ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା : ଭିଜିଲାନ୍‌ସକୁ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଟାଟା ମୋଟର୍ସ ଠକେଇ ଘଟଣାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ଭିଜିଲାନ୍‌ସ। ଏ ନେଇ ଲୋକାୟୁକ୍ତ ଭିଜିଲାନ୍‌ସକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ଫେବ୍ରୁଆରି ୧୨ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି ଲୋକାୟୁକ୍ତ କହିଛନ୍ତି। ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ଲାଗି ଲୋକାୟୁକ୍ତଙ୍କୁ ସୁପାରିସ୍‌ କରିଥିଲେ।

ଲୋକାୟୁକ୍ତ କହିଛନ୍ତି, ଗତ ୯ ତାରିଖରେ ଭିଜିଲାନ୍‌ସ ସେଲ୍‌ର ଡିଏସ୍‌ପି ରଂଜନ କୁମାର ଦାସ କରିଥିବା ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଭିନ୍ନ ପ୍ରକାର ଦୁର୍ନୀତିରେ ଜଡ଼ିତ ଥିବା କୁହାଯାଇଛି। ଏପରିକି ବିଧାୟକଙ୍କ ନିଜର ଆୟ ବାହାରେ ବିପୁଳ ପରିମାଣର ବର୍ହିଭୂତ ସମ୍ପତ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଭିଜିଲାନ୍‌ସ ସେଲ୍‌ ପକ୍ଷରୁ ଗୁପ୍ତ ଯାଞ୍ଚ ସମୟରେ ଏହା ଜଣାପଡ଼ିଥିଲା। ଏହାର ଅନେକ ଦସ୍ତାବିଜ୍ ମଧ୍ୟ ମିଳିଛି। ଏହି ରିପୋର୍ଟ ମିଳିବା ପରେ ୨୦୧୪ ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୨୦(୧)ରେ ଏହାର ତଦନ୍ତ କରିବା ଲାଗି ଭିଜିଲାନ୍‌ସକୁ ଲୋକାୟୁକ୍ତ ନିର୍ଦେଶ ଦେଇଛି।

ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ଅନେକ ଶିକ୍ଷିତ ଯୁବକଙ୍କୁ ଠକିଥିବା ଅଭିଯୋଗ ରହିଛି। ଏହା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରିଥିଲେ। ପରେ କ୍ରାଇମବ୍ରାଞ୍ଚ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିବା ବେଳେ ସେ ଏବେ ଝାରପଡ଼ା ଜେଲ୍‌ରେ ରହିଛନ୍ତି।

The post ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା : ଭିଜିଲାନ୍‌ସକୁ ଦେଲେ ଲୋକାୟୁକ୍ତ first appeared on Sambad.



from ରାଜ୍ୟ – Sambad https://ift.tt/3ndoNjo

Post a Comment

0 Comments