ ପରେ ଆସିବେ ସୁପ୍ରିମ କୋର୍ଟ ସଡ଼କ ସୁରକ୍ଷା କମିଟି, ଆଉ ଗୋଟିଏ ହେଲ୍ମେଟ୍ ନ ଥିଲେ ଲିଫ୍ଟ ଦେବା ମନା first appeared on Sambad.
from ରାଜ୍ୟ – Sambad https://ift.tt/34ds3Ur
0 Comments